Site icon Odisha.com

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

କେଦାର ମିଶ୍ର

ଜୁନ୍‍ ମାସ ତୃତୀୟ ସପ୍ତାହରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ଏକ ବଡ଼ ଝଟ୍‍କା ଦେଇଛନ୍ତି । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ମାତି ପଡ଼ିଥିବା ଓଡ଼ିଶାର ଗଣମାଧ୍ୟମରେ ଏହି ଝଟ୍‍କାର ତୀବ୍ରତା ବିଶେଷ ଅନୁଭୂତ ହୋଇନାହିଁ ।

କୁହାଯାଇପାରେ ଯେ ଏହି ଝଟ୍‍କାର ତୀବ୍ରତାକୁ ଅଣଦେଖା କରିବା ପାଇଁ ଏକ ପ୍ରକାର ସୁଚିନ୍ତିତ ଉଦ୍ୟମ ହୋଇଛି । କିଛି ମାସ ତଳେ ଓଡ଼ିଶା ପୋଲିସ୍‍ର ପୂର୍ବତନ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ତାଙ୍କ ପଦବୀରୁ ବିଦା କରାଗଲା ।

ତାଙ୍କୁ ପଦବୀରୁ କେବଳ ବିଦା କରାଗଲା ନାହିଁ, ସେ ଯେମିତି କେନ୍ଦ୍ର ସରକାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ନ ହେବେ, ସେଥିପାଇଁ ଷଡଯନ୍ତ୍ର କରାଗଲା ।

ପ୍ରକାଶ ମିଶ୍ର ରାଜ୍ୟ ପୋଲିସ୍‍ ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ଥିବାବେଳେ ଠିକାଦାରମାନଙ୍କୁ ଦେଇଥିବା ଅଗ୍ରୀମ ଅର୍ଥକୁ ଦୁର୍ନୀତି ବୋଲି କହି ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଦାଏର୍‍ କଲା ।

ଭିଜିଲାନ୍ସର ଏହି ମାମଲାକୁ ମାନ୍ୟବର ହାଇକୋର୍ଟ ବେଆଇନ୍‍ ବୋଲି କହିବା ସହିତ ଓଡ଼ିଶା ଭିଜିଲାନ୍ସ ନିଜ ରାଜନୈତିକ ମାଲିକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଜଣେ ବରିଷ୍ଠ ଓ ସଚ୍ଚୋଟ ପୋଲିସ ଅଧିକାରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ କରିଛନ୍ତି ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି ।

ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍‍ ଏସ୍‍.ସି. ପରିଜା ତାଙ୍କର ୫୧ ପୃଷ୍ଠା ବ୍ୟାପୀ ରାୟରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଭିଜିଲାନ୍ସ ବିଭାଗ ଓ ଏହାର ନିର୍ଦ୍ଦେଶକଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଘଟଣାକ୍ରମର ପୁଙ୍ଖାନୁପୁଙ୍ଖ ତର୍ଜମା କରି ମାନ୍ୟବର ବିଚାରପତି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ – ରାଜ୍ୟସରକାର ଜଣେ ସଚ୍ଚୋଟ ଏବଂ ଦକ୍ଷ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ହଇରାଣ କରିଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶକ ରାଜ ଅନୁଗ୍ରହ ଓ ରାଜ ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ନିଜ ଦାୟିତ୍ୱ ସଠିକ୍‍ ଭାବରେ ତୁଲାଇ ନାହାନ୍ତି ବୋଲି ମଧ୍ୟ ଅଦାଲତ କହିଛନ୍ତି ।

ଅନ୍ୟ କୌଣସି ସମୟ ହୋଇଥିଲେ ଏହି ରାୟକୁ ନେଇ ଏକ ବଡ଼ ରାଜନୈତିକ ତୋଫାନ ଉଠିଥା’ନ୍ତା । ଦୁର୍ଭାଗ୍ୟକ୍ରମେ କୌଣସି ରାଜନୈତିକ ଦଳ ଏହି ତୋଫାନରୁ ରାଜନୈତିକ ଫାଇଦା ନେବାକୁ ଚାହିଁନାହାନ୍ତି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ ଏହି ଘଟଣାରେ ରାଜ୍ୟସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ରାୟ ପ୍ରକାଶ ପାଇଲା ପରେ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ଆହୁରି ଭୀଷଣ ଅବସ୍ଥା ସୃଷ୍ଟି କରିବା କଥା । ଅଥଚ ଆମର ରାଜନୈତିକ ଦଳଗୁଡ଼ିକ ଏକପ୍ରକାର ‘ଅକର୍ମଣ୍ୟ ଓ ନିସ୍ତରଙ୍ଗ’ ।

ପୂର୍ବତନ ପୋଲିସ୍‍ ମହାନିର୍ଦ୍ଦେଶକ ଭାବରେ ପ୍ରକାଶ ମିଶ୍ର ସିଧାସଳଖ ରାଜ୍ୟସରକାରଙ୍କ ଉପରେ ଦୋଷାରୋପ କରିଛନ୍ତି । ଗତ ନିର୍ବାଚନରେ ଆମ୍ବୁଲାନ୍ସରେ ଟଙ୍କା ବଣ୍ଟା ଯାଉଥିଲା ଓ ଏହାର ବିରୋଧ କରିବାକୁ ଯାଇ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି ।

ନିଜ ପିଟିସନ୍ ରେ ଶ୍ରୀ ମିଶ୍ର ନିଜର ସ୍ପଷ୍ଟବାଦିତା ଓ ଆଇନ୍‍କୁ କଡ଼ାକଡ଼ି କାର୍ଯ୍ୟ କରିବାର ଆଭିମୁଖ୍ୟ ଯୋଗୁଁ ଶାସକ ଦଳର କ୍ରୋଧର ଶିକାର ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଯାହାକୁ କି ମାନ୍ୟବର ହାଇକୋର୍ଟ ଗ୍ରହଣ କରିଛନ୍ତି ।

ଓଡ଼ିଶା ସରକାରଙ୍କ ଅଧୀନରେ ପୋଲିସ ମହାନିର୍ଦ୍ଦେଶକ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଜଣେ ପୋଲିସ୍‍ ଅଧିକାରୀଙ୍କ ଏହି ବକ୍ତବ୍ୟକୁ ହାଲୁକା ଭାବରେ ନେଇ ହେବ ନାହିଁ । ବିଜେଡ଼ି ସରକାର ଏହାର ଜବାବ ରଖିବାକୁ ବାଧ୍ୟ । ବିଜେଡ଼ି ମୁଖପାତ୍ରମାନେ ଏ ଘଟଣା ଘଟିଲାବେଳେ ପୋଲିସ୍‍ ଡିଜି କ’ଣ କରୁଥିଲେ ବୋଲି ପ୍ରଶ୍ନ ପଚାରୁଛନ୍ତି ।

ସେମାନେ ବୁଝିବା ଉଚିତ୍‍ ଯେ ପୋଲିସ୍‍ ଡିଜି ସେହି ପ୍ରଶ୍ନ ପଚାରିଲେ ବୋଲି ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ଦିଆଗଲା ନାହିଁ । ପ୍ରଥମଥର ପାଇଁ ଚାକିରିରୁ ଅତୀତରେ ନିଲମ୍ବିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କୁ ଓଡ଼ିଶା ସରକାର ପୋଲିସ ମହା ନିର୍ଦ୍ଦେଶକ ପଦବୀରେ ବସାଇଲେ ।

ଅଥଚ ପ୍ରକାଶ ମିଶ୍ରଙ୍କୁ ବହୁ ପ୍ରକାର ହଟହଟା କରିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରାଗଲା । ପ୍ରଥମେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଏହି ଅନୁମତିକୁ ଶେଷମୁହୂର୍ତ୍ତରେ ପ୍ରତ୍ୟାହାର କରାଗଲା ।

ଦ୍ୱିତୀୟରେ ଅତ୍ୟନ୍ତ ଅପମାନଜନକ ଭାବରେ ତାଙ୍କୁ ଡିଜି ପଦବୀରୁ ହଟାଯାଇ ଓଡ଼ିଶା ପରିବହନ ନିଗମର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଗଲା । ପୁନଶ୍ଚ ଯେତେବେଳେ ତାଙ୍କ ନାଁ ସିବିଆଇ ନିର୍ଦ୍ଦେଶକ ପଦବୀ ପାଇଁ ଉଠିଲା, ସେତେବେଳେ ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ଦାଏର କଲା ।

ଏହି ମାମଲାର କୌଣସି ଭିତ୍ତି ନଥିଲା ବୋଲି ଅଦାଲତ କହିଛନ୍ତି । ଓଡ଼ିଶା କ୍ୟାଡର୍‍ର ପ୍ରଥମ ଆଇପିଏସ୍‍ ଅଫିସର ଭାବରେ ପ୍ରକାଶ ମିଶ୍ର ସିବିଆଇ ନିର୍ଦ୍ଦେଶକ ହେବାରୁ ବଞ୍ଚିତ ହେଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ସିଆରପିଏଫ୍‍ର ଡିଜି ଭାବରେ ତାଙ୍କୁ କେନ୍ଦ୍ର ସରକାର ଅବସ୍ଥାପିତ କଲେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟରେ ପ୍ରକାଶ ମିଶ୍ର ଅତ୍ୟନ୍ତ ପ୍ରଭାବଶାଳୀ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କର ସେ ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ବୋଲି କୁହାଯାଉଛି ।

ଏହି ଘଟଣାକ୍ରମରେ ପ୍ରକାଶ ମିଶ୍ର କ’ଣ ପାଇଲେ ବା ହରାଇଲେ ତାହା ଯେତିକି ବଡ଼କଥା ନୁହେଁ, ତା’ଠୁ ବଡ଼ କଥା ହେଉଛି ରାଜ୍ୟସରକାରଙ୍କ ଚକ୍ରାନ୍ତକାରୀ ମନୋଭାବ । ପୋଲିସ୍‍ ଅଧିକାରୀମାନଙ୍କୁ ରାଜନୈତିକ ସ୍ୱାର୍ଥ ଲାଗି ବ୍ୟବହାର କରିବାର ହୀନ ଉଦ୍ୟମ ରାଜ୍ୟସରକାର କରିଛନ୍ତି ଓ ଏହି ଉଦ୍ୟମରେ ଯେଉଁମାନେ ସାମିଲ୍‍ ହେଉନାହାନ୍ତି ସେମାନଙ୍କୁ ସରକାର ହଲାପଟା କରୁଛନ୍ତି ବୋଲି ପ୍ରମାଣ ମିଳିଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜ ରାୟରେ ରାଜ୍ୟ ଭିଜିଲାନ୍ସ ବିଭାଗକୁ ତୀବ୍ର ଭର୍ତ୍ସନା କରିଛନ୍ତି । ମାନ୍ୟବର ଅଦାଲତ ଯେଉଁ ଚକ୍ରାନ୍ତକାରୀ ରାଜନୈତିକ ନେତୃତ୍ୱର କଥା କହିଛନ୍ତି ତାହା ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅଥଚ ଏହି ସମଗ୍ର ଘଟଣାକ୍ରମରୁ ଶାସକ ଦଳ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ସବୁଠୁ ମଜାର କଥା ହେଉଛି ବିଜେଡ଼ି ପ୍ରବକ୍ତାମାନଙ୍କର ମତାମତ । ବିଜେଡ଼ିର ଅନ୍ୟତମ ପ୍ରବକ୍ତା ତଥା ନିମାପଡ଼ା ବିଧାୟକ ସମୀର୍‍ ଦାସ୍‍ ଏକ ଟେଲିଭିଜନ ଚ୍ୟାନେଲ୍‍ରେ ଆଲୋଚନା ବେଳେ କହିଲେ ମାନ୍ୟବର ଅଦାଲତ ପ୍ରକାଶ ମିଶ୍ରଙ୍କ ମାମଲାର ଠିକ୍‍ ବିଚାର କରିନାହାନ୍ତି ।

ଏହାଠୁ ବଳି ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ପ୍ରତିକ୍ରିୟା ଆଉ କ’ଣ ଥାଇପାରେ ? ପାଖାପାଖି ଛଅମାସରୁ ଅଧିକ ଧରି ଏହି ମାମଲାର ବିଚାର ଚାଲିଥିଲା । ଓଡ଼ିଶା ସରକାର ନିଜ ପକ୍ଷ ରଖିଥିଲେ । ନିଜ ଅପାରଗତା ଯୋଗୁଁ ମାମଲା ଚାଲିଥିବାବେଳେ ଭିଜିଲାନ୍ସ ବିଭାଗ ବାରମ୍ବାର ବିଚାରପତିଙ୍କୁ ଦ୍ୱାରା ଭର୍ତ୍ସିତ ମଧ୍ୟ ହୋଇଥିଲେ ।

ପରିଶେଷରେ ଯେତେବେଳେ ରାୟ ପ୍ରକାଶ ପାଉଛି ତାକୁ ନେଇ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ବିଜେଡ଼ି ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ସେହିପରି ପ୍ରକାଶ ମିଶ୍ରଙ୍କ ତଥାକଥିତ ଭ୍ରଷ୍ଟାଚାରକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିବା ବିଜେଡ଼ି ଏକଥା ଭୁଲିଯାଉଛି ଯେ ପ୍ରକାଶ ମିଶ୍ରଙ୍କୁ କେନ୍ଦ୍ରରୁ ଡାକି ଆଣି ତାଙ୍କରି ସରକାର ହିଁ ପୋଲିସ୍‍ ମହାନିର୍ଦ୍ଦେଶକ ପଦବୀରେ ବସାଇଥିଲା ।

ଯଦି ପ୍ରକାଶ ମିଶ୍ରଙ୍କ ନାଁରେ ଭ୍ରଷ୍ଟାଚାରର ଅଭିଯୋଗ ଥିଲା, ତାଙ୍କୁ ପୋଲିସ୍‍ ମହା ନିର୍ଦ୍ଦେଶକ କରାଗଲା କାହିଁକି ? ପାଖାପାଖି ଦୁଇବର୍ଷ ମହା ନିର୍ଦ୍ଦେଶକ ପଦବୀରେ ରହିବା ପରେ ହଠାତ୍‍ ପ୍ରକାଶ ବାବୁ ଖଳନାୟକ ପାଲଟିଗଲେ କେମିତି ?

ଏଠି ଆଉ ଏକ କଥା କହିବା ପ୍ରାସଙ୍ଗିକ ହେବ । ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

ପ୍ରାୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅତ୍ୟନ୍ତ ଅପମାନଜନକ ଭାବରେ ପଦବୀରୁ ବିଦା କରାଯାଇଛି । ଏହା ସହିତ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୋଇ ଉଠୁଛି । ନବୀନ ପଟ୍ଟନାୟକ ସରକାରରେ ସଚ୍ଚୋଟ, ଦକ୍ଷ ଓ ପାରଙ୍ଗମ ଅଧିକାରୀମାନଙ୍କର କାମ କରିବାର ସୁଯୋଗ ନାହିଁ ବୋଲି ଧାରଣା ସ୍ପଷ୍ଟ ହୋଇଯାଇଛି ।

ଆଇଏଏସ୍‍ ଓ ଆଇପିଏସ ଅଫିସର ସ୍ତରରେ ବହୁ ନାମକରା ଅଧିକାରୀ ବ୍ୟତିବ୍ୟସ୍ତ ହୋଇ କେନ୍ଦ୍ରୀୟ ଡେପୁଟେସନ୍‍ରେ ଚାଲିଯିବାକୁ ବ୍ୟାକୁଳ । ଯେଉଁମାନେ ଥରେ କେନ୍ଦ୍ରୀୟ ଡେପୁଟେସନ୍‍କୁ ଯାଉଛନ୍ତି, ସେଠୁ ଆଉ ଓଡ଼ିଶା ଫେରିବାକୁ ଚାହୁଁ ନାହାନ୍ତି ।

ପ୍ରକାଶ ମିଶ୍ରଙ୍କ ସମେତ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ରଙ୍କ କଥାକୁ ଉଦାହରଣ ଭାବରେ ନିଆଯାଇପାରେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ମଧ୍ୟ ଏହି ସ୍ଥିତି ବଦଳିଲା ପରି ମନେ ହେଉନାହିଁ । ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି ଏହି ପ୍ରକ୍ରିୟାରେ ବିରୋଧୀଦଳଗୁଡ଼ିକ ସରକାରକୁ ଘେରିବାର ଆଉ ଏକ ସୁଯୋଗ ହରାଇଛନ୍ତି ।

ଫୋନ୍‍ : ୯୪୩୭୧୫୪୪୪୫

Exit mobile version