Site icon Odisha.com

ମାର୍ଚ୍ଚ ୨୦୧୭ରେ ଶେଷ ହେବ ରାଞ୍ଚି-ବିଜୟୱାଡା ରାଜପଥ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୭ ଜୁନ (ଓଡିଶା ଡଟ୍ କମ୍): ଓଡିଶାରେ ଆଦିବାସୀ ଅଞ୍ଚଳର ଅର୍ଥନୈତିକ ବିକାଶ ତଥା ନକ୍ସଲ କାର୍ଯ୍ୟକ୍ରମକୁ ପ୍ରତିହତ କରିବାପାଇଁ ଆରମ୍ଭ କରାଯାଇଥିବା ଗୁରୁତ୍ଵପୂର୍ଣ୍ଣ ରାଞ୍ଚି-ବିଜୟୱାଡା ରାଜପଥ ୨୦୧୭ ମାର୍ଚ୍ଚରେ ସଂପୂର୍ଣ୍ଣ ହେବ ବୋଲି ରାଜ୍ୟ ସରକାର ଶନିବାର କହିଛନ୍ତି ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କରିଥିବା ସମୀକ୍ଷାରୁ ଜଣ ପଡିଛି ଯେ ୧୨୦୫ କିଲୋମିଟର ରାଞ୍ଚି-ବିଜୟୱାଡା ରାଜପଥର ୮୨୦ କିଲୋମିଟର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ବାକି ଥିବା ୩୮୫ କିଲୋମିଟର ମଧ୍ୟରୁ ୧୯୯ କିଲୋମିଟର ରାସ୍ତାର କାର୍ଯ୍ୟ ଚାଲୁରହିଛି ଏବଂ ଆଗାମୀ ମାର୍ଚ୍ଚରେ ଏହା ଶେଷ ହେବ ।

ଅବଶିଷ୍ଟ ୧୮୬ କିଲୋମିଟର ରାସ୍ତା ଜାତୀୟ ରାଜପଥ କର୍ତ୍ତୁପକ୍ଷ ଦ୍ଵାରା ଟେଣ୍ଡର କରାଯାଇଛି ଏବଂ ବର୍ଷା ଦିନ ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ସେହିପରି ୬୫୦ କିଲୋମିଟର ବ୍ୟାପ୍ତ ରାଉରକେଲା-ଜଗଦଲପୁର ବିଜୁ ଏକ୍ସପ୍ରେସ ରାସ୍ତାର ୧୬୬ କିଲୋମିଟର ନିର୍ମାଣ କାର୍ଯ୍ୟ ପିପିପି ମୋଡରେ ଚାଲୁ ରହିଛି ଏବଂ ୧୮୩ କିଲୋମିଟର ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ଦ୍ଵାରା କରାଯାଇଛି।

ଅବଶିଷ୍ଟ ୩୦୭ କିଲୋମିଟର ସୋହେଲା-ନୂଆପଡା ଓ ନୂଆପଡା-ଅମ୍ବପାଣି ରାସ୍ତା କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷ ପରେ ଆରମ୍ଭ କରାଯିବ ଏବଂ ଏହି ସବୁ ରାସ୍ତାରେ ଥିବା ସେତୁ ଗୁଡିକର ନିର୍ମାଣ କାର୍ଯ୍ୟ କେନ୍ଦ୍ରୀୟ ସଡକ ପାଣ୍ଠିରୁ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପୂର୍ତ୍ତ ସଚିବ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version