Site icon Odisha.com

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’ ବିରୋଧରେ ଗୁରୁବାର ଭିଏଚପିର ଧାରଣା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୩ ଜୁନ (ଓଡିଶା ଡଟ୍ କମ୍): ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ନବକଳେବର ଯାତ୍ରାକୁ ନେଇ, ଦାରୁ ଚିହ୍ନଟଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଯେଉଁସବୁ ବିଭ୍ରାଟ ସୃଷ୍ଟି ହୋଇଛି ସେଥିପାଇଁ ଗଭୀର ଉଦବେଗ ପ୍ରକାଶ କରିବା ସହ ଜୁନ ୨୫ରେ ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାର ଆୟୋଜନ କରିବାକୁ ଯାଉଥିବା ବିଶ୍ୱ ହିନ୍ଦୁ ପରିଷଦ ମଙ୍ଗଳବାର କହିଛି ।

ଏ ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଦେଇଥିବା ବିବୃତିକୁ ମଧ୍ୟ ସଂଗଠନ ପୂର୍ଣ୍ଣ ସମର୍ଥନ ଜଣାଇଛି ।

ଆଜି ପର୍ଯ୍ୟନ୍ତ ଘଟିଥିବା ଘଟଣାକ୍ରମ, ଗଣମାଧ୍ୟମ ଓ ଶ୍ରୀମନ୍ଦିର ସହିତ ଜଡିତ ବ୍ୟକ୍ତିବିଶେଷଙ୍କର ବିବୃତିକୁ ଅନୁଧ୍ୟାନ କରି ବିଶ୍ୱ ହିନ୍ଦୁ ପରିଷଦ ଏଭଳି ବିଭ୍ରାଟ ପାଇଁ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲି ମନୋଭାବ, ଚରମ ଅବହେଳା ଓ ଅପାରଗତାରୁ ଏଭଳି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରି ଏହାର ଦୃଢ ନିନ୍ଦା କରିଛି ।

ହଜାର ହଜାର ବର୍ଷର ପରମ୍ପରା, ବିଶ୍ୱାସ, ଆସ୍ଥା ଏବଂ ସଂସ୍କୃତି ପ୍ରତି ଏହା ଏକ ଘୋର ଅପମାନ । ବିଶ୍ୱର ସମଗ୍ର ହିନ୍ଦୁ ସମାଜ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ଆବେଗ ଓ ବିଶ୍ୱାସ ଉପରେ ଏହି ବିଭ୍ରାଟ ଏକ ଶକ୍ତ କୁଠାରଘାତ । ଏହି ଘଟଣା ଯେତିକି ମାତ୍ରାରେ ହିନ୍ଦୁ ସମାଜକୁ ଲଜ୍ଜିତ କରିଛି ତାଠାରୁ ଅଧିକ ଓଡିଶାବାସୀଙ୍କୁ ବିଶ୍ୱ ଦରବାରରେ ଅପମାନିତ କରିଛି ବୋଲି ସଂଗଠନ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛି ।

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପ୍ରତି ଜିଳ୍ଲାର ସଦର ମହକୁମାରେ ଆସନ୍ତା ଜୁନ ୨୫ ତାରିଖ ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧ ଘଟିକା ପ୍ରତୀକ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭାମାନ ଅନୁଷ୍ଠିତ ହେବ ବୋଲି ପରିଷଦ କହିଛି । ଏହି ଦିନ ଭୁବନେଶ୍ୱରର ରାଜଭବନ ସମ୍ମୁଖରେ ମଧ୍ୟ ଧାରଣା ଅନୁଷ୍ଠିତ ହେବ ।

ଏହି ବିଭ୍ରାଟକୁ ନିନ୍ଦା କରିବା ସହିତ ଭବିଷ୍ୟତରେ ଏହାର ଯେପରି ପୁର୍ନରାବୃର୍ତ୍ତି ନହୁଏ ଏଥିପାଇଁ ରାଜ୍ୟପାଳ ମହୋଦୟଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ଦିଆଯିବ । ବିଶ୍ୱ ହିନ୍ଦୁପରିଷଦର ଏହି ଧାରଣା ଓ ପ୍ରତିବାଦକୁ ବିଭିନ୍ନ ରାଷ୍ଟ୍ରବାଦୀ ସଂଗଠନମାନେ ସମର୍ଥନ ଜଣାଇଛିନ୍ତି ।

ଓଡିଶାର ଜଗନ୍ନାଥ ପ୍ରେମୀ ଜନ ସାଧାରଣ ବିଶ୍ୱହିନ୍ଦୁ ପରିଷଦର ଏହି ପ୍ରତିବାଦ ସଭାରେ ବିପୁଳ ସଂଖ୍ୟାରେ ଯୋଗଦେଇ ସମର୍ଥନ ଜଣାଇବା ପାଇଁ ପରିଷଦର ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଶ୍ରୀ ରଘୁନାଥ ପତି ଓ ପ୍ରବକ୍ତା ପ୍ରମୋଦ କୁମାର ଦାସ ନିବେଦନ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version