Site icon Odisha.com

ସାମ୍ବାଦିକଙ୍କୁ ମାଡ ମାରି ଆରପିଏଫ ଅଧିକାରୀ ନିଲମ୍ବିତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ସ୍ଥାନୀୟ ଏକ ଟିଭି ଚ୍ୟାନେଲର ସାମ୍ବାଦିକ ଓ କ୍ୟାମେରାମେନଙ୍କୁ ସୋମବାର ଭୁବନେଶ୍ଵର ରେଳ ଷ୍ଟେସନରେ ମାଡ ମାରି ଜଣେ ରେଳ ସୁରକ୍ଷା ବଳର ଅଧିକାରୀ ନିଲମ୍ବିତ ହୋଇଛନ୍ତି ।

ଷ୍ଟେସନରେ ଏକ ଟ୍ରେନ ୧୬ ଘଣ୍ଟା ବିଳମ୍ବରେ ପହଞ୍ଚିବାକୁ ବିରୋଧ କରି ଯାତ୍ରୀମାନେ ପ୍ରତିବାଦ କରୁଥିଲେ । ଆରପିଏଫ ଯବାନ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ଯାତ୍ରୀଙ୍କ ପ୍ରତିବାଦର ଦୃଶ୍ୟ କନକ ଟିଭିର ସାମ୍ବାଦିକ ସତ୍ୟଜିତ ସେନ ଓ କ୍ୟାମେରାମେନ ଶଙ୍କର ପାତ୍ର ଉତ୍ତୋଳନ କରୁଥିବ ବେଳେ ଆରପିଏଫ ଇନିସପେକ୍ଟର ସଞ୍ଜୟ କୁମାର ସ୍ଵାଇଁ ତାଙ୍କୁ ମାଡ ମାରି ତାଙ୍କ କ୍ୟାମେରା ଭାଙ୍ଗିବା ସହ କ୍ୟାମେରାରୁ କ୍ୟାସେଟ କାଢି ନେଇଯାଇଥିଲେ ।

ସେ କେତେକ ଯାତ୍ରୀଙ୍କ ସହ ସମ୍ପୃକ୍ତ ସାମ୍ବାଦିକ ଓ କ୍ୟାମେରାମେନଙ୍କୁ ବେଆଇନ ଭାବେ ବହୁ ଘଣ୍ଟା ଧରି ଅଟକ ମଧ୍ୟ ରଖିଥିଲେ ।

ଏହି ଖବର ପାଇ ବହୁ ସାମ୍ବାଦିକ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଏହାର ବିରୋଧ କରିଥିଲେ ।

ଉତ୍ୟକ୍ତ ଲୋକେ ଷ୍ଟେସନରେ ଛିଡା ହୋଇଥିବା ଅନ୍ୟ କେତେକ ଟ୍ରେନକୁ ଛାଡି ନ ଥିଲେ । ଫଳରେ ବାଧ୍ୟ ହୋଇ ଆରପିଏଫ କତ୍ତୃପକ୍ଷ ବାଧ୍ୟ ହୋଇ ଘଟଣାର ଯାଞ୍ଚ ଆଦେଶଦେବା ସହ ଆରପିଏଫ ଇନିସପେକ୍ଟର ସଞ୍ଜୟ କୁମାର ସ୍ଵାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଥିଲା ।

ଓଡିଶା ଡଟ କମ

Exit mobile version