• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ତୃତୀୟ ନୟନ: ମୋ ଦୃଷ୍ଟିରେ ବ୍ରହ୍ମ ବିଭ୍ରାଟ, ଦଇତାପତି ଓ ସରକାର

June 26, 2015 by News Bureau Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ୨୦୧୫ ମସିହା ଜୁନ୍‍ ୧୬ ତାରିଖ ଦିନ ବିଶ୍ୱର ହିନ୍ଦୁମାନଙ୍କ ବହୁ ଆକାଂକ୍ଷିତ ଶ୍ରୀମନ୍ଦିରର ଚତୁର୍ଦ୍ଧାମୂରତିଙ୍କର ବ୍ରହ୍ମ ପରିବର୍ତ୍ତନର ଶୁଭ ମୁହୂତ୍ତ୍ୱକୁ କେବଳ ହିନ୍ଦୁମାନେ ନୁହଁନ୍ତି, ବିଭିନ୍ନ ଧର୍ମାବଲମ୍ବୀମାନେ ଆଗ୍ରହର ସହ ଅପେକ୍ଷା କରିଥିବା ସମୟରେ ଶ୍ରୀମନ୍ଦିରରେ ଯେଭଳି ବିଭ୍ରାଟ ଘଟିଲା, ତାହା ପ୍ରତ୍ୟେକ ହିନ୍ଦୁଙ୍କ ଭାବପ୍ରବଣତାକୁ ଦୋହଲାଇ ଦେଇଛି ।

Prasanta-Closeupନବକଳେବର ଉତ୍ସବ ପାଇଁ କେବଳ ରାଜ୍ୟସରକାର ନୁହଁନ୍ତି, କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରି ଆଗାମୀ ରଥଯାତ୍ରା ଉତ୍ସବ ପାଇଁ ପ୍ରାୟ ୪୦ ଲକ୍ଷରୁ ଉଦ୍ଧ୍ୱର୍ ଜନସମାଗମର ଆଶା ରଖିଛନ୍ତି ।

ଚଳିତ ବର୍ଷର ନବକଳେବର ପାଇଁ ବନଜାଗ ଯାତ୍ରାଠାରୁ ଆରମ୍ଭ କରି ଦାରୁ ଚିହ୍ନଟ, ଶବରପଲ୍ଲୀ, ଦଇତା ଏବଂ ବିଭିନ୍ନ ସମ୍ପ୍ରଦାୟର ସେବକମାନଙ୍କ କାର୍ଯ୍ୟକଳାପର ଟିକିନିଖି ବିବରଣୀ ପ୍ରାୟତଃ ଗଣମାଧ୍ୟମରେ ପ୍ରକାଶ ପାଇ ଜନସାଧାରଣଙ୍କ ଉତ୍କଣ୍ଠାକୁ ବହୁ ପରିମାଣରେ ବଢାଇ ଦେଇଥିଲା ।

୧୯ବର୍ଷ ପୂର୍ବେ ବୈଦୁତିକ ଗଣମାଧ୍ୟମ ବିଶେଷ ଭାବରେ ପ୍ରସାରିତ ହୋଇନଥିବାରୁ ଦେଶବାସୀ ମୁଦ୍ରିତ ଗଣମାଧ୍ୟମ ଜରିଆରେ ନବକଳେବର ସମ୍ପର୍କିତ ବିଭିନ୍ନ ରୀତିନୀତି ଏବଂ କାର୍ଯ୍ୟକ୍ରମର ସୂଚନା ପାଉଥିଲେ ।

ସମ୍ପ୍ରତି ଆମ ରାଜ୍ୟରେ ବୈଦୁତିକ ଗଣମାଧ୍ୟମର ପ୍ରସାର ସାଙ୍ଗକୁ ମୁଦ୍ରିତ ଗଣମାଧ୍ୟମର ବହୁଳ ପ୍ରସାର ଏବଂ ଇଣ୍ଟରନେଟ୍‍ ଜରିଆରେ ପ୍ରସାରିତ ସମ୍ବାଦ ନିମିଷକ ମଧ୍ୟରେ ବିଶ୍ୱବ୍ୟାପି ପହଞ୍ଚି ପାରୁଥିବାରୁ ନବକଳେବର ସମ୍ପର୍କରେ ଜାଣିବା ଲାଗି ବ୍ୟାପକ ଆଗ୍ରହ ସୃଷ୍ଟି ହୋଇଥିଲା ଏବଂ କୋଟି କୋଟି ସଂଖ୍ୟକ ଶ୍ରଦ୍ଧାଳୁ ଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ ।

ପରମ୍ପରା ଅନୁଯାୟୀ ନବକଳେବର ସମ୍ପର୍କରେ ରହିଆସିଥିବା ‘ଗୁପ୍ତସେବା’ ସର୍ବସାଧାରଣରେ ପ୍ରକଟିତ ହେବା ନିଷେଧ ହୋଇଥିଲେ ମଧ୍ୟ ବନଜାଗ ଯାତ୍ରାଠାରୁ ଆରମ୍ଭ କରି କୌଣସି ପ୍ରକ୍ରିୟା ଗୋପନ ରହିନଥିଲା ।

ନବକଳେବର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଦଇତାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଯେଉଁ ସୁସ୍ଥ ପରମ୍ପରା ରହିଥିଲା, ଚଳିତ ବର୍ଷ ତାହାର ଘୋର ପରିବର୍ତ୍ତନ ଦେଖାଯାଇଥିଲା ।

ମୋବାଇଲ୍‍ ଫୋନ୍‍ର ବ୍ୟାପକ ବ୍ୟବହାର ଯୋଗୁଁ ବନଜାଗଯାତ୍ରା, ଦାରୁ ଚୟନ, ଦାରୁ ଛେଦନ, ଶଗଡ଼ିରେ କୋଇଲି ବୈକୁଣ୍ଠକୁ ବିଗ୍ରହ ନିର୍ମାଣ ପାଇଁ ବ୍ରହ୍ମଦାରୁମାନଙ୍କର ଯାତ୍ରା ସବୁକିଛି ଅଯାଚିତ ଭାବରେ ଗଣମାଧ୍ୟମ ଏବଂ ଫେସ୍‍ବୁକ୍‍ ଭଳି ସୋସିଆଲ୍‍ ମିଡ଼ିଆ ନିକଟରେ ପହଞ୍ଚି ବ୍ୟାପକ ଭାବରେ ପ୍ରଚାରିତ ହେଲା ।

ଶ୍ରୀମନ୍ଦିରର ପ୍ରଶାସକଙ୍କ ବିନା ଅନୁମତିରେ ନବକଳେବର ସମ୍ପର୍କିତ କୌଣସି ସମ୍ବାଦ ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ଓ ପ୍ରସାରିତ କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ନିଷ୍ପତ୍ତି ହୋଇଥିବାରୁ ଏବଂ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ଧିଷ୍ଟ ହୋଇଥିବାରୁ କୌଣସି ଗଣମାଧ୍ୟମ ଏଥିରେ ସହଯୋଗ କରିନଥିଲେ ।

ଅପରନ୍ତୁ ନିଜ ନିଜର ଜନପ୍ରିୟତା ଜାହିର୍‍ କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିଯୋଗିତା ଯୋଗୁଁ ଅଧିକାଂଶ ଗଣମାଧ୍ୟମ ନିଜ ନିଜର ସୀମା ସରହଦ ଉଲ୍ଲଂଘନ କରିବା ପାଇଁ ପଶ୍ଚାତପଦ୍‍ ହୋଇନଥିଲେ ।

ଇତିମଧ୍ୟରେ ବିଭିନ୍ନ ସମୟରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କ ଅଯାଚିତ ମନ୍ତବ୍ୟମାନ ନବକଳେବର ସମ୍ପର୍କିତ ରୀତିନୀତି ଓ କାର୍ଯ୍ୟକ୍ରମକୁ ନେଇ ଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲା ।

ଏଭଳି ଅଭାବନୀୟ ପରିସ୍ଥିତି ସାଙ୍ଗକୁ ନିଜର ପ୍ରାଧାନ୍ୟ ଓ ପ୍ରତିପତ୍ତି ପ୍ରମାଣିତ କରିବା ଲାଗି ଦଇତାପତିମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଜଗନ୍ନାଥ ଧର୍ମ ଓ ପରମ୍ପରାରେ ଦୃଢ ବିଶ୍ୱାସ କରୁଥିବା ଅଜସ୍ର ହିନ୍ଦୁଙ୍କ ଭାବାବେଗକୁ ଆହତ କରିଥିଲା ।

ଦାରୁ ଚିହ୍ନଟ ପ୍ରକ୍ରିୟାଠୁ ଆରମ୍ଭ କରି ଶବରପଲ୍ଲୀରେ ରାତ୍ରିଯାପନ ଓ ବିଗ୍ରହ ନିର୍ମାଣ ସଂପର୍କିତ ନୈଷ୍ଠିକ ପରମ୍ପରାରେ ଘଟିଯାଇଥିବା ବ୍ୟତିକ୍ରମ ସମ୍ପର୍କିତ କୌଣସି ସମ୍ବାଦ ଗୋପନୀୟ ହୋଇ ରହିନଥିଲା ।

ନବକଳେବର ଓ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୁରୀର ବରିଷ୍ଠ ବିଧାୟକ ତଥା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ମହେଶ୍ୱର ମହାନ୍ତିଙ୍କୁ ରାଜ୍ୟସରକାର କ୍ୟାବିନେଟ୍‍ ପାହ୍ୟାରେ ଅବସ୍ଥାପିତ କରିଥିଲେ ।

ଦେବତ୍ତର ବିଭାଗର ଯୁବ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ନବକଳେବର ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦିତ କରିବା ଲାଗି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀ ସାହୁ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଏକାଧିକବାର ପୁରୀଯାତ୍ରା କରିଥିଲେ ମଧ୍ୟ ନବକଳେବର ସମ୍ପର୍କିତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ସହ ଆବଶ୍ୟକୀୟ ଯୋଗସୂତ୍ର ସ୍ଥାପନ କରି ସମୀକ୍ଷା କରିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ ବୋଲି ଅଭିଯୋଗ ହୋଇଥିଲା ।

ମନ୍ତ୍ରୀ ଶ୍ରୀ ସାହୁ ନବକଳେବର ଓ ରଥଯାତ୍ରା ସମ୍ପର୍କରେ ଆଗ୍ରହ ପ୍ରକାଶ କରିବା ପରିବର୍ତ୍ତେ ଦଳୀୟ ରାଜନୀତିରେ ଲିପ୍ତ ରହୁଥିଲେ ବୋଲି ଯେଉଁ ଅଭିଯୋଗ ହେଉଥିଲା, ବ୍ରହ୍ମ ପରିବର୍ତ୍ତନ ସମ୍ପର୍କିତ ଘୋର ବିଶୃଙ୍ଖଳାରୁ ତା’ର ସତ୍ୟତା ଯେ ଅନେକ ପରିମାଣରେ ପ୍ରମାଣିତ ହୋଇଛି, ଏହା ନିଃସନ୍ଦେହରେ କୁହାଯାଇପାରେ ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ସମ୍ବାଦ ଅନୁଯାୟୀ ଏବଂ ଦଇତାପତି ଓ ଅନ୍ୟାନ୍ୟ ସେବକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନାନ୍ତର, ମତାନ୍ତର ତଥା ଗଜପତି ମହାରାଜ ଓ ମୁଖ୍ୟ ପ୍ରଶାସକଙ୍କ ସୂତ୍ରରୁ ପ୍ରଘଟିତ ଅଭିଯୋଗମାନ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇତିମଧ୍ୟରେ ମନ୍ଦିର ପ୍ରଶାସନ ବ୍ରହ୍ମ ବିଭ୍ରାଟର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବରିଷ୍ଠ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଏବଂ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ରଙ୍କୁ ଦଇତା ସେବାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ମନ୍ଦିର ପ୍ରଶାସନର ଏହି ପଦକ୍ଷେପକୁ ମାନିବାପାଇଁ ଜୟକୃଷ୍ଣ ଓ କାଶୀନାଥ ବାଧ୍ୟ ନୁହଁନ୍ତି ଏବଂ ପ୍ରଭୁଙ୍କ ସେବାରୁ ସେମାନଙ୍କୁ ବଞ୍ଚିତ କରିବାର ଅଧିକାର କାହାରି ନାହିଁ ବୋଲି ସେମାନେ ଦାବି କରିଛନ୍ତି ।

ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ବ୍ରହ୍ମ ପରିବର୍ତ୍ତନ ସମୟରେ ପୂର୍ବରୁ ଜଣେ ବୟୋଜ୍ୟେଷ୍ଠ ଦଇତାପତି ଏହି କାର୍ଯ୍ୟ ସମାପନ କରୁଥିଲେ ପରବର୍ତ୍ତୀ କାଳରେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ତ୍ତନ ନିମନ୍ତେ ଚାରିଜଣ ଦଇତାପତିଙ୍କୁ ଦାୟିତ୍ୱ ଦିଆଯାଉଥିଲା ।

ମାତ୍ର ଚଳିତବର୍ଷ ବ୍ରହ୍ମ ପରିବର୍ତ୍ତନ ସମୟରେ ଶତାଧିକ ଦଇତାପତି ବ୍ରହ୍ମ ପରିବର୍ତ୍ତନସ୍ଥଳରେ ଉପସ୍ଥିତ ରହି ନିଜ ନିଜର ପତିଆରା ଦେଖାଇବା ପାଇଁ ବିଭ୍ରାଟ ସୃଷ୍ଟି କରିଥିଲେ । ବ୍ରହ୍ମ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତ ଆଲୋକ ନିର୍ବାପିତ ହେବାର ପରମ୍ପରା ଥିବା ସ୍ଥଳେ ଚଳିତ ବର୍ଷର ବ୍ରହ୍ମ ପରିବର୍ତ୍ତନ ସମୟରେ କେତେକ ଦଇତାପତି ମୋବାଇଲ୍‍ ଫୋନ ସହ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବିସ୍ମିତ କରିଛି ।

କେତେକ ଦଇତାପତି ଅର୍ଥ ବା କ୍ଷମତା ଲାଳସାରେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହେଉଥିଲେ ମଧ୍ୟ ଏହି ଗୁରୁତର ବିଭ୍ରାଟ ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଧଶ କରାଯିବା ଅଯୌକ୍ତିକ ହେବ ନାହିଁ ।

କାରଣ ଶ୍ରୀମନ୍ଦିରର ପ୍ରଶାସନ ତଥା ଆଇନ୍‍ ଶୃଙ୍ଖଳା ଦାୟିତ୍ୱ ପ୍ରଶାସକଙ୍କ ଉପରେ ହିଁ ନ୍ୟସ୍ତ ଥାଏ । ବ୍ରହ୍ମ ପରିବର୍ତ୍ତନ ସମୟରେ ସମସ୍ତ ପ୍ରକାର ଶୃଙ୍ଖଳା ଓ ନିରାପତ୍ତା ରକ୍ଷା କରିବା ପାଇଁ ସେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବ୍ରହ୍ମପରିବର୍ତ୍ତନ ଦାୟିତ୍ୱରେ ଥିବା ମାତ୍ର ଚାରିଜଣ ପ୍ରମୁଖ ଦଇତାପତିଙ୍କୁ ପ୍ରବେଶ କରିବାର ଅନୁମତି ଦେବା ଏକାନ୍ତ ବିଧେୟ ଥିଲା ।

ଜଣେ ଉଚ୍ଚପଦସ୍ଥ ପୋଲିସ୍‍ ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯାଇ ଏହି ଚାରିଜଣ ଦଇତାପତିଙ୍କୁ ବ୍ରହ୍ମ ପରିବର୍ତ୍ତନସ୍ଥଳକୁ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିଲେ ସେଠାରେ ଶତାଧିକ ଦଇତାପତିଙ୍କର ସମାଗମ ହେବା ଅଥବା ମୋବାଇଲ୍‍ ଫୋନ୍‍ ସେଠାରେ ପହଞ୍ଚିବା ନିଶ୍ଚିତ ଭାବରେ ଅସମ୍ଭବ ହୋଇ ପଡ଼ିଥା’ନ୍ତା ।

ମାତ୍ର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ କର୍ମଚାରୀମାନେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ନାହିଁ, ତାହାର ପ୍ରକୃତ କାରଣ ଲୋକଲୋଚନକୁ ଆସିବା ଏକାନ୍ତ ଆବଶ୍ୟକ ।

ଘଟିଯାଇଥିବା ବିଶୃଙ୍ଖଳା ପାଇଁ କେବଳ ଦଇତାପତିମାନଙ୍କ ଉପରେ ଦୋଷ ଲଦିବା ପରିବର୍ତ୍ତେ ନବକଳେବର ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ପ୍ରତିଟି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଏଥିପାଇଁ ଦାୟୀ ଥିବା ରାଜନେତା, ପ୍ରଶାସକ, ସେବକ ପ୍ରଭୃତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶାସ୍ତି ନିଆଯାଇପାରିଲେ ଘଟିଯାଇଥିବା ତ୍ରୁଟି ବିଚ୍ୟୁତିର ସଂଶୋଧନ ହେବା ସମ୍ଭବପର ନ ହେଲେ ମଧ୍ୟ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଘଟନ୍ତା ନାହିଁ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସର୍ବଦା ନିଜକୁ ଜଣେ ଧର୍ମନିରପେକ୍ଷ ବ୍ୟକ୍ତି ବୋଲି ଦାବି କରିଆସୁଛନ୍ତି । ନିଜର କ୍ଷମତା ଓ ପ୍ରଶାସନିକ ଶୃଙ୍ଖଳା ପାଇଁ ବିଭିନ୍ନ ସମୟରେ ସେ ଦଳୀୟ ନେତା ଏବଂ ଅମଲାତନ୍ତ୍ରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଲାଗି କଦାପି ପଶ୍ଚାତପଦ୍‍ ହୋଇନାହାଁନ୍ତି ।

ବ୍ରହ୍ମ ପରିବର୍ତ୍ତନରେ ଘଟିଯାଇଥିବା ମହାବିଭ୍ରାଟ ପାଇଁ ଶ୍ରୀ ପଟ୍ଟନାୟକ ରହସ୍ୟମୟ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ଏଥିପାଇଁ ଦାୟୀ ଥିବା ପ୍ରତ୍ୟେକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ସେ ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଆସ୍ଥାଭାଜନ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧ ୮

Filed Under: ତୃତୀୟ ନୟନ, ରାଜନୀତି Tagged With: ନବ କଳେବର, ବ୍ରହ୍ମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version