ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସୁନ୍ଦରଗଡ/ଝାରସୁଗୁଡା,୧୨ ଜୁଲାଇ (ଓଡ଼ିଶା ଡ଼ଟ୍ କମ୍): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଇବ ନଦୀରେ ବନ୍ୟା ଆସି ବନ୍ୟା ଜଳ ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାର କେତେକ ଜନବସତିରେ ପଶିଯିବା ଯୋଗୁଁ ସ୍ଥାନୀୟ ପ୍ରଶାସନ ପ୍ରାୟ ଛଅ ଶହରୁ ଊର୍ଦ୍ଧ୍ଵ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ।
ଝାରସୁଗୁଡା ବ୍ଲକ ଅଞ୍ଚଳର ପ୍ରାୟ ପାଞ୍ଚୋଟି ଗ୍ରାମ ଓ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳର କେତେକ ସ୍ଥାନ ଏହି ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିବା ବେଳେ ସୁନ୍ଦରଗଡ ପୌର ପରିଷଦ ଅଞ୍ଚଳର ଚାରୋଟି ୱାର୍ଡ ପ୍ରଭାବିତ ହୋଇଥିବା ସ୍ଥାନୀୟ ପ୍ରଶାସନ ରବିବାର କହିଛି ।
ମୁଖ୍ୟତଃ ସହରର ତଳି ସ୍ଥାନରେ ଥିବା ଅଞ୍ଚଳମାନଙ୍କ ରେ ବନ୍ୟାଜଳ ପଶିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଇବ୍ ନଦୀର ବନ୍ୟାପାଣି ସୁନ୍ଦରଗଡ ରିଜେଣ୍ଟ ମାର୍କେଟ ଅଞ୍ଚଳର ଥିବା ମୁଖ୍ୟ ଡ୍ରେନ ମାଧ୍ୟମରେ ମେନ୍ ରୋଡ଼ ଉପରେ ଚାଲୁଥିବାରୁ ପରିସ୍ଥିତି ଗମ୍ଭୀର ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ବହୁ ଅଶାନ୍ତି ଦେଖାଦେଇଛି ।
ଘଟଣାସ୍ଥଳ ପରିଦର୍ଶନରେ ଆସିଥିବା ସୁନ୍ଦରଗଡ ଜିଲ୍ଲା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଡ୍ରେନରୁ ଠିକ ଭାବେ ପାଣି ନିଷ୍କାସନ ହୋଇପାରୁନଥିବାରୁ ଡ୍ରେନଟି ଜାମ୍ ରହୁଛି ଯେଉଁଥିପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ପରିସ୍ଥିତିର ସୁଧାର ନିମନ୍ତେ ଶୀଘ୍ର ବନ୍ଦୋବସ୍ତ କରାଯିବ ।
ଓଡିଶା ଡଟ କମ
Leave a Reply