• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୃଷ୍ଣଲୀଳା:ନୂଆ ଆବିଷ୍କାର ନା ପୁରୁଣାର ଅନୁକରଣ !(ରୋକ୍ ଠୋକ୍)

June 23, 2015 by News Bureau Leave a Comment

କେଦାର ମିଶ୍ର

ଫଟୋ : ଅରବିନ୍ଦ ମହାପାତ୍ର

କୃଷ୍ଣଲୀଳା ଓଡ଼ିଶୀ ରଚନାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶହ ଶହ ବର୍ଷ ଧରି ଓଡ଼ିଶୀ ନୃତ୍ୟ ପରମ୍ପରାରେ କୃଷ୍ଣଙ୍କର ବିବିଧ ଲୀଳାକୁ ପ୍ରଦର୍ଶିତ କରାଯାଇ ଆସୁଛି ।

ପ୍ରାଚୀନ ପରମ୍ପରାଠୁ ଆରମ୍ଭ କରି ଓଡ଼ିଶୀର ନବନିର୍ମାଣ ପ୍ରକ୍ରିୟାରେ କୃଷ୍ଣଲୀଳାର ଶହଶହ କମନୀୟ ନୃତ୍ୟ ଛନ୍ଦ ଆମେ ଦେଖି ଆସିଛୁ । ତେଣୁ ଓଡ଼ିଶୀର ଓଡ଼ିଆ ଦର୍ଶକ ଭାବରେ ଆମ ପାଇଁ କୃଷ୍ଣଲୀଳା ଆମ ରକ୍ତର ଅଂଶ ।

ramli 1 ramliସେହି କ୍ରମରେ ଯେତେବେଳେ ଜଣେ ବିଦେଶୀ ନୃତ୍ୟଗୁରୁ ଓ ନର୍ତ୍ତକ କୃଷ୍ଣଲୀଳାର ନବଆବିଷ୍କାର କଥା କହନ୍ତି ସେଠି ଆମେ ଟିକେ ଚକିତ ହେବାକୁ ବାଧ୍ୟ । ମାଲେସିଆର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍‍ଲୀ ଇବ୍ରାହିମ୍‍  ତାଙ୍କର ନୂଆ ନୃତ୍ୟ ରଚନା “କୃଷ୍ଣପ୍ରେମ : ଏକ ନୂଆ ଆବିଷ୍କାର” ମାଧ୍ୟମରେ ଏବେ ପୃଥିବୀର ବିଭିନ୍ନ ସହରରେ ନିଜ ନୃତ୍ୟ ପରିବେଷଣ କରୁଛନ୍ତି ।

ରାମ୍‍ଲୀ ଇବ୍ରାହିମ୍‍ଙ୍କ ସହ ଓଡ଼ିଶୀର ସମ୍ପର୍କ ଯେତିକି ପୁରୁଣା ଓଡ଼ିଶୀକୁ ନେଇ ତାଙ୍କର ଅଣପାରମ୍ପରିକ ଦୃଷ୍ଟିଭଙ୍ଗୀ ମଧ୍ୟ ସେତିକି ବିବଦମାନ । ରାମ୍‍ଲୀ ଓଡ଼ିଶାର ସବୁଠୁ ପୁରୁଣା ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ଶିଷ୍ୟ ।

ପରବର୍ତ୍ତୀ ସମୟରେ ସେ ଗୁରୁ ଦେବପ୍ରସାଦଙ୍କ ଦୁଇ ପ୍ରମୁଖ ଶିଷ୍ୟ ଗୁରୁ ଦୁର୍ଗାଚରଣ ରଣବୀର୍‍ ଓ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ଅନ୍ୟ ସମୟରେ କେବେ କେବେ ତାଙ୍କ ଛାତ୍ରମାନେ ଗୁରୁ ମୀରା ଦାସଙ୍କ ସମେତ ଅନ୍ୟ ଗୁରୁମାନଙ୍କଠାରୁ ମଧ୍ୟ ନୃତ୍ୟଶିକ୍ଷା ଗ୍ରହଣ କରନ୍ତି ।

ମୋଟାମୋଟି କୌଣସି ନିର୍ଦ୍ଧିଷ୍ଟ ଓଡ଼ିଶୀ ଧାରା ଅପେକ୍ଷା ବହୁ ମିଶ୍ର ଧାରାର ସମନ୍ୱୟ ତାଙ୍କ ସୂତ୍ର ଥିଏଟରରେ ଘଟିଛି । ଏହା ଅଣପାରମ୍ପରିକ ହେଲେ ମଧ୍ୟ ସୃଜନଶୀଳତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଗୋଟିଏ ଶୈଳୀରେ ଆବଦ୍ଧ ନ ହୋଇ ବହୁ ଶୈଳୀର ସମ୍ମିଶ୍ରଣ ଘଟାଇ ରାମ୍‍ଲୀ ଏକ ନିଜସ୍ୱ ଧାରା ପ୍ରୟୋଗ କରିବାର ଚେଷ୍ଟା କରିଥା’ନ୍ତି । ସେଥିରେ ସେ କେତେ ସଫଳ ଏହା ଅବଶ୍ୟ ଏକ ପ୍ରଶ୍ନବାଚୀ !

ଗତ ୨୦ ତାରିଖ ଦିନ ରବୀନ୍ଦ୍ରମଣ୍ଡପରେ ରାମ୍‍ଲୀଙ୍କର ନୂଆ ସଂରଚନା ଦେଖିବାକୁ ମିଳିଲା । ରାମ୍‍ଲୀଙ୍କର ଏକ ନିଜସ୍ୱ ପରିବେଷଣ ଶୈଳୀ ରହିଛି । ତାଙ୍କର ଲାଇଟ୍‍ ଡିଜାଇନର୍‍ ଶିବ ନଟରାଜନ୍‍ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଲାଇଟ୍‍ ଡିଜାଇନର୍‍ ଭାବରେ ବିବେଚିତ । ଶିବାଙ୍କ ଆଲୋକ୍‍ ସମ୍ପାଦନାରେ ଯାଦୁକରୀ ରହିଛି । ଏହା ରାମ୍‍ଲୀଙ୍କ ସଂରଚନାକୁ ଗୋଟେ ନୂଆ ପ୍ରଭାବ ଦେଇଥାଏ ।

ଶିବାଙ୍କ ଯାଦୁକରୀ ଛାଇ ଆଲୁଅର ଖେଳ ସହିତ ମଞ୍ଚସଜ୍ଜା ଅତ୍ୟନ୍ତ ଚମକ୍ରାର । ତେବେ ରାମ୍‍ଲୀ ଯାହାକୁ ନୂଆ ଆବିଷ୍କାର ବୋଲି କହିଛନ୍ତି, ସେ ଆବିଷ୍କାର କେତେ ନୂଆ, ତାହାର ବିବେଚନା କରାଯାଇପାରେ । ରାମ୍‍ଲୀ ତାଙ୍କର ଘଣ୍ଟାଏରୁ ଟିକିଏ ଅଧିକ ସମୟ ଧରି ପରିକଳ୍ପିତ ନୃତ୍ୟରେ ନୂଆ କୌଣସି ସଂରଚନା ନେଇ ନାହାନ୍ତି ।

ଦେବପ୍ରସାଦ ଦାସଙ୍କ ସଂରଚନାରୁ ସ୍ଥାୟୀ, କୃଷ୍ଣତାଣ୍ଡବ, ବଜ୍ରକାନ୍ତିପଲ୍ଲବୀ ଓ ମୋକ୍ଷ ଅଙ୍ଗ ନେଇଥିବାବେଳେ ଅଭିନୟରୁ ମୋହନ ଦେଲି ଚାହିଁ, ଆଗୋ ପ୍ରିୟ ସହି…. ତଥା କେଳୁଚରଣ ମହାପାତ୍ରଙ୍କ ରଚନାରୁ ନାଚନ୍ତି ରଙ୍ଗେ ଶ୍ରୀହରି… ଗୀତ ଦୁଇଟିକୁ ନେଇଛନ୍ତି । ସବୁଗୁଡ଼ିକ ପ୍ରାଚୀନ ନୃତ୍ୟ ରଚନା ।

ramliramli 2 ramli 3

 

ନାଚନ୍ତି ରଙ୍ଗେ ଶ୍ରୀହରିରେ… କେଳୁଚରଣ ମହାପାତ୍ରଙ୍କ ମୂଳ ବୋଲ୍‍ ସମେତ ଘନଶ୍ୟାମ ପଣ୍ଡାଙ୍କ ଗୀତକୁ ନିଆଯାଇଛି । ଏଥିରେ ନୂଆ ପଣ କ’ଣ ? ପୁରୁଣା ଗୁରୁଙ୍କ କ୍ଲାସିକ୍‍ ପର୍ଯ୍ୟାୟର ରଚନାକୁ ଭିଡ଼ାମୋଡ଼ା କରି ନିଜ ଛାଇରେ ପକାଇବା ପାଇଁ ଏହା ଏକ ଅପପ୍ରୟାସ ମାତ୍ର । ରାମ୍‍ଲୀଙ୍କ ନିଜସ୍ୱ ନୃତ୍ୟଶୈଳୀରେ ଓଡ଼ିଶୀର ଛଟା ଖୁବ୍‍ ବେଶୀ ନଥାଏ । ତାଙ୍କର ନୃତ୍ୟଶୈଳୀ ଏକପ୍ରକାର ମିଶ୍ର ଶୈଳୀ ।

ସେଠି କିଛିକାଂଶରେ ଭରତନାଟ୍ୟମ୍‍, ବାଲେ ଓ ସୁଫିଆନା ଶୈଳୀର ମିଶ୍ରଣ ଘଟିଥାଏ । ତେଣୁ ଓଡ଼ିଶୀର ମୌଳିକ ଗତି, ଭଙ୍ଗୀ, ଲାସ୍ୟ, ଛଟା ଓ ଅଭିନୟ ଖୋଜିଲେ ସେଠି ନିରାଶ ହେବାକୁ ପଡ଼େ । କୃଷ୍ଣପ୍ରେମ ଭଳି ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟର ଭାବକୁ ବ୍ୟକ୍ତ କଲାବେଳେ ରାମ୍‍ଲୀ ମୁଖାଭିନୟ ତୁଳନାରେ ଶାରୀରିକ ଗତିକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

ଗୋଟିପୁଅ ନୃତ୍ୟର ବନ୍ଧ ସହିତ ବାଲେର ମିଶ୍ରଣ ଘଟାଇ ନୃତ୍ୟକୁ ଏକପ୍ରକାର ବ୍ୟାୟାମର ସ୍ଥିତିରେ ପହଞ୍ଚାଇବା ଉଦ୍ୟମ ତାଙ୍କର ରହିଛି । ତେବେ ବ୍ୟାୟାମ୍‍ ମାଧ୍ୟମରେ ଅଭିନୟର ଅଭିବ୍ୟକ୍ତି ପ୍ରକାଶିତ ହୋଇପାରେ ନାହିଁ । ଦର୍ଶକ ଗତି ସଂଚାରକୁ ଦେଖି ହୁଏତ ତାଳି ମାରିବେ, ତେବେ ଏଥିରେ ଅଭିଭୂତ ହେବାର କିଛି ନାହିଁ ।

ରାମ୍‍ଲୀଙ୍କ ନୃତ୍ୟସଂରଚନାରେ ଶୃଙ୍ଖଳା ରହିଛି, ଆଗମନ ଓ ପ୍ରସ୍ଥାନରେ ସୌନ୍ଦର୍ଯ୍ୟ ଅଛି, ଆଲୋକ ସମ୍ପାତ୍‍ରେ କୁହୁକ ଅଛି, ସେଟ୍‍ ଡିଜାଇନ୍‍ରେ ନୂଆପଣ ଅଛି – ହେଲେ ତାଙ୍କ ନୃତ୍ୟସଂରଚନାରେ କୌଣସି ନୂତନତ୍ୱ ନାହିଁ । ନୃତ୍ୟର ବୌଦ୍ଧିକ ପରିକଳ୍ପନା ଓ ନୃତ୍ୟର ଗତିରେ କୌଣସି ଭାବ ଉଦ୍ରେକକାରୀ ଗୁଣ ନାହିଁ ।

ଅନେକ ସମୟରେ ସମାନ ପଦପାତ, ମୁଦ୍ରା ଓ ଭଙ୍ଗୀ ବିରକ୍ତିଜନକ ମନେ ହେବ । ବିଶେଷକରି ହସ୍ତଚାଳନା ଓ ପଦଚାଳନାରେ ରାମ୍‍ଲୀଙ୍କ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଦୁର୍ବଳ । ତାଙ୍କର ଗତିରେ ଗୋଟେ ପ୍ରକାର ଚାଲାକି ଅଛି । ଯେଉଁ ଚାଲାକିରେ ତାଳ କଟିବାର ଦୁର୍ବଳତାକୁ ସହଜରେ ଏଡେଇ ଯାଇ ହେବ ।

ମୋଟାମୋଟି ରାମ୍‍ଲୀଙ୍କ ଏହି ନୂଆ ସଂରଚନା ପୁରୁଣାର ଅବିକଳ ନକଲ ମାତ୍ର । ଆମେ ଆଶା କରୁଛୁ ରାମ୍‍ଲୀ ତାଙ୍କ ନିଜସ୍ୱ ସଂରଚନା କେବେ ଥରେ ପ୍ରସ୍ତୁତ କରିବେ ନିଶ୍ଚୟ ।

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ ନୃତ୍ୟଗୁରୁ ଭାବରେ ଗ୍ରହଣ କରିହେବ ନାହିଁ ।

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଓଡିଶୀ, ନୃତ୍ୟ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version