Site icon Odisha.com

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ବ୍ୟାପକ ହେଲା ପ୍ରତିବାଦ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୫ ଜୁନ (ଓଡିଶା ଡଟ୍ କମ୍) ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବ୍ରହ୍ମପରିବର୍ତ୍ତନ ନୀତିରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଗୁରୁବାର ରାଜ୍ୟବ୍ୟାପୀ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରିଛି ।

ପ୍ରତି ଜିଳ୍ଲାର ସଦର ମହକୁମାରେ ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭିଏଚପିର କାର୍ଯ୍ୟ କର୍ତ୍ତା ମାନେ ରାଲି , ପ୍ରତିବାଦ ଶୋଭାଯାତ୍ରା ଓ ସଭା ମାନଙ୍କର ଆୟୋଜନ କରିଥିଲେ । ଭୁବନେଶ୍ଵରରେ ମଧ୍ୟ ପରିଷଦ ଏକ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରିଥିଲା।

ଭିଏଚପିର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶିବ ପ୍ରସାଦ ରାଜୁଙ୍କ ନେତୃତ୍ୱରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ସ୍ୱାମୀ ପ୍ରାଣରୂପାନନ୍ଦ ସରସ୍ୱତୀ,ସମୀର ମହାନ୍ତି, ଇଂ ପ୍ରଫୁଲ ମିଶ୍ର, ପ୍ରମୋଦ ଦାଶଙ୍କ ସମେତ ଏକ ଛଅ ଜଣିଆ ପ୍ରତିନିଧି ମଣ୍ଡଳ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ସେମାନେ ଏହି ବିଭ୍ରାଟ ଘଟଣାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିବା ସହ ସେବାୟତମାନଙ୍କର ପ୍ରଭାବରେ ପରିଚାଳିତ ନ ହୋଇ ପୂଜ୍ୟ ଜଗଦଗୁରୁ ଶଂକରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ଚାଲିବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ ।

ପ୍ରତିବାଦ ସଭାରେ ସ୍ୱାମୀ ଶ୍ରୀରାମ ପ୍ରସନ୍ନ ଦାସ ମହାରାଜ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, ସ୍ୱାମୀ ଭାସ୍କରତୀର୍ଥ, ସ୍ୱାଧୀ ଗୀତାଦେବୀ, ଡା. ବସନ୍ତ କୁମାର ପତି, ତନ୍ମୟ ମହାପାତ୍ର, ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଲକ୍ଷ୍ମୀକାନ୍ତ ଦାଶ,ଜୟକୃଷ୍ଣ ପୃଷ୍ଠି, କୈଳାସ ଜେନା,ସମୀର ମହାନ୍ତି,ଡ.ପ୍ରଫୁଲ କୁମାର ରଥ, ଗୁରୁ ଚରଣ ଜେନା ଯୋଗଦେଇ ଏହି ବିଭ୍ରାଟକୁ ନିନ୍ଦା କରିବା ସହିତ ଭବିଷ୍ୟତରେ ଏହାର ଯେପରି ପୁର୍ନରାବୃର୍ତ୍ତି ନହୁଏ ସେଥିପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ ।

ସେମାନଙ୍କ ମତରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ଆବେଗ ଓ ବିଶ୍ୱାସ ଉପରେ ଏହି ବିଭ୍ରାଟ ଏକ ଶକ୍ତ କୁଠାରଘାତ । ଏହି ଘଟଣା ଯେତିକି ମାତ୍ରାରେ ହିନ୍ଦୁ ସମାଜକୁ ଲଜ୍ଜିତ କରାଇଛି ତାଠାରୁ ଅଧିକ ମାତ୍ରାରେ ବିଶ୍ୱ ଦରବାରରେ ଓଡିଶାବାସୀଙ୍କୁ ଅପମାନିତ କରିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବିଭ୍ରାଟକୁ ବିରୋଧ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଶୁକ୍ରବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ଜୁନ ୩୦ରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭାର ଆୟୋଜନ କରିବ ବୋଲି କହିଛି ।

ଅନ୍ୟ ପକ୍ଷରେ ବ୍ରହ୍ମ ପରିବର୍ତ୍ତନରେ କୌଣସି ବିଶୃଙ୍ଖଳା ହୋଇନ ଥିବା ଦର୍ଶାଇ ଶ୍ରୀଜିଉମାନଙ୍କ ତିନି ବାଡ଼ଗ୍ରାହୀ ଏହାକୁ ଭୁଲିଯିବା ପାଇଁ ଅନୁରୋଧ କରିଛନ୍ତି। ଅଯଥାରେ ଏହାକୁ ନେଇ ରାଜନୀତି କର ନଯାଉ ବୋଲି ସେମାନେ କହିଛନ୍ତି।

ଓଡିଶା ଡଟ୍ କମ୍

Exit mobile version