Site icon Odisha.com

ବଜ୍ରପାତରେ ୮ ମୃତ ୧୬ରୁ ଅଧିକ ଗୁରୁତର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୪ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟରେ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷା ଓ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟାନୁସାରେ ବଜ୍ରପାତ ଯୋଗୁଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ପୋଲିସ ଷ୍ଟେସନ ଅନ୍ତର୍ଗତ ନିମକଳା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଦୀକ୍ଷିତପଡା ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ବ୍ଲକର ସାଥିବାକୁଡା ଗାଁରେ ସ୍କୁଲରୁ ଫେରୁଥିବା ସମୟରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଏକ ବାଳିକା ଊଚ୍ଚ ବିଦ୍ୟାଳୟରେ ପାଠପଢା ଚାଲିଥିବା ସମୟରେ ଉକ୍ତ ସ୍ଥାନରେ ବଜ୍ରପାତ ହେବାରୁ ୧୧ ଜଣ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏତଦ୍ ବ୍ୟତୀତ ଏହି ବ୍ଲକରେ ଜଣେ କଲେଜ ଛାତ୍ରଙ୍କ ସମେତ ମହାକାଳପଡା ବ୍ଲକର ଚକଡାଗଗୁଆ ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି।

ସେହିଭଳି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକର ପାଟିଲୋ ଗାଁର ଜଣେ ଓ ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଦେଇପୁରପାଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ଵରରେ ମଧ୍ୟ ବଜ୍ରପାତ ଯୋଗୁଁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଓଡିଶା ଡଟ୍ କମ୍

Exit mobile version