Site icon Odisha.com

ନୂତନ ବିଗ୍ରହରେ ସଂସ୍ଥାପିତ ହେଲେ ବ୍ରହ୍ମ

ଓଡିଶା ଡଟକମ ସଂବାଦ ଦାତା

ପୁରୀ, ଜୁନ ୧୬ (ଓଡିଶା ଡଟ କମ) ମଙ୍ଗଳବାର ପାରମ୍ପରିକ ରୀତିନୀତି ସହ ଦଇତାପତିମାନେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ଚତୁର୍ଦ୍ଧା ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପିତ କରି ଦାରୁବ୍ରହ୍ମଙ୍କ ନବ କଳେବର କରିଛନ୍ତି ।

ପ୍ରତି ଜନ୍ମର ମୃତ୍ୟୁ ନିଶ୍ଚିତ, ଏହି ଚିରନ୍ତନ ସତ୍ୟର ବାର୍ତ୍ତା ବହନ କରୁଥିବା ନବ କଳେବର ପ୍ରକ୍ରିୟା ଗୋପନୀୟତାର ସହ ଅନୁଷ୍ଠିତ ହୋଇଥିବା ବେଳେ, ଶ୍ରୀମନ୍ଦିରର ପୁରୁଣା ବିଗ୍ରହଙ୍କୁ ବିଦାୟ ଦେବାପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏହି ନୀତି ପାଳନ ସମୟରେ ମନ୍ଦିରର କର୍ମଚାରୀମାନେ ପୁଲିସ ସହାୟତାରେ ବଡ଼ଦେଉଳ ଭିତରୁ ସମସ୍ତ ବାହାରଲୋକ ଏବଂ ସେବକମାନଙ୍କୁ ବାହାର କରିଦେଇ ସମସ୍ତ ପାଶ୍ୱର୍ ଦେବାଦେବୀ ମନ୍ଦିର, ସରଘର ଆଦିକୁ ତାଲା ପକାଇ ବନ୍ଦ କରିଦିଆ ଯାଇଥିଲା ।

ବ୍ରହ୍ମ ପରିବର୍ତ୍ତନ ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ନୀତିକୁ ଯେପରି କେହି ଦେଖିନପାରିବେ ସେଥିଲାଗି ସମସ୍ତ ପ୍ରକାର ସର୍ତକତା ମୂଳକ ପଦକ୍ଷେପ ପ୍ରଶାସନ ଗ୍ରହଣ କରିଥିଲା ।

ବ୍ରହ୍ମ ପରିବର୍ତନ ନୀତି ପାଇଁ କୋଇଲି ବୈକୁଣ୍ଠରୁ ନୂତନ ବିଗ୍ରହଙ୍କୁ ଅଣସର ପିଣ୍ଡି ପର୍ଯ୍ୟନ୍ତ ଅଣାଯାଇଥିଲା । ପୁରୁଣା ଘଟ ସହ ନୂଆ ଘଟ ମୁହାଁ ମୁହିଁ କରାଯାଇ ଥିଲା ।

ଚାରି ବାଡ଼ଗ୍ରାହୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବ୍ରହ୍ମ ବାହାରକରି ନୂତନ ବିଗ୍ରହଙ୍କ ନାଭିଦେଶରେ ସଂସ୍ଥାପନ କରିଥିଲେ । ତା’ପୂର୍ବରୁ ଚାରୋଟି ଖଟୁଲିରେ ବ୍ରହ୍ମ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପତିମହାପାତ୍ର ପଞ୍ଚାମୃତରେ ବ୍ରହ୍ମଙ୍କୁ ସ୍ନାନ କରାଇବା ସହ ଭୋଗ ଅର୍ପଣ କରିଥିଲେ ।

ଜଗନ୍ନାଥ ସ୍ୱାଇଁ ମହାପାତ୍ର ଶ୍ରୀଜଗନ୍ନାଥଙ୍କର, ହଳଧର ଦାସ ମହାପାତ୍ର ଶ୍ରୀବଳଭଦ୍ରଙ୍କର, ରାମଚନ୍ଦ୍ର ଦାସମହାପାତ୍ର ସୁଭଦ୍ରାଙ୍କର ଓ ନବକିଶୋର ପତିମହାପାତ୍ର ଶ୍ରୀ ସୁଦର୍ଶନଙ୍କର ବ୍ରହ୍ମ ପରିବର୍ତ୍ତନ କରିଥିଲେ । ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟ ଶେଷ ହେବାପରେ ଅନ୍ୟ ଦଇତାପତି ସେବକମାନେ ପୁରାତନ ଓ ନୂତନ ବିଗ୍ରହଙ୍କୁ ଦର୍ଶନ କରି ପୂଜାର୍ଚନା କରିଥିଲେ ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ ।

ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏହି ଅବସରରେ ପୁରୁଣା ବିଗ୍ରହ ମାନଙ୍କ ଶେଷ ସଂସ୍କାର ପାରମ୍ପରିକ ହିନ୍ଦୁ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ଓଡିଶା ଡଟ କମ

Exit mobile version