Site icon Odisha.com

ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଗତ କିଛି ଦିନ ଧରି ଅସୁସ୍ଥ ଥିବା ବର୍ଷୀୟାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ଗୁରୁବାର ବାଙ୍ଗାଲୁରର ଏକ ଘରୋଇ ହାସପାତାଲରେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହେଇଥିଲା । ସମ୍ବଲପୁର ଜିଲ୍ଲାର ବାରଗାଁର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରରେ ୧୯୪୦ ମସିହା ସେପ୍ଟେମ୍ବର ଦୁଇ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାଣିଗ୍ରାହୀ ଛାତ୍ରାବସ୍ଥାରୁ କଂଗ୍ରେସରେ ଯୋଗ ଦେଇ ୧୯୬୭ ମସିହା ସମ୍ବଲପୁର ଜିଲ୍ଲା କଂଗ୍ରେସର ସଭାପତି ହୋଇଥିଲେ ।

୧୯୭୧ ଓ ୧୯୭୪ ମସିହାରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବାସହ ୧୯୭୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ମାତ୍ର ୩୩ ବର୍ଷ ବୟସରେ ସେ ସାରା ଦେଶରେ ସେସମୟର ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବେଶ ଜଣାଶୁଣା ହୋଇପାରିଥିଲେ ।

୧୯୭୩ ରୁ ୧୯୭୭ ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ଶ୍ରୀବଲ୍ଲଭ ରାଜସ୍ୱ, ଜଳସେଚନ ଓ ଶକ୍ତି, ଆଇନ, ଶିକ୍ଷା, ସଂସଦୀୟ ବ୍ୟାପାର, ଖାଦ୍ୟ ଓ ଯୋଗାଣ ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ଦାୟିତ୍ୱ ସମ୍ଭାଳିଥିଲେ ।

ସେ ଦେବଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳରୁ ତିନି ଥର ଯଥାକ୍ରମେ ୧୯୮୪, ୧୯୯୧ ଓ ୧୯୯୬ରେ ନିର୍ବାଚିତ ହେବ ସହ ବିଭିନ୍ନ ଗୁରୁତ୍ଵ ପୂର୍ଣା କମିଟିରେ ରହିଥିଲେ  । ସମ୍ବଲପୁର ସହରରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ) ଓ ରେଳ ଡିଭିଜନ୍ ସ୍ଥାପନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେ ୧୯୬୯ରୁ ୧୯୭୪ ଓ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବେ ଓ ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ଉପ-ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍

Exit mobile version