Site icon Odisha.com

ରାଜ୍ୟରେ ଆଦିବାସୀ ପ୍ରତାଡିତ: ଜୁଏଲ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩ (ଓଡିଶା ଡଟ କମ) ଭୁବନେଶ୍ଵରରେ ମଙ୍ଗଳବାର ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚାର ଦୁଇ ଦିନିଆଁ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ଉଦବୋଧନ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟରେ ଆଦିବାସୀ ମାନଙ୍କୁ ପ୍ରତାଡିତ କରାଯାଉଥିବା ଅଭିଯୋଗ କରିଛନ୍ତି ।

କେନ୍ଦ୍ର ରାଜ୍ୟର ଆଦିବାସୀ ମାନଙ୍କ ବିକାଶ ପାଇଁ ୪୨୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ତାହାକୁ ଠିକ ଭାବରେ ବିନିଯୋଗ କରାଯାଉନାହିଁ । ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଅନ୍ୟତ୍ର ବିନିଯୋଗ କରାଯାଉଛି ।

ଜନଜାତି ଛାତ୍ର ଓ ଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଠିକ ସମୟରେ ମିଳୁନାହିଁ । ଆଦିବାସୀ ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳୁନାହିଁ । ଯେଉଁ ମାନେ ଚାକିରି କରୁଛନ୍ତି ତାଙ୍କୁ ପଦୋନ୍ନତି ଦିଆ ଯିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ।

ସରକାର ନିୟମ ପ୍ରଣୟନ କରିଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଜମି ପଟ୍ଟା ନ ମିଳିବା ଏବଂ ବନଜାତ ଦ୍ରବ୍ୟ ବିକ୍ରୟ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବା ସେ ଅଭିଯୋଗ କରିଥିଲେ । ରାଜ୍ୟରେ ବିଭିନ୍ନ ସରକାରୀ ଆଦିବାସୀ ହୋଷ୍ଟେଲ ରେ ଛାତ୍ରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଅନାଚାରକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଏହି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ରାଜ୍ୟ ତଥା ରାଜ୍ୟ ବାହାରର ଜଣାଶୁଣା ଆଦିବାସୀ ନେତା ମାନେ ଯୋଗଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଳସ୍ତେ, ବିଜେପି ଶାସିତ ରାଜ୍ୟର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଏମପି, ଏମଏଲଏ, ପାର୍ଟିର ଜନଜାତି ମୋର୍ଚାର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଅନ୍ତର୍ଭୁକ୍ତ ।

ବିଜେପି ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚା ର ମୁଖ୍ୟ ରବି ନାୟକ ପୂର୍ବତନ ବିଧାୟକ ମୋହନ ମାଝି, ଟ୍ରାଇଫେଡର ପୂର୍ବତନ ଅଧକ୍ଷ୍ୟା ତଥା ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ତଥା ପାର୍ଟିର ଜନଜାତି ମୋର୍ଚାର ରାଜ୍ୟରେ ଥିବା ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। କିଟ୍ ର ସାତ ନମ୍ବର କ୍ୟାମ୍ପସର ଦୁଇ ନମ୍ବର ଅଡିଟୋରିଅମରେ ଏହି ବୈଠକ ଅନୁଷ୍ଠିତ ହେଉଅଛି ।

ଓଡିଶା ଡଟ କମ

Exit mobile version