ଓଡିଶା ଡଟ୍ କମ୍ ସମ୍ବାଦଦାତା
କେନ୍ଦୁଝର,୧୩ ଜୁଲାଇ (ଓଡିଶା ଡଟ୍ କମ୍): କେନ୍ଦୁଝର ଜିଲ୍ଲାର ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ଗ୍ରାମର ମୁଣ୍ଡାସାହିରେ ଗୁଣିଗାରେଡି କରୁଥିବା ଅଭିଯୋଗ କରି ଗୋଟିଏ ଆଦିବାସୀ ପରିବାରର ୬ଜଣଙ୍କୁ ସଂଘବଦ୍ଧ ଭାବେ ସେହି ଗ୍ରାମର କେତେଜଣ ବ୍ୟକ୍ତି ସୋମବାର ହତ୍ୟା କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୁଲିସ କହିଛି ।
ଆହତ ହୋଇଥିବା ଅଠର ବର୍ଷୀୟ ଗନିତ ମୁଣ୍ଡା ଓ ନଅ ବର୍ଷୀୟ ଶମ୍ଭୁ ମୁଣ୍ଡା ଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେହି ପରିବାରର ଗୁର ମୁଣ୍ଡା, ବୁଧୁନି ମୁଣ୍ଡା, ସମ୍ବାରି ମୁଣ୍ଡା, କୁଶନାଥ ମୁଣ୍ଡା, ସୁନୀଲ ମୁଣ୍ଡା ଓ ତିନି ବର୍ଷୀୟ ନମିତା ମୁଣ୍ଡା ମୃତ୍ୟୁ ବରଣ କରିଛନ୍ତି ।
ଗାଁର କେତେକ ଶିଶୁ ନିକଟରେ ଅସୁସ୍ଥ ହୋଇଥିଲେ । ମୁଣ୍ଡା ପରିବାର ଗୁଣି ଗାରିଡି କରିଥିବା ଯୋଗୁଁ ସେମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରି ଗ୍ରାମର କେତେକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି ।
ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁରୁ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଘଟଣାଟିର ତଦନ୍ତ କରି ସତ୍ୟର ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ୍ ର ସାହାଯ୍ୟ ନିଆଯିବ ବୋଲି ଡିଜି ସଞ୍ଜୀବ ମାରିକ କହିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply