Site icon Odisha.com

କିଡନି ବିକ୍ରି ମାମଲା ରେ ରିପୋର୍ଟ ତଲବ

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧୮ (ଓଡିଶା ଡଟ କମ) ଜଣେ ଯୁବକ ଅର୍ଥ ପାଇଁ ନିଜର ଗୋଟିଏ କିଡନି ବିକ୍ରି କରିଥିବା ଘଟଣାରେ ଜାତୀୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଠାରୁ ଜବାବ ତଲବ କରିଥିବା ଜଣେ ମାନବଧିକାର କର୍ମୀ ଗୁରୁବାର କହିଛନ୍ତି ।

ଆବେଦନକାରୀ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଦେଇଥିବା ସୂଚନା ଅନୁସାରେ ଗତ ଅପ୍ରେଲ ମାସରେ ଫୁଲବାଣୀ ହରିଜନ ସାହିର ବରୁଣ ବେହେରାଙ୍କ ୨୦ ବର୍ଷ ବୟସ୍କ ପୁଅ କାହ୍ନୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ନିଜର ଗୋଟିଏ କିଡନି ବ୍ରହ୍ମପୁରର ଜଣକୁ ବିକ୍ରି କରିଥିଲେ ।

ଆଶ୍ଚର୍ଯ୍ୟର କଥା ହେଲା ଯେ ଶ୍ରୀଲଙ୍କାର ଏକ ହସପିଟାଲରେ ଏହି କିଡନି ପ୍ରତ୍ୟାରୋପଣ କରାଯାଇଥିଲା । ପ୍ରାୟ ସାଢେ ତିନି ଲକ୍ଷ ଟଙ୍କା ନେଇ ସେ କିଡନି ଦେଇଥିବା ଏହି ଘଟଣା ଜୁନ୍ ପ୍ରଥମ ସପ୍ତାହରେ ଲୋକଲୋଚନକୁ ଆସିଥିଲା ଓ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଥିଲା । ଘଟଣାକୁ ନେଇ ହଟଚମଟ ହେବା ପରେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ରଟ ଦାରିଦ୍ର୍ୟ ଯୋଗୁଁ କାହ୍ନୁ ଅଧାରୁ ପାଠ ଛାଡିଥିଲା ଓ କୌଣସି କାମ ଧନ୍ଦା ନ ମିଳିଥିବାରୁ ଆର୍ଥିକ ଅନାଟନରେ ଦିନ କାଟୁଥିଲା ।

ବାପାଙ୍କ ସମେତ ପରିବାରର ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ସେ କିଛି କରିବାକୁ ଚାହୁଁଥିଲା । ଏହି ପରିସ୍ଥିତିରେ ବ୍ରହ୍ଣପୁରର ଜଣେ ଲୋକଙ୍କ ସହ ଦେଖା ହୋଇ କିଡନି ଆବଶ୍ୟକ ଥିବା ସମ୍ପର୍କରେ ସେ ଜାଣି ପାରିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ବଦଳରେ କିଡନି ବିକ୍ରି କରିବା ପାଇଁ ରାଜି ହୋଇଥିଲା ।

ଏ ମାମଲାରେ ଏକ ରାକେଟ କାମ କରୁଥିବା ସନ୍ଦେହ କରି ସାମାଜିକ କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଥିଲେ ।

ଏ ପର୍ଯ୍ୟନ୍ତ କାହ୍ନୁ ର ପରିବାରକୁ ବିପିଏଲ୍ କାର୍ଡ ଦେବାକୁ ପଦକ୍ଷେପ ନିଆଯାଇ ନା ଥିବା ତଥା କିଡନି ବିକ୍ରି ପାଇଁ ରାଜି କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଆଇନଗତ କାର୍ଯାନୁଷ୍ଠାନ ନିଆଯାଇନାହିଁ ବୋଲି ଅଖଣ୍ଡ ଜଣାଇଥିଲେ ।

କମିଶନ ଏହାକୁ ଗୁରୁତର ସହ ଗ୍ରହଣ କରି କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଜବାବ୍ ଲୋଡିଛନ୍ତି । ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାପାଇଁ କମିଶନ କମିଶନ ନିର୍ଦ୍ଦେଶ ଦେଇଥିବା ଅଖଣ୍ଡ କହିଛନ୍ତି ।

ଓଡିଶା ଡଟ କାମ

Exit mobile version