• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

July 24, 2015 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

ଗତ ମାସେରୁ ଅଧିକ ହେଲା ରଙ୍ଗବତୀ ଗୀତକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି । ସତୁରୀ ଦଶକର ଏହି ଗୀତ ପୁଣି ଥରେ ଜନମାନସରେ ନିଜର ନୂଆ ଅବତାର ଗ୍ରହଣ କରିଛି । କୋକ୍‍ ଷ୍ଟୁଡ଼ିଓରେ ଏହାର ପ୍ରସାରଣ ପରଠୁ ଏହାକୁ ନେଇ ଢେର୍‍ ଚର୍ଚ୍ଚା ବଢିଯାଇଛି । ଏହାର ରିମିକ୍ସ ସପକ୍ଷରେ ଓ ବିପକ୍ଷରେ ଅନେକ ମତାମତ ଶୁଣିବାକୁ ମିଳୁଛି ।

ଯେଉଁମାନେ ପଶ୍ଚିମ ଓଡ଼ିଶାର ଲୋକଗୀତ ତଥା ଲୋକସଂସ୍କୃତି ବିଷୟରେ ବିଲ୍‍କୁଲ୍‍ କିଛି ଜାଣନ୍ତି ନାହିଁ ସେମାନେ ଏହାକୁ ଓଡ଼ିଶାର ଲୋକ ସଂସ୍କୃତି ପାଇଁ ଏକ ବିରାଟ ସଫଳତା ବୋଲି କହିଚାଲିଛନ୍ତି । ତେବେ ରଙ୍ଗବତୀ ଗୀତକୁ ନେଇ ଗଢି ଉଠୁଥିବା ଅନେକ କାହାଣୀ, ବିବାଦ, ଅପବାଦ ଓ ଗୁଜବର ସ୍ପଷ୍ଟ ତର୍ଜମା ଆଜି କରିବା ଉଚିତ୍‍ ହେବ ।

କାହାଣୀ ୧ : ରଙ୍ଗବତୀ ହେଉଛି ଏକ ଲୋକଗୀତ । ତେଣୁ ଏହା କପିରାଇଟ୍‍ ଆକ୍ଟ୍‍ର ଅଧୀନ ନୁହେଁ ।

ବାସ୍ତବତା : ରଙ୍ଗବତୀ ଆଦୌ ମୌଳିକ ଲୋକଗୀତ ନୁହେଁ । ଏହା ଲୋକସ୍ୱର ଉପରେ ଆଧାର କରିଥିବା ଏକ ମୌଳିକ ସଙ୍ଗୀତ ରଚନା । ୧୯୭୬ ମସିହାରେ ଆକାଶବାଣୀ ସମ୍ବଲପୁର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏହି ଗୀତଟିର ପରିକଳ୍ପନା କରାଯାଇଥିଲା ।

ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ନିଜେ ଏହାର ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି । ‘କୁରେ ଫୁଲର ଝୁମ୍ପା’ ନାମକ ଏକ କାର୍ଯ୍ୟକ୍ରମ ପାଇଁ ଯେଉଁ ତିନୋଟି ଗୀତ ପ୍ରସ୍ତୁତ କରାଯାଇଥିଲା, ତନ୍ମଧ୍ୟରୁ ରଙ୍ଗବତୀ ଅନ୍ୟତମ । ଏହା ପ୍ରାଥମିକ ଭାବରେ ଫକୀର ପଟ୍ଟନାୟକ ଓ କମଳ କୁମାରୀ ବେହେରାଙ୍କ କଣ୍ଠରେ ରେକର୍ଡ ହେବାର ଥିଲା ।

କଳାକାରଦ୍ୱୟ ନ ଆସିବାରୁ ଏହାକୁ ଜିତେନ୍ଦ୍ର ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା । ପରବର୍ତ୍ତୀ ଘଟଣା ଇତିହାସ । ୧୯୭୬ ପରେ ଏହା ଆକାଶବାଣୀରେ ଏତେ ଲୋକପ୍ରିୟ ହେଲା ଯେ, ଏହାକୁ ନିଜ ତରଫରୁ ଇନେ୍ଦ୍ରକୋ କମ୍ପାନୀ ରେକର୍ଡ କରିବାର ନିଷ୍ପତ୍ତି ନେଇଥିଲେ । ମୌଳିକ ଭାବରେ ଆଜି ମଧ୍ୟ ଏହାର ସତ୍ତ୍ୱ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଙ୍ଗୀତ ନିଦେ୍ର୍ଧଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପାଖରେ ରହିଛି ।

ସବୁ ସମ୍ବଲପୁରୀ ଗୀତକୁ ଲୋକଗୀତ ବୋଲି କେହି କେହି ଧରିନିଅନ୍ତି । ଯେମିତି ଓଡ଼ିଆରେ ବୋଲାଯାଉଥିବା ସବୁ ଗୀତ ଓଡ଼ିଶୀ ନୁହେଁ, ସେମିତି ସମ୍ବଲପୁରୀ ବା କୋଶଳୀରେ ବୋଲାଯାଉଥିବା ସବୁ ଗୀତ ଲୋକଗୀତ ନୁହେଁ । ସମ୍ବଲପୁର ଆକାଶବାଣୀ ପ୍ରତିଷ୍ଠା ହେବା ପରଠୁ ନୂଆ ପିଢିର ଅନେକ ଗାୟକ/ ଗାୟିକା ସମ୍ବଲପୁରୀ ଗୀତରେ ଆଧୁନିକତାର ପ୍ରୟୋଗ କରିଛନ୍ତି ।

ରଙ୍ଗବତୀ ପରମ୍ପରା ଓ ଆଧୁନିକତାର ଏକ ସୁନ୍ଦର ସମନ୍ୱୟ । ରଙ୍ଗବତୀରେ ଲୋକ ଧୁନ୍‍ ସହିତ ଆଧୁନିକ ଗୀତିକବିତାର ଚମକ୍ରାର ମିଶ୍ରଣ ଘଟିଛି । ରଙ୍ଗବତୀ ବୋଲି କୌଣସି ଲୋକଗୀତର ଧାରା ପଶ୍ଚିମ ଓଡ଼ିଶାରେ ନାହିଁ ।

କାହାଣୀ ୨ : ଆମେ ବଜାରରେ ଯେଉଁ ସମ୍ବଲପୁରୀ ଗୀତ ଶୁଣୁ, ସେସବୁ ପଶ୍ଚିମ ଓଡ଼ିଶାର ଲୋକଗୀତ ।

ବାସ୍ତବତା : ଅସଲ କଥା ହେଉଛି ପଶ୍ଚିମ ଓଡ଼ିଶାର ଅନେକ ଲୋକଗୀତ ଏବେ ମୃତ୍ୟୁ ମୁଖରେ । ସମ୍ବଲପୁରୀ ଗୀତର ବଜାର ସୃଷ୍ଟି ହେବା ପରେ ଏହାକୁ ଅଧିକ ଲୋକପ୍ରିୟ ତଥା ବଜାରଧର୍ମୀ କରିବାକୁ ଯାଇ ସମ୍ବଲପୁରୀ ଗୀତର ଲୋକଧର୍ମକୁ ମାରିଦିଆଗଲା । ସତୁରୀ ଦଶକରେ ଫକୀର ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଦିଲ୍ଳୀପ ବାଗ୍‍, ଜିତେନ୍ଦ୍ର ହରିପାଲ୍‍, କ୍ରିଷ୍ଣା ପଟେଲ୍‍, ଡଲି ମିଶ୍ର ପ୍ରମୁଖ ଲୋକଧର୍ମୀ ସମ୍ବଲପୁରୀ ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ଆରମ୍ଭ କରିଦେଲେ ।

ଏହାକୁ ଆମେ ସମ୍ବଲପୁରୀର ଆଧୁନିକ ସୁଗମ ସଙ୍ଗୀତ ବୋଲି କହିପାରିବା । ପଶ୍ଚିମ ଓଡ଼ିଶାର ମୌଳିକ ଲୋକଗୀତର ଶୈଳୀ ସବୁ ହେଉଛି ଡାଲ୍‍ଖାଇ, ରସରକେଲି, ମାଏଲାଜଡ଼, ହୁମବଉଲି, ଜାଇଫୁଲ, ସଜନୀ ଗୀତ, ଦୁଲାବିହା, ନଚନିଆ, ବଜ୍‍ନିଆ, ମାଲେଶ୍ରୀ, ଘୁମ୍‍ରା ଇତ୍ୟାଦି । ଏହା ସହିତ ଉପକୂଳ ଓଡ଼ିଶାର ପାଲା ପରି ପଶ୍ଚିମ ଓଡ଼ିଶାର ସଂଚାର ଓ ସମ୍ପ୍ରଦା ମଧ୍ୟ ରହିଛି ।

ଶହେରୁ ଅଧିକ ଶ୍ରେଣୀର ଲୋକଗୀତ ଆଜି ମଧ୍ୟ ଜନଜୀବନରେ ପ୍ରଚଳିତ । ଏହାର ସଂରକ୍ଷଣ ତଥା ଗାୟନକୁ ନେଇ କୌଣସି ଉଦ୍ୟମ ହେଉନାହଁ । ଯେଉଁମାନେ ରଙ୍ଗବତୀ ଗୀତ ମାଧ୍ୟମରେ ସମ୍ବଲପୁରୀ ଲୋକକଳା ବିଶ୍ୱବ୍ୟାପୀ ହେଲା ବୋଲି ଡିଣ୍ଡିମ ପିଟୁଛନ୍ତି, ସେମାନେ ବୁଝିବା ଉଚିତ ଯେ ନୂଆକରି ପରିବେଷଣ ହୋଇଥିବା ରଙ୍ଗବତୀରେ ସମ୍ବଲପୁରୀ ଲୋକଗୀତ କୌଣସି ପ୍ରଭାବ ନାହିଁ । ଏହା ବଲିଉଡ୍‍ର ଏକ ଉଦ୍ଭଟ ଫୁ୍ୟଜନ୍‍ ମାତ୍ର ।

କାହାଣୀ ୩ : ନୂଆ ରଙ୍ଗବତୀ ହେଉଛି ନୂଆପିଢିକୁ ଆକୃଷ୍ଟ କରିବାର ଏକମାତ୍ର ମାର୍ଗ । ଏହା ରିମିକ୍ସ ବଜାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ।

ବାସ୍ତବତା : ରିମିକ୍ସ ବା ଫୁ୍ୟଜନ୍‍ରେ ଦୁଇଟି ବା ଅଧିକ ସଙ୍ଗୀତଶୈଳୀର ମିଶ୍ରଣ କରାଯାଇଥାଏ । ରିମିକ୍ସରେ ମୂଳ ଗୀତର ସ୍ୱରଲିପି ଓ ସାହିତ୍ୟକୁ ଅକ୍ଷୁଣ୍ଣ ରଖାଯାଇଥାଏ । ସୋନା ମହାପାତ୍ର ଙ୍କ ରଙ୍ଗବତୀରେ ରଙ୍ଗବତୀର ମୂଳ ସ୍ୱରଲିପି ବିକୃତ ହୋଇଥିବାବେଳେ ଏହାର ସାହିତ୍ୟକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରାଯାଇଛି । ଏଥିରେ ସମ୍ବଲପୁରୀ ଲୋକଶୈଳୀ ସହ ଆଧୁନିକ ସ୍ୱର ଓ ବାଦ୍ୟର ସମନ୍ୱୟ ଘଟିନାହିଁ ।

ଏହା କେବଳ ଆଧୁନିକତାର ବିକଳ ଅନୁକରଣ । ଅନେକ ସମୟରେ ରିମିକ୍ସରେ ମୂଳ ଗୀତର ଗାୟକ ଗାୟିକାଙ୍କୁ ନିଆଯାଇଥାଏ । ଏ କ୍ଷେତ୍ରରେ ତାହା ମଧ୍ୟ ଘଟିନାହିଁ । ତେଣୁ ଏହାକୁ ମୌଳିକ ଭାବରେ ରିମିକ୍ସ ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।

କାହାଣୀ ୪ : ରଙ୍ଗବତୀ ଗାଇଲାବେଳେ ସୋନା ମହାପାତ୍ର ଯେଉଁ ଉଚ୍ଚାରଣଗତ ତ୍ରୁଟି କରିଛନ୍ତି, ତାହା ସହଜରେ ଗ୍ରହଣୀୟ ।ଏପ୍ରକାର ଛୋଟ ଛୋଟ ଭୁଲ୍‍କୁ ନେଇ ସମାଲୋଚନା କରିବା ଅବାନ୍ତର ।

ବାସ୍ତବତା : ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ ସମାନ ନୁହେଁ ।

ପୁନଶ୍ଚ ଜଣେ ଜୀବିତ ଲେଖକଙ୍କ ଗୀତକୁ ଜାତୀୟ ସ୍ତରରେ ପରିବେଷଣ କରିବା ପୂର୍ବରୁ ତାଙ୍କର ଅନୁମତି ନ ନେବା କେବଳ ଅଭଦ୍ରାମି ନୁହେଁ, ଏହା ବେଆଇନ ମଧ୍ୟ ।

କାହାଣୀ ୫ : ଓଡ଼ିଆ ସଂସ୍କୃତିର ଜାତୀୟ ବଜାର ନାହିଁ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ସଂସ୍କୃତିକୁ କେହି ଚିହ୍ନନ୍ତି ନାହିଁ ।

ବାସ୍ତବତା : ଓଡ଼ିଶାର ବହୁ ସାଂସ୍କୃତିକ ବିଭବ ରହିଛି ଯାହା ଏବେ ଆନ୍ତର୍ଜାତିକ ବଜାରରେ ମାନ୍ୟତା ପାଇସାରିଛି । ଓଡ଼ିଶୀ ନୃତ୍ୟ ତା’ର ଏକ ଉଦାହରଣ । ପୃଥିବୀର ଶହେରୁ ଅଧିକ ଦେଶରେ ଓଡ଼ିଶୀ ନୃତ୍ୟ ନିଜର ପ୍ରଭାବ ବିସ୍ତାର କରିଛି । ଗୋଟିପୁଅ, ଛଉ, ସମ୍ବଲପୁରୀ ଓ ଆହୁରି ଅନ୍ୟାନ୍ୟ ଅନେକ ଲୋକକଳା ଅଛି, ଯାହାର ଆଦର ଦେଶବିଦେଶରେ ରହିଛି ।

ତେବେ ଓଡ଼ିଶା ଭିତରେ ଏହି ସବୁ ଲୋକକଳାକୁ ପ୍ରେତ୍ସାହନ ଦେବା ପାଇଁ ଆମର ମଧ୍ୟବିତ୍ତମାନେ ଆଦୌ ଚିନ୍ତିତ ନୁହନ୍ତି ।ସବୁଠୁ ବଡ଼ କଥା ହେଉଛି, ଓଡ଼ିଆ ମଧ୍ୟବିତ୍ତମାନେ ନିଜ ସଂସ୍କୃତି ସମ୍ପର୍କରେ ଅନେକାଂଶରେ ନିରକ୍ଷର ଓ ଉଦାସୀନ । ସେମାନେ ଖବରକାଗଜ ଓ ଟେଲିଭିଜନକୁ ସଂସ୍କୃତିର ମାଧ୍ୟମ ବୋଲି ବିବେଚନା କରନ୍ତି । ଯାହାଫଳରେ ସଂସ୍କୃତିର କୌଣସି ଉପଯୁକ୍ତ ତଥ୍ୟ ଆମ ପାଖରେ ପହଞ୍ଚେ ନାହିଁ ।

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ବିବାଦ, ରଙ୍ଗବତୀ, ରିମିକ୍ସ

Reader Interactions

Comments

  1. Umakanta Rout says

    July 26, 2015 at 8:16 am

    ସମ୍ବିଧାନ ଅନୁମତୀ ଦେଇଥାଉ କି ନ ଥାଉ, ଯେଉଁ ସଙ୍ଗୀତ ବାଜି ଉଠିଲେ ଗୋଟେ ରାଜ୍ୟର 147 ଜଣ ବିଧାନ ସଭା ସଦସ୍ୟଙ୍କ ସମେତ ଉପସ୍ଥିତ ସମସ୍ତେ ଓ ମାନ୍ୟବର ରାଜ୍ୟପIଳ ନିରବମୁଦ୍ରାରେ ଠିଆହୋଇପଡନ୍ତି , ସେଭଳି ସମ୍ମାନନୀୟ କବିତାକୁ ନେଇ କାହା ସହ ହାଇବ୍ରିଡ କରି ମାଙ୍କଡ ନଚା ଦେବା କଣ ସଙ୍ଗୀତର ପରିପନ୍ଥି ? ଋତୁରାଜ ଆଉ ସୋନା ଦୁଇ ଜଣଙ୍କୁ ବର୍ଷେ ସମୟ ଦେଲେ ବି ସେ କବିତାକୁ ଠିକ ଭାବେ ଲେଖି ପIରିବେ କି ? ତାହେଲେ ଓଡିଆ ଗୀତ ଓ ସଂସ୍କୃତିକୁ ବିଶ୍ଵ ଦରବାରରେ ପରିଚିତ କରିବାର ଚିନ୍ତା ନେଇ ସେମାନେ ଏକାମ କରିଛନ୍ତି ବୋଲି କେମିତି କୁହାଯିବ ? କେବଳ ଗାଇବା ପIଇଁ ଓ ବେପାର ଛଡା ୟାର ଅନ୍ୟ କିଛି ଉଦ୍ଦ୍ୟେଶ୍ୟ ନାହିଁ ।ଛାତିରେ ହାତଦେଇ ସେମାନେ କହି ପIରିବେ କି ଯେ ସେମାନେ ଉପର ମହତ ଉଦ୍ଦ୍ୟେଶ୍ୟ ନେଇ ସେମିତି କରିଥିଲେ ବୋଲି ? ମୁଁ ଜାଣିବାରେ ଓଡିଶାରେ ଏମିତି ଗୋଟିଏ ବିଦ୍ୟାଳୟ ନ ଥିବ ଯେଉଁଠି ଉତ୍କଳ ବନ୍ଦନା ବୋଲା ଯାଇ ନ ଥ୍ଗିବ ! ଏତିକି ସାଧାରଣ ଜ୍ଞାନ ସେମାନଙ୍କର ଓ ଉଦ୍ଭଟ୍ଟ ଯୁକ୍ତି କରୁଥିବା ଲୋକମାନଙ୍କର ରହିବା ଦରକାର । ମୋ ମା କୁ ମୋ ନିଜ ଗାଁରେ ଅଳ୍ପ କେଇଜଣ ଆପଣା ଲୋକ ଜାଣି ଥାନ୍ତୁ ପଛେ , ବିଶ୍ଵ ପରିଚିତା କରିବା ପIଇଁ ମୁଁ ତା ଲୁଗାପଟା ଖୋଲି ତା ଉପରେ ଧଳା ବାର୍ନିଶ ରଙ୍ଗ ଦେଇ ତା ହାତଗୋଡ ଦେହମୁଣ୍ଡକୁ ବନସାଇ ସଜେଇ ତାକୁ ନେଇ ବେପIର କରିପାରିବି ନIହିଁ । ଜୀବନରୁ ସହଜାତ ରଙ୍ଗ ହଜେଇ ଦେଇ ରଙ୍ଗିଲା ଲାଗୁଥିବା କୁହୁଡି ରଙ୍ଗରେ ପହଂରୁଥିବା ତଥାକଥିତ ରଙ୍ଗବତୀମାନେ ହୁଏତ ଏଫଅଋ କରି ପIରନ୍ତି । ରଙ୍ଗବତୀ ଗୀତ କଥା ତ ଅନେକ କୁହା ଗଲାଣି । ଆଉ ବାକି କଣ ଅଛି ଯେ କହିବି ? ଯାହା ବି ହେଉ ଋତୁରାଜ ଓ ସୋନା ଆମ ଓଡିଆ ପଇଲା । ଜାଣି ନାହାନ୍ତି । କୌଣସି ମା କଣ ତା ସନ୍ତାନଙ୍କୁ ଦଣ୍ଡ ଦିଏ ? ସହି ନିଆଯାଉ ଓ ଭବିଷ୍ୟତରେ ଏମିତି ଭୂଲ ନ କରିବା ପାଇଁ ତାଙ୍କୁ ବୁଝେଇ ଦିଆଯାଉ । ତାଆପରେ ସୋନା କଣ ଜଣେ ଉତ୍କୃଷ୍ଟ ଗାୟିକା ? କେବେ ନୁହେଁ । ସେ ଜଣେ ପerformer ଅର୍ଥାତ ପରଦର୍ଶିକା । ତାଠୁ ବେଶୀ ନୁହେଁ ।

    Reply

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version