Site icon Odisha.com

ମାଡ଼ ଖାଉଥିବା ପୋଲିସ ଓ ବସ୍ତିର ଲେଡି ଡନ୍‍

କେଦାର ମିଶ୍ର

ଏହି ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ଏକ ଘଟଣା ଘଟିଲା । ରାଜଧାନୀର ଏକ ବସ୍ତିରେ ସାଧାରଣ ଲୋକେ ପୋଲିସ୍‍କୁ ଗୋଡ଼େଇ ଗୋଡ଼େଇ ପିଟିଲେ । ସାମ୍ବାଦିକଙ୍କ କ୍ୟାମେରା ଆଗରେ ସ୍ତ୍ରୀ, ପୁରୁଷ ମିଶି ଜଣେ ଥାନା ଅଧିକାରୀଙ୍କୁ ମାଡ଼ ଦେଉଥିବାର ଦୃଶ୍ୟ ଆମେ ଦେଖିବାକୁ ପାଇଲେ । ଅବଶ୍ୟ ଦୃଶ୍ୟଟି ନୂଆ ନୁହେଁ ।

ଫଟୋ ସୌଜନ୍ୟ: ପ୍ରଗତିବାଦୀ ଫେସବୁକ ଆକାଉଣ୍ଟ

ରାଜଧାନୀ ଭୁବନେଶ୍ୱରରେ ଆଗରୁ ମଧ୍ୟ ଏପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ବର୍ଷ ଆଗରୁ ଆଉ ଜଣେ ଥାନାଅଧିକାରୀଙ୍କୁ ରାଜଧାନୀବାସୀ ଗୋଡ଼େଇ ଗୋଡ଼େଇ ମାଡ଼ ଦେଇଥିଲେ । ତେବେ ଶେଷଘଟଣାଟି ଟିକିଏ ଅଲଗା ।

ଏଥିରେ ପୋଲିସ୍‍ ସହ ବସ୍ତି ଜୀବନର ଆଉ ଏକ ପକ୍ଷ ମଧ୍ୟ ଉନ୍ମୋଚିତ ହୋଇଛି । ହଠାତ୍‍ ଓଡ଼ିଆ ସମ୍ବାଦପତ୍ରରେ ଆମେ ଜଣେ  ମହିଳାଙ୍କ ଫଟୋ ଦେଖିଲୁ, ଯାହାଙ୍କୁ କୁହାଗଲା ସେ ଜଣେ ଲେଡି ଡନ୍‍ । ସିନେମା ଶୈଳୀରେ ଖଳନାୟିକାର ଚିତ୍ର ଭଳି ତାଙ୍କର ଚିତ୍କାର କରୁଥିବା ଫଟୋଟି ଖବରକାଗଜରେ ଛପା ହେଲା ।

ଶୈଳ ରଣସିଂହ ନାମକ ଏହି ଭଦ୍ରମହିଳା ଜଣକ ପୋଲିସ ବିରୋଧରେ ଲୋକଙ୍କୁ ମତାଇଥିଲେ ଓ ବସ୍ତିରେ ଆତଙ୍କରାଜ ଚଳାଇଥିଲେ ବୋଲି ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଲା ।

ତାଙ୍କୁ ଲେଡି ଡନ୍‍ ବୋଲି କହିବା ବେଳେ ଆମେ ଚିନ୍ତା କଲୁ ଯେ, ଏହାଙ୍କ ବିଷୟରେ ଆଗରୁ ଖବରକାଗଜରେ କୋଉଠି କିଛି ବାହାରିଥିଲା କି ?

ଯେଉଁ ଟେଲିଭିଜନ ସାମ୍ବାଦିକମାନେ ଶୈଳ ରଣସିଂହଙ୍କ କାର୍ଯ୍ୟଶୈଳୀକୁ ସିନେମାର ଲେଡି ଡନ୍‍ ଭଳି କହୁଛନ୍ତି, ସେମାନେ କେବେ ତାଙ୍କ ବିଷୟରେ ବା ତାଙ୍କର ଅପରାଧ ସମ୍ପର୍କରେ କୌଣସି ରିପୋର୍ଟ ପ୍ରକାଶ କରିଥିଲେ କି !

ଗତ ୧୫ ବର୍ଷ ଧରି ଶୈଳ ରଣସିଂହଙ୍କ ନାଁ ଗଣମାଧ୍ୟମରେ ଅନ୍ତତଃ ମୁଁ ଶୁଣିନଥିଲି ।  ହଠାତ୍‍ ଏବେ ତାଙ୍କୁ ଏତେବଡ଼ ଖଳନାୟିକା ବୋଲି କହିବାର ମାନେ କ’ଣ ?

ପୁଲିସ କହୁଛି ପ୍ରତିବାଦ, ବିକ୍ଷୋଭ ଛଡା ତାଙ୍କ ବିରୁଦ୍ଧରେ ସେମିତି କିଛି ଗୁରୁତର ଅପରାଧିକ ମାମଲା ପୂର୍ବରୁ ପଞ୍ଜୀକୃତ ହୋଇନାହିଁ  ।

ହୁଏତ ବସ୍ତିରେ ରହୁଥିବା ଜଣେ ମୁଖରା ଓ କେବେ କେମିତି ହିଂସ୍ର ହୋଇ ଉଠୁଥିବା ଜଣେ ସାଧାରଣ ମହିଳାଙ୍କୁ ଏତେବଡ଼ ଖଳନାୟିକା ବୋଲି ଚିତ୍ରିତ କରିବା ପଛରେ ଗଣମାଧ୍ୟମର ଉଦ୍ଦେଶ୍ୟ କ’ଣ?

ଗୋଟିଏ ଛୋଟ ଘଟଣା ଏତେ ବଡ଼ ଖଳନାୟିକାକୁ ଜନ୍ମ ଦେଇପାରେ – ଏହା ହେଉଛି ଆମ ଗଣମାଧ୍ୟମର ଚାଲାକି । ଆମେ ଜଣେ ସାଧାରଣ ଗଣ୍ଡଗୋଳକାରିଣୀଙ୍କୁ କଙ୍ଗାରୁ କୋର୍ଟ ଚଲାଉଥିବା ନକ୍ସଲ ବୋଲି କହିପାରୁ । ଏହାହିଁ ଆମ ସମୟର ବିଡମ୍ବନା ।

ଏକଥା ସତ ଯେ, ଯେଉଁମାନେ ପୋଲିସ୍‍ ଉପରେ ଆକ୍ରମଣ କଲେ, ସେମାନେ ଆଇନ୍‍କୁ ହାତକୁ ନେଇଛନ୍ତି ଓ ଏହାର ଦଣ୍ଡ ତାଙ୍କୁ ମିଳିବା ଦରକାର । ତା’ର ଅର୍ଥ ନୁହଁ ଯେ ପୋଲିସ୍‍ ସମ୍ପୂର୍ଣ୍ଣ ଭାବରେ ନିର୍ଦୋଷ ।

ଅପରାଧୀମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଗରିବ ଓ ବସ୍ତିବାସିନ୍ଦାଙ୍କ ପ୍ରତି ପୋଲିସ୍‍ ଯେଉଁ ପ୍ରକାର ବ୍ୟବହାର କରେ, ତାହା କଦାପି କ୍ଷମାଯୋଗ୍ୟ ନୁହେଁ । ପୋଲିସ୍‍ ଉପରେ ଲୋକେ ସେତେବେଳେ ଆକ୍ରମଣ କରନ୍ତି, ଯେତେବେଳେ ପୋଲିସ୍‍ର ନିର୍ଯ୍ୟାତନା ଅସହ୍ୟ ହୋଇ ଉଠେ ।

ଏହି କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ପୋଲିସ୍‍ ଉପରେ ନିରୀହ ବସ୍ତି ବାସିନ୍ଦା ଆକ୍ରମଣ କରିବା ପଛରେ କିଛି ଗୋଟେ ଅସହ୍ୟ କାରଣ ରହିଛି, ଯାହାକୁ ଗଣମାଧ୍ୟମ ପୋଲିସ୍‍ର ପ୍ରରୋଚନାରେ ଲୁଚାଇବାକୁ ଚାହୁଁଛି । ଶୈଳ ରଣସିଂହଙ୍କୁ ଏହି ସମଗ୍ର ଘଟଣାରେ ଦୋଷୀ ବୋଲି ହୁଏତ କୁହାଯାଇପାରେ, କିନ୍ତୁ ତାଙ୍କୁ ଲେଡି ଡନ୍‍ ଓ କଙ୍ଗାରୁ କୋର୍ଟର ବିଚାରପତି ବୋଲି କହିବା ଅତିଶୟୋକ୍ତି ମାତ୍ର ।

ବୋଧହୁଏ ଗଣମାଧ୍ୟମ ପାଇଁ ଏକ ଯାତ୍ରା ନାୟିକା ଦରକାର । ସେଥିପାଇଁ ଶୈଳ ରଣସିଂହ ଜଣେ ସହଜ ଶିକାର । ତାଙ୍କୁ ଲେଡି ଡନ୍‍ ସଜାଇ ଆମେ ଖବରର ଏକ ତଟକା ବଜାର ସୃଷ୍ଟି କରିଛୁ । ଯେଉଁ ବଜାରରେ ପୋଲିସ୍‍ର କଳାକାରନାମା ଲୁଚି ଯାଉଛି ।

ଏକଥା କହିଲାବେଳେ ଆମେ ଭୁଲିଯିବା ଉଚିତ୍‍ ନୁହେଁ ଯେ ସମାନ୍ତରାଳରେ ପୋଲିସ୍‍ ବର୍ବରତାର ଆଉ ଏକ ଉଦାହରଣ ମଧ୍ୟ ଆମେ ଦେଖୁଛୁ । ଜୁନ୍‍ ୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସ୍‍ ଥାନାରେ ଗୌରହରି ସ୍ୱାଇଁ ନାମକ ଜଣେ ଛୋଟିଆ ଚୋରକୁ ଥାନା ହାଜତରେ ପିଟିପିଟି ପୋଲିସ୍‍ ମାରିଦେଇଛି ।

ପୋଲିସ୍‍ର ଅତ୍ୟଧିକ ଅତ୍ୟାଚାରରେ ଗୌରହରି ମୃତ୍ୟୁ ବରଣ କରିଛନ୍ତି । ଏହିଘଟଣାକୁ ନେଇ ଆମର ସାଧାରଣ ଜୀବନରେ ବିଶେଷ ହଲଚଲ୍‍ ଆସୁନାହିଁ । ଗୋଟେ ସମୟ ଥିଲା ହାଜତ ମୃତ୍ୟୁକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ବୋଲି ବିଚାର କରାଯାଉଥିଲା ।

ଆଜିର ତାରିଖରେ ରାଜନୈତିକ ଦଳ ଓ ଗଣମାଧ୍ୟମ ହାଜତ ମୃତ୍ୟୁକୁ ପୋଲିସ୍‍ର ଅଧିକାର କ୍ଷେତ୍ର ବୋଲି ବିଚାର କରୁଛନ୍ତି । ଗଣମାଧ୍ୟମର ଏହି ବିବେକହୀନ ଆଚରଣ ଆଗରେ ସାଧାରଣ ଚୋର ଖଳନାୟକ ପାଲଟିଥିବାବେଳେ ବସ୍ତିର ସାଧାରଣ ମୁଖରା ନାରୀଟିଏ ଲେଡି ଡନ୍‍ ପାଲଟିଯାଉଛି । ଏହା ଅତ୍ୟନ୍ତ ଦୁଃଖଦାୟକ ।

ଫୋନ୍‍ : ୯୪୩୭୧୫୪୪୪୫

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Exit mobile version