Site icon Odisha.com

ନବକଳେବର ଉପଲକ୍ଷେ ପୁରୀରେ ୱାଇଫାଇ ସେବାର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଚଳିତ ମାସ ହେବାକୁ ଥିବା ନବକଳେବର ରଥଯାତ୍ରା ପାଇଁ କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଅପରାହ୍ନରେ ପୁରୀ ଠାରେ ବିଏସ୍ଏନ୍ଏଲ୍ ପକ୍ଷରୁ ୱାଇଫାଇ ସେବାର ଶୁଭାରମ୍ଭ କରିଛନ୍ତି ।

ଏହାଦ୍ଵାରା ପୁରୀ ବଡ଼ଦାଣ୍ଡ ସମେତ ସୂର୍ଯ୍ୟ ମନ୍ଦିର, କୋଣାର୍କ ଓ ଆଖପାଖ ଅଞ୍ଚଳର ବିଏସଏନ୍ଏଲ୍ ଉପଭୋକ୍ତାମାନେ ଏହି ୱାଇଫାଇ ସେବାର ଲାଭ ଉଠାଇପାରିବେ ।
ଏହା ପ୍ରତିମାସ ତିନିଥର ପ୍ରତି ୨୪ ଘଣ୍ଟାରେ ୩୦ମିନିଟ ପାଇଁ ବିନା ମୂଲ୍ୟରେ ଉପଲବ୍ଧ ହେବ ।

୩୦ମିନିଟ ପରେ ଉପଭୋକ୍ତା ୱାଇଫାଇ ସେବା ବ୍ୟବହାର କରିବା ପାଇଁ ଚାହିଁଲେ ବିଏସଏନଏଲର ପ୍ଳାନ ଅନୁସାରେ ୩୦, ୫୦, ୯୦ ଓ ୧୫୦ ଟଙ୍କା ଦେଇ ଯଥାକ୍ରମେ ୩୦, ୬୦, ୧୨୦ମିନିଟ କିମ୍ବା ଗୋଟିଏ ଦିନ ପାଇଁ ଏହି ସେବା ପ୍ରାପ୍ତ କରିପାରିବେ । ବିଏସଏନଏଲ ର ଅଧକ୍ଷ ଓ ପ୍ରବନ୍ଧ ନିର୍ଦେଶକ ଅନୁପମ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଦ୍ଵାରା ରିଲାଏନ୍ସ ତରଫରୁ ମୁକ୍ତ ୱାଇଫାଇ ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ସେବାକୁ ଜୁଲାଇ ୧୩ ଠାରୁ ୩୧ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ଓ ସମୁଦ୍ର କୂଳରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ବିନା ମୂଲ୍ୟରେ ପାଇପାରିବେ ।

ଗୁରୁବାରର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ୍, ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଏସ୍ଏନଏଲର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version