Site icon Odisha.com

ସାମାଜିକ ଗଣମାଧ୍ୟମର ପ୍ରୟୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୩ ଜୁନ (ଓଡିଶା ଡଟ୍ କମ୍): ବର୍ତ୍ତମାନ ସମୟର ଗଣମାଧ୍ୟମକୁ ଆଖିରେ ରଖି ଯୋଗାଯୋଗ ବ୍ୟବସ୍ଥାରେ ସାମାଜିକ ଗଣମାଧ୍ୟମର ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ଅଧିକାରୀ ମାନଙ୍କୁ ମଙ୍ଗଳବାର ପରାମର୍ଶ ଦେଇଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଗଣମାଧ୍ୟମ ପାଇଁ ନୂତନ ବିଜ୍ଞାପନ ନୀତି କାର୍ଯ୍ୟକାରୀ ଉପରେ ମଧ୍ୟ ସେ ଗୁରୁତ୍ଵ ଆରୋପ କରିଛନ୍ତି । ଗଣମାଧ୍ୟମ ପାଇଁ ନୂଆ ବିଜ୍ଞାପନ ପଲିସି ତିଆରି କରାଯିବା ସହିତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସାମ୍ବାଦିକ ମାନଙ୍କୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ସାମ୍ବାଦିକ ମାନଙ୍କ ଆବେଦନ ଅନୁମୋଦନ ପ୍ରକ୍ରିୟାକୁ ଅନଲାଇନ ମାଧ୍ୟମରେ କରିବାକୁ ସେ ନିର୍ଦ୍ଦେଶ ଦେଇ ଦୁଇ ମାସ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ।

ସେହିପରି ସୂଚନା ଅଧିକାର ଆଇନରେ ଆବେଦନଠାରୁ ଆରମ୍ଭ କରି ଫଇସଲା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅନଲାଇନରେ କରିବା ସହ ମୋବାଇଲ ମେସେଜ ଜରିଆରେ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସୂଚନା ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ସ୍ଵାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ମଧୁସୂଦନ ପାଢୀ, ନିର୍ଦ୍ଦେଶକ ଶ୍ରୀ ସୁଶୀଲ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

Exit mobile version