Site icon Odisha.com

ସପିଙ୍ଗ ମଲରୁ ଚୋରୀ କରି ମା ସହ ଡାକ୍ତରାଣୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଭୁବନେଶ୍ଵରରେ ବିଭିନ୍ନ ସପିଙ୍ଗ ମଲରୁ ନିୟମିତ ଭାବେ ଶାଢି, ଅନ୍ତବସ୍ତ୍ର, ଡ୍ରେସ ଆଦି ମୂଲ୍ୟବାନ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୁଲିସ ଜଣେ ଦାନ୍ତ ଡାକ୍ତରାଣୀ ଓ ତାଙ୍କ ମାକୁ ବୁଧବାର ଗିରଫ କରିଛି ।

ସହିଦ ନଗରରେ ଥିବା ମନୀଷା ବୁଟିକକୁ କିଛି ଦିନ ତଳେ ଯାଇ ବିଭିନ୍ନ ଜିନିଷ କିଣିବା ବାହାନାରେ ସମ୍ ହସ୍ପିଟାଲରେ ଦାନ୍ତ ଡାକ୍ତର ଥିବା ଅଠେଇଶ ବର୍ଷ ବୟସ୍କା କଲ୍ୟାଣୀ ପୃଷ୍ଟି ଓ ତାଙ୍କ ମା କୁସୁମ କିଛି ଶାଢି ଚୋରି କରିବା ଉଦ୍ୟମ କରି ବୁଟିକ କର୍ମଚାରୀଙ୍କ ଦ୍ଵାରା ଧରାପଡିଥିଲେ ଓ ହଟହଟା ହୋଇଥିଲେ ।

ବୁଟିକ ମାଲିକାଣୀ ପରବର୍ତ୍ତୀ ସମୟରେ ଦୋକାନ ସିସିଟିଭି ଫୁଟେଜ ଦେଖିବାରୁ ସେମାନେ ପୂର୍ବରୁ ମଧ୍ୟ ସମାନ ପ୍ରକାର ଚୋରୀ କରିଥିବା ଜଣାପଡିଥିଲା । ଏହାପରେ ଧଳ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସିସିଟିଭି ଆଧାରରେ ପୃଷ୍ଟିଙ୍କ ଘର ଖାନତଲାସ କରି ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ପାଇବାପରେ ସେମାନଙ୍କୁ ଗିରଫ କରିଥିଲେ ।

ଉଭୟ ମା ଓ ଝିଅ  ବିଭିନ୍ନ ଦୋକାନରୁ ଅତୀତ ରେ ଚୋରୀ କରିଥିବା ସ୍ଵୀକାର କରିଥିବା ବେଳେ, ପୁଲିସ ଏହାର ଯାଞ୍ଚ ଜାରି ରଖିଛି । କଲ୍ୟାଣୀଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ । ତାଙ୍କର ସହରରେ ଏକ ବହୁତଳ ପ୍ରାସାଦ ରହିଛି । ମାନସିକ ରୋଗଗ୍ରସ୍ତ ହୋଇଥିବାରୁ କଲ୍ୟାଣୀ ଓ ତାଙ୍କ ମା ବିଭିନ୍ନ ସମୟରେ ଦୋକାନମାନଙ୍କରୁ ଚୋରୀ କରୁଥିବା ପୁଲିସ ସନ୍ଦେହ କରୁଛି ।

ଓଡିଶା ଡଟ କମ

Exit mobile version