Site icon Odisha.com

ଗାଡି ଚୋରି ମାମଲାରେ ଦୁଇ ଇଂଜିନିୟରିଂ ଛାତ୍ର ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଜୁନ ୧୫ (ଓଡିଶା ଡଟ କମ) ଗୋଟିଏ ସ୍କର୍ପିଓ ଗାଡିର ଡ୍ରାଇଭରକୁ ଗଛରେ ବାନ୍ଧି ଉକ୍ତ ଗାଡିକୁ ଜବରଦସ୍ତି ଛଡାଇ ନେଇଥିବା ଅଭିଯୋଗରେ ଦୁଇଜଣ ଇଂଜିନିୟରିଂ ଛାତ୍ର ଓ ଜଣେ ଏମବିଏ ଛାତ୍ରଙ୍କ ସମେତ ପାଞ୍ଚଜଣଙ୍କୁ ଭୁବନେଶ୍ଵରରେ ଗିରଫ କରିଥିବା ପୁଲିସ ସୋମବାର କହିଛି ।

ଶେଷ ବର୍ଷ ଇଂଜିନିୟରିଂର ୨୦-୨୨ ବର୍ଷ ବୟସ୍କ ଏହି ଦୁଇ ଛାତ୍ର ନିଜର ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ ପୁରୀରେ ଗୋଟିଏ ସ୍କର୍ପିଓ ଗାଡି ଗତ ସପ୍ତାହରେ ଭଡା କରି ଭୁବନେଶ୍ଵରର ଚନ୍ଦକା ଅଞ୍ଚଳକୁ ଆସିଥିଲେ।

ସେଠାରେ ଡ୍ରାଇଭରକୁ ମାଡ ମାରିବା ସହ ଗୋଟିଏ ଗଛରେ ବାନ୍ଧିବା ପରେ ଗାଡି ନେଇ ଫେରାର ହୋଇ ଯାଇଥିଲେ । ଗିରଫ ସମସ୍ତ ପାଞ୍ଚଜଣ ଓଡିଶାର ।

ଡ୍ରାଇଭର ଜଣକ ସୌଭାଗ୍ୟକ୍ରମେ ଖସିଆସି ପୁଲିସ ରେ ଖବର ଦେଇଥିଲେ । ଅନୁସନ୍ଧାନ କରି ପୁଲିସ ସମ୍ପୃକ୍ତ ପାଞ୍ଚ ଜଣକୁ ଗିରଫ କରିଥିବା, ଡେପୁଟି କମିଶନର ସତ୍ୟବ୍ରତ ଭୋଇ ଓଡିଶା ଡଟକମକୁ କହିଛନ୍ତି । 

ଗିରଫ ଅଭିଯୁକ୍ତ କେତେକ ଅନ୍ୟ ଗାଡି ଚୋରୀ ମାମଲା ତଥା ରାଜଧାନୀରେ ସୁନା ଚେନ ଲୁଟି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ଅଧିକ ଅନୁସନ୍ଧାନ ଚଳାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version