Site icon Odisha.com

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧୫ (ଓଡିଶା ଡଟ କମ) କାଦମ୍ବିନୀ ମିଡିଆ ପ୍ରଯୋଜିତ କଳାତ୍ମକ ଚଳଚିତ୍ର କ୍ରାନ୍ତିଧାରାର ପ୍ରିମିଅର ସୋ ଭୁବନେଶ୍ଵର ସ୍ଥିତ କିଟ୍ କ୍ୟାମ୍ପସରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।

ବିଭିନ୍ନ ଘାତ ପ୍ରତିଘାତ ସତ୍ଵେ ପୁରୁଷ ପ୍ରଧାନ ସମାଜରେ ଜଣେ ନାରୀ କିପରି ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସମାଜର ସାମୁହିକ ମଙ୍ଗଳ କରିବାରେ ସଫଳ ହୋଇଥାଏ ତାହା ଏକ ଘଣ୍ଟା ପଇଁଚାଳିଶ ମିନିଟର ଏହି କଳାତ୍ମକ ଚଳଚିତ୍ର ରେ ପ୍ରଦର୍ଶିତ ହୋଇଛି ।

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ ‘ଝଡ ପରର ସୂର୍ଯ୍ୟ’ ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

ଚଳଚିତ୍ର ପ୍ରଦର୍ଶନ ପୂର୍ବରୁ ସ୍ଵାଗତ ଭାଷଣ ଦେଇଥିଲେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ।

ମଞ୍ଚାସୀନ ଥିବା ଅନ୍ୟ ଅତିଥି ମାନେ ହେଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ତ୍ରିପୁରା ମିଶ୍ର , ରାଜ୍ୟ ଚଳଚିତ୍ର ନିଗମ ର ଅଧ୍ୟକ୍ଷ ମୁନା ଖାନ, ଚଳଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି ଓ କ୍ରାନ୍ତିଧାରା ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ।

ଏ ଅବସରରେ କ୍ରାନ୍ତିଧାରା ରେ ଅଭିନୟ କରିଥିବା ନାୟକ, ନାୟିକା ଅନ୍ୟ ଅଭିନେତା , ଅଭିନେତ୍ରୀ ତଥା ଚଳଚିତ୍ର ନିର୍ମାଣରେ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

କ୍ରାନ୍ତିଧାରା ହେଉଛି କାଦମ୍ବିନୀ ମିଡିଆ ପ୍ରଯୋଜିତ ଦ୍ଵିତୀୟ ଚଳଚିତ୍ର । ୧୯୯୯ ରେ ରାଜ୍ୟରେ ହୋଇଥିବା ମହାବାତ୍ୟା ଉପରେ ଆଧାରିତ ଚଳଚିତ୍ର ‘କଥାଂତର’ ଥିଲା ଏହାର  ପ୍ରଥମ ଅର୍ଘ୍ୟ । କଥାଂତର ଦେଶ ବିଦେଶରେ ଉଛ ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ପୁରସ୍କାର ଲାଭ କରିଛି ।

ଓଡିଶା ଡଟ କମ

Exit mobile version