କେଦାର ମିଶ୍ର
ବେଳାଭୂମିର ସୁନାରଙ୍ଗ ବାଲି ଉପରେ ନାଲି କଙ୍କଡ଼ା ଚାଲୁଥିବାର ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକମାନେ ଓଡ଼ିଶା ଆସନ୍ତି । ଓଡ଼ିଶାରେ ବହୁ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳନ୍ତି । ସବୁ ପ୍ରଜାତିର ପ୍ରକୃତି ଓ ଚାଲି ଭିନ୍ନ ପ୍ରକାର । ତେଣୁ କଙ୍କଡ଼ାମାନଙ୍କ ଭିତରେ ବହୁ ପ୍ରକାରର ଜାତିଭେଦ ଓଡ଼ିଶାରେ ରହିଛି ।
ତେବେ ଓଡ଼ିଆମାନଙ୍କୁ କଙ୍କଡ଼ା ବୋଲି କହିବାରେ ଖୋଦ୍ ଓଡ଼ିଆମାନେ କମ୍ ଗୌରବ ଅନୁଭବ କରନ୍ତି ନାହିଁ । ଓଡ଼ିଆ ଜାତିକୁ ଗୋଡ଼ଟଣା କଙ୍କଡ଼ା ବୋଲି କିଏ କେବେ କହିଥିଲା, ତା’ର ଇତିହାସ ହୁଏତ ଖୋଜିଲେ ମିଳିବ ନାହିଁ । ତେବେ ପ୍ରତି କଥାରେ ଓଡ଼ିଆ ମଧ୍ୟବିତ୍ତମାନେ ନିଜକୁ କଙ୍କଡ଼ା ବୋଲି କହି ଗାଳି ଦେବାରେ ବେଶ୍ ଗୌରବ ଅନୁଭବ କରନ୍ତି ।
ଓଡ଼ିଶାର ସାଧାରଣ ଓ ଗରିବ ଲୋକେ ଗୋଡ଼ଟଣା ପ୍ରକୃତି କ’ଣ, ସେ ବିଷୟରେ କିଛି ଜାଣନ୍ତି ନାହିଁ । ସେମାନେ ନିଜର ଶ୍ରମ, ସଂଘର୍ଷ ଓ ଝାଳନାଳ ଭିତରେ ପଡ଼ି ରହିଥା’ନ୍ତି । ସେମାନେ ନିଜ ପେଟ ଓ ପିଠି ଲାଗି ସଂଘର୍ଷର ନୂଆ ଇତିହାସ ପ୍ରତିଦିନ ସୃଷ୍ଟି କରନ୍ତି ।
କୌଣସି ସାଧାରଣ ଓଡ଼ିଆ ଆଉ ଜଣେ ଓଡ଼ିଆକୁ କଙ୍କଡ଼ା ବୋଲି ଗାଳି କରିବାର କେହି କେବେ ଶୁଣି ନଥିବେ । ବିଶେଷକରି ଉଚ୍ଚବର୍ଗ ଓ ମଧ୍ୟବିତ୍ତ ଓଡ଼ିଆଙ୍କ ପାଇଁ କଙ୍କଡ଼ା ଶବ୍ଦଟି ଏକ ସହଜସାଧ୍ୟ ବିଶେଷଣ । ଯେଉଁମାନେ ସାରା ଜୀବନ ଉପରକୁ ଉଠିବା ଓ କଳେବଳେ କୌଶଳେ ସବୁ ସୁଯୋଗ ହାତେଇବାର ଉଦ୍ୟମରେ ମାହିର୍, ସେମାନେ ହିଁ ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ନ୍ତି ।
ସେମାନେ ଯେହେତୁ କଙ୍କଡ଼ା ଦୌଡ଼ରେ ଥାଆନ୍ତି ସେମାନଙ୍କୁ ସାରା ଜଗତ କଙ୍କଡ଼ା ମନେ ହୁଏ । କଙ୍କଡ଼ା ପରି ଜୀବନ ବଞ୍ଚୁଥିବା ଏହି ମଧ୍ୟବିତ୍ତ ଓଡ଼ିଆମାନେ ଅନ୍ୟମାନଙ୍କୁ କଙ୍କଡ଼ା ବୋଲି କହିବାବେଳେ ନିଜ ଦେହରେ ଚଢିଥିବା କଙ୍କଡ଼ାର ଖୋଳପାଟିକୁ ଦେଖିପାରନ୍ତି ନାହିଁ । ସେଇଟା ସବୁଠୁ ବଡ଼ ବିଡ଼ମ୍ବନା ।
ଜଣେ ଓଡ଼ିଆ ଲୋକ ଯେତେବେଳେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ କିଛି ସୁନାମ ପାଏ, ତା’କୁ ଗାଳିଦେବା ଆମର ସ୍ୱଭାବ ବୋଲି କୁହାଯାଇଛି । ସମ୍ପ୍ରତି ରଙ୍ଗବତୀ ଗୀତକୁ ନେଇ ଚାଲିଥିବା ବିବାଦ ଆଢୁଆଳରେ ଏହି କଙ୍କଡ଼ା ପ୍ରବୃତ୍ତିର ଚର୍ଚ୍ଚା ବଢିଯାଇଛି ।
ରିମିକ୍ସ ରଙ୍ଗବତୀ ଆସିଲା ପରେ ତା’କୁ ନେଇ ଯେଉଁମାନେ ଆପତ୍ତି ଉଠାଇଲେ, ସେମାନଙ୍କୁ ରକ୍ଷଣଶୀଳ, ପଛୁଆ, ଅଣଆଧୁନିକ ଓ ଗୋଡ଼ଟଣା ପ୍ରବୃତ୍ତିର କଙ୍କଡ଼ା ଜାତୀୟ ଜୀବ ବୋଲି କହିବାକୁ ଏକ ନୂଆ ଫେସନ୍ ଭାବେ ଗ୍ରହଣ କରି ନିଆଗଲା ।
ଏପ୍ରକାର ଅଭିଯୋଗ ଯେଉଁମାନେ ଆଣିଲେ, ସେମାନେ ପ୍ରାୟତଃ ଉଚ୍ଚ ବର୍ଗ ଓ ମଧ୍ୟବିତ୍ତ ଓଡ଼ିଆ ଶ୍ରେଣୀର ପ୍ରତିନିଧି । ସେମାନେ ନିଜ ପରିବାର, ଘର ଓ ସମାଜରେ ଓଡ଼ିଆ ଭାବକୁ ନେଇ କ୍ୱଚିତ୍ ଗର୍ବିତ ହୁଅନ୍ତି । ସେମାନେ ଇଂରାଜୀ ପଢୁଆ ବାବୁଘରର ପିଲା । ସେମାନଙ୍କୁ ଓଡ଼ିଆ ଲେଖି ଆସେ ନାହିଁ । ଓଡ଼ିଆ କହିବାରେ ସେମାନଙ୍କୁ ଲାଜ ଲାଗେ ।
ଓଡ଼ିଶାର ସଂସ୍କୃତି କହିଲେ ସେମାନେ କାଁ ଭାଁ ଶୁଣିଥିବା ଗୀତ ଓ ଦେଖିଥିବା ନାଚକୁ ବୁଝନ୍ତି । ଓଡ଼ିଶାର ସଂସ୍କୃତି ଯେ ବହୁ ବିବିଧତାରେ ଭରା ଓ ଏହାର ବହୁ ରୂପ ରହିଛି, ସେ ବିଷୟରେ ତାଙ୍କର କୌଣସି ଜିଜ୍ଞାସା ନଥାଏ । କେବଳ ସଂସ୍କୃତି ହେଉଛି ସେମାନଙ୍କ ପାଇଁ ବାଣିଜ୍ୟର ବିଷୟବସ୍ତୁ । ସେଥିଲାଗି ରଙ୍ଗବତୀ ଗୀତର ତଥାକଥିତ ଜାତୀୟ ମାନ୍ୟତାକୁ ନେଇ ସେମାନେ ଉତ୍ଫୁଲ୍ଲିତ ହୋଇପଡ଼ନ୍ତି ।
ତାଙ୍କୁ ଲାଗେ କୋକ୍ ଷ୍ଟୁଡ଼ିଓରେ ବାଜିଗଲେ ଗୋଟେ ଗୀତ ଜାତୀୟ ମାନ୍ୟତା ପାଇଗଲା । ସେମାନେ ବୁଝିପାରନ୍ତି ନାହିଁ ଯେ ଗତ ୨ ବର୍ଷ ଭିତରେ ଶହ ଶହ ଗୀତ ଏମିତି ବାଜିଛି ଓ ଲିଭିଯାଇଛି । ସେହି କ୍ରମରେ ରଙ୍ଗବତୀ ବି କୋକ୍ ଷ୍ଟୁଡ଼ିଓରୁ ଲିଭିଯିବ । ଏହା କେବଳ ମାସେ କି ଦୁଇମାସ ପାଇଁ ସୋନା ମହାପାତ୍ର ଓ ଋତୁରାଜ ମହାନ୍ତିଙ୍କୁ ଚର୍ଚ୍ଚାରେ ରଖିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି ଯାହା । ତା’ଠୁ ଅଧିକ କିଛି ହେବାର ନାହିଁ ।
ତେବେ ଏ ପ୍ରସଙ୍ଗରେ ସଂସ୍କୃତିର ଶୁଦ୍ଧତାକୁ ନେଇ ଯୁକ୍ତି କରୁଥିବା ଲୋକଙ୍କୁ କଙ୍କଡ଼ା ବୋଲି ଯେଉଁମାନେ କହନ୍ତି, ସେମାନେ ନିଜେ କେତେ ଉଦାର, ତା’ର ଉଦାହରଣ ଆମେ ଲଣ୍ଠନ ଧରି ଖୋଜିଲେ ମଧ୍ୟ ପାଇବା ନାହିଁ । ଓଡ଼ିଆ ଜାତି ଯଦି ନିଜର ମାନ୍ୟତା ଓ ଅସ୍ମିତାକୁ ବଜାୟ ରଖିଛି, ତାହା ଏ ଜାତିର ସଂଘର୍ଷରତ କଳାକାରମାନଙ୍କ ପାଇଁ ।
ରଘୁରାଜପୁର ଗାଁର ପାନ ବରଜରେ କାମ କରୁଥିବା ଗୋଟେ ସାଧାରଣ ପରିବାରର ପିଲା କେଳୁ ଚରଣ ମହାପାତ୍ରଙ୍କ ଉଦ୍ୟମରେ ଓଡ଼ିଶୀ ଭଳି ଏକ ନୃତ୍ୟ ପଚାଶ ବର୍ଷ ଭିତରେ ସାରା ପୃଥିବୀରେ ବ୍ୟାପି ଗଲା । କେଳୁବାବୁଙ୍କୁ ନେଇ ଏ ଜାତି କେତେ ଗର୍ବ କରିଛି ? ଆଜି ଓଡ଼ିଶୀ ନୃତ୍ୟ ପୃଥିବୀର ଶହେଟି ଦେଶରେ ନିଜର ପ୍ରଭାବ ବିସ୍ତାରକରି ସାରିଲାଣି ।
ଯେଉଁମାନେ ଓଡ଼ିଆ ପଢନ୍ତି ନାହିଁ କି ଜାଣନ୍ତି ନାହିଁ ସେମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଆତ୍ମାକୁ ଚିହ୍ନିଛନ୍ତି । ଏହା କ’ଣ କମ୍ ସଫଳତା ? ଯେଉଁ ଗୁରୁ ଓ ନୃତ୍ୟଶିଳ୍ପୀମାନେ ଏହି ନୃତ୍ୟକୁ ଏତେ ବଡ଼ ମାନ୍ୟତା ଦେଲେ, ସେମାନଙ୍କୁ ନୂଆ ପିଢିର ଓଡ଼ିଆମାନେ ଗ୍ରହଣ କରିବେ ନାହିଁ କାହିଁକି ? କେବଳ ବଲିଉଡ୍ର ମାନ୍ୟତା ଏକମାତ୍ର ସ୍ୱୀକୃତି କି ?
ଗତ ୨୦ ବର୍ଷ ଭିତରେ ଚିତ୍ରକଳା ଜଗତରେ ଓଡ଼ିଆ ଚିତ୍ରଶିଳ୍ପୀମାନେ ବେଶ୍ ଆଗୁଆ ରହିଛନ୍ତି । ଜଗନ୍ନାଥ ପଣ୍ଡାଙ୍କ ଭଳି ଚିତ୍ରଶିଳ୍ପୀଙ୍କୁ ନୂଆ ଭାରତୀୟ ଚିତ୍ରଶିଳ୍ପୀଙ୍କ ଭିତରେ ଶ୍ରେଷ୍ଠ ଦଶଜଣଙ୍କ ଭିତରେ ଗଣାଯାଉଛି । ତାଙ୍କୁ ନେଇ ଆମେ ଗର୍ବିତ ହେଲୁଣି କି ? ପ୍ରତୁଲ୍ ଦାସ, ସୁଧାଂଶୁ ସୁତାର୍, ଅଦ୍ୱୈତ୍ ଗଡ଼ନାୟକଙ୍କ ଭଳି ଆହୁରି ଅନେକ ଚିତ୍ରଶିଳ୍ପୀ ଓ ସ୍ଥପତି ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ।
ତାଙ୍କ କଥା ଆମେ ଜାଣିଛୁ କି ? ଗୀତ କଥା ଉଠିଲେ କେତେ ଓଡ଼ିଆ ପିଲା ଜାତୀୟସ୍ତରରେ ନାଁ କଲେଣି । ସୋନା ମହାପାତ୍ର ପ୍ରଥମ ଓଡ଼ିଆ ଶିଳ୍ପୀ ଭାବରେ ଜାତୀୟ ମାନ୍ୟତା ପାଇନାହାନ୍ତି । ପ୍ରତି ଟେଲିଭିଜନ୍ ଶୋ’ରେ ଏବେ ନୂଆ ପିଢିର ଓଡ଼ିଆମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ।
ତେବେ ରିଅଲିଟି ଶୋ’ର ବାସ୍ତବତା ହେଉଛି ଏହା ଆସେ ଓ ଯାଏ । ରିଅଲିଟି ଶୋ’ରୁ ଖୁବ୍ କମ୍ ଶିଳ୍ପୀ ବାହାରନ୍ତି ଯେଉଁମାନେ ନିଜ ଦକ୍ଷତା ବଳରେ ଶ୍ରେୟା ଘୋଷାଲ୍ ବା ସୁନିଧି ଚୌହାନ ହୋଇପାରନ୍ତି । ବୋଧେ ସୋନା ମହାପାତ୍ର ସେହି ସ୍ତରକୁ ଯିବାକୁ ଆହୁରି ଅନେକ ବାଟ ବାକି ଅଛି ।
ସୋନା ମହାପାତ୍ର ଓ ଋତୁରାଜଙ୍କ ପାଇଁ ଓଡ଼ିଆମାନେ କିଛି କମ୍ ସହଯୋଗର ହାତ ବଢାଇ ନାହାନ୍ତି । ଓଡ଼ିଆଙ୍କ ସହଯୋଗ ବଳରେ ହିଁ ସେମାନେ ପ୍ରସିଦ୍ଧି ପ୍ରତିଷ୍ଠା ଓ ଲୋକପି୍ରୟତା ପାଇଛନ୍ତି । ଆଜି ଗୋଟିଏ ଭୁଲ୍ ପାଇଁ ତାଙ୍କୁ ଯଦି ସମାଲୋଚନା କରାଯାଏ, ତାହା କଙ୍କଡ଼ା ପ୍ରକୃତି ହୋଇଗଲା କେମିତି ?
କଙ୍କଡ଼ା ହେବାରେ ଅସୁବିଧା ବା କ’ଣ ? ନିଜର କରିତ୍କର୍ମା ଗୁଣ ଯୋଗୁଁ ଯେଉଁମାନେ ସଫଳତା ପାଆନ୍ତି, ସେମାନେ ଭାବନ୍ତି ତାଙ୍କୁ କେହି ସମାଲୋଚନା ନ କରୁ । ସଫଳତା ପାଇଁ ଯେକୌଣସି ପ୍ରକାର ନୀଚ୍ଚ ମାଧ୍ୟମ ଅବଲମ୍ବନ କଲେ ମଧ୍ୟ ତାକୁ କେହି ଆଲୋଚନା ନ କରନ୍ତୁ । ଏହା ଆମେ ଚାହୁଁ ।
ଏହା କେବଳ ଓଡ଼ିଆ ଉଚ୍ଚବର୍ଗ ବା ମଧ୍ୟବିତ୍ତ ନୁହନ୍ତି, ପୃଥିବୀର ସବୁ ମଧ୍ୟବର୍ଗର ଏହା ହେଉଛି ପ୍ରବୃତ୍ତି । ସଫଳତାକୁ ଆପଣାର କରି ଏହା ପଛରେ ରହିଥିବା କଳଙ୍କିତ ଇତିହାସକୁ ଭୁଲିଯିବା ଉଚିତ ବୋଲି ଆମକୁ ଉପଦେଶ ଦିଆଯାଏ ।
ସଫଳତାର କାହାଣୀ ଶୁଣୁ ଶୁଣୁ ଆମେ ନିଜେ ଭ୍ରଷ୍ଟାଚାର ଓ ଦୁର୍ନୀତିର ଅଂଶ ପାଲଟିଗଲେ ମଧ୍ୟ କିଛି ଯାଏ ଆସେ ନାହିଁ ବୋଲି ଆମକୁ ପ୍ରବଚନ ଶୁଣାଯାଏ । ଉଦାହରଣ ଦେଇ କୁହାଯାଇପାରେ- ନିକଟରେ ଜଣେ ପ୍ରଭାବଶାଳୀ ଓଡ଼ିଆ ରାଜନେତାଙ୍କ ନାଁରେ
ଦୁର୍ନୀତିର ଅଭିଯୋଗ ଆସିଲା । ତାଙ୍କୁ ସମାଲୋଚନା କରିବା ପାଇଁ ଓଡ଼ିଆ କଙ୍କଡ଼ାମାନେ ସାହସ ନ କରନ୍ତୁ ବୋଲି କେହି କେହି ପ୍ରବଚନ ଦେଲେ ।
ଏହି ରାଜନେତାଜଣଙ୍କ ନିଜ କରିତ୍କର୍ମା ଗୁଣ ଯୋଗୁଁ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିଲେ ଓ ଏହା ତାଙ୍କ ଓଡ଼ିଆପଣର ସଫଳତା । ସୁତରାଂ ତାଙ୍କୁ ସମାଲୋଚନା କରିବା ଓଡ଼ିଆଙ୍କ ପକ୍ଷେ ଉଚିତ ନୁହେଁ ବୋଲି କୁହାଯାଉଛି । ସବୁ ସାର୍ଥକ ଓ ସଫଳ ଓଡ଼ିଆ ସମାଲୋଚନାଠୁ ଉଦ୍ଧ୍ୱର୍ରେ ରହିବାକୁ ଚାହାଁନ୍ତି ।
ସେମାନଙ୍କ ଦେହରେ ନିଆଁ ପାଣିରେ ଧାସ ବାଜିବ ନାହିଁ । ସେମାନେ ଓଡ଼ିଆ ଜନଜୀବନ, ସଂସ୍କୃତି ଓ ସମାଜକୁ ଯେତେ ବିକୃତ କଲେ ମଧ୍ୟ ତାଙ୍କୁ ଆମେ ସମାଲୋଚନା କରିବାର ଯୋଗ୍ୟ ନୁହଁ !
ଦୁର୍ଭାଗ୍ୟ କଥା ହେଉଛି ଯେଉଁମାନେ ଓଡ଼ିଆମାନଙ୍କୁ କଙ୍କଡ଼ା ବୋଲି ଗାଳି କରନ୍ତି, ସେମାନଙ୍କ ହାତରେ ଓଡ଼ିଶାର ସବୁ ସମ୍ବଳ ଓ କ୍ଷମତା ଗଚ୍ଛିତ । ସେମାନେ ଆମର ଖଣି, ଖାଦାନ ଓ ପ୍ରମୁଖ ବାଣିଜ୍ୟ ପ୍ରତିଷ୍ଠାନର ମାଲିକ । ସେମାନଙ୍କ ହାତରେ ଗଣମାଧ୍ୟମର ମାଲିକାନା ।
ସେମାନଙ୍କ ହାତରେ ରାଜନୀତିର ସବୁ କ୍ଷମତା । ସେମାନେ ଆମର ହର୍ତ୍ତାକର୍ତ୍ତା ଓ ବିଧାତା । ସେମାନେ ଓଡ଼ିଶାକୁ ଲୁଟ୍ କରି ନିଜର ପେଟ ବଢାନ୍ତି ଆଉ ଆଶା କରନ୍ତି ଯେ ତାଙ୍କ ପେଟ ଉପରେ କୌଣସି ଓଡ଼ିଆର ନଜର ନ ପଡ଼ୁ । ସେମାନେ ଓଡ଼ିଶାର ସଂସ୍କୃତିକୁ ବିକୃତ, ବଜାରୀ ଓ ଚାଲୁ କରି ନିଜର ପ୍ରତିଷ୍ଠା ବଢାନ୍ତି । ସେହି ବିକୃତି ବିରୋଧରେ ଯିଏ କହେ, ତାକୁ ରକ୍ଷଣଶୀଳ ବୋଲି ଗାଳି କରନ୍ତି । ଓଡ଼ିଆ ମାଟିରେ ପଡ଼ି ରହି ଯେଉଁମାନେ ଓଡ଼ିଶାର ସେବା କରନ୍ତି, ସେମାନେ ପଛୁଆ ହୋଇ ସାରାଜୀବନ ରହନ୍ତି ।
ଅଥଚ ଓଡ଼ିଶା ବାହାରେ ଦରବୁଝା ଓଡ଼ିଆକୁ ନେଇ ଯେଉଁମାନେ ରାତାରାତି ତାରକା ପାଲଟିଯାଆନ୍ତି, ସେମାନଙ୍କୁ ଏଠି ଫୁଲମାଳ ଦେଇ ସ୍ୱାଗତ କରାଯାଏ । ଓଡ଼ିଆ ମଧ୍ୟବିତ୍ତ ବର୍ଗର ଏହି ଛଳନା ଯୋଗୁଁ ଓଡ଼ିଶାର ମୌଳିକ ସଂସ୍କୃତି ଉଧେଇ ପାରେ ନାହିଁ ।
ଏଇମାନେ ଓଡ଼ିଆ ସଂସ୍କୃତି ନାଁରେ ଯାବତୀୟ ବିକୃତିର ପୃଷ୍ଠପୋଷକ ସାଜନ୍ତି ।
ଏମାନଙ୍କପାଇଁ ଓଡ଼ିଶାର ଜନଜୀବନରୁ ବହୁ ଲୋକ ପରମ୍ପରା ମରି ମରି ଆସେ । ନିଜ ବଜାର ସୃଷ୍ଟି କରିବାକୁ ଯାବତୀୟ ବିକୃତିକୁ ଏମାନେ ସଂସ୍କୃତି ଓ ରାଜନୀତିରେ ପ୍ରୋତ୍ସାହନ ଦିଅନ୍ତି । ସବୁଠୁ ମଜା କଥା ହେଉଛି ବେଳେବେଳେ ଏଇମାନେ ନିଜେ ଓଡ଼ିଆ ସଂସ୍କୃତିର ମଙ୍ଗୁଆଳ ସାଜି ମଞ୍ଚ ଉପରେ ଭାଷଣ ମଧ୍ୟ ଦିଅନ୍ତି ।
ଏମାନେ ନିଜେ କଙ୍କଡା ନା କର୍କଟ ତାହା ସମୟ ବିଚାର କରିବା ଉଚିତ୍ । ଓଡ଼ିଆ ସମାଜର ନବେ ଭାଗ ଲୋକ ଜାଣନ୍ତି ନାହିଁ କଙ୍କଡ଼ା ପ୍ରବୃତ୍ତି କ’ଣ । କେବଳ ଦଶଭାଗ ଓଡ଼ିଆ ନିଜ ଭିତରର ଈର୍ଷା, ଅସୂୟା ଓ ଗୋଡ଼ ଟଣାଟଣିକୁ ନେଇ ପରସ୍ପରକୁ କଙ୍କଡ଼ା ବୋଲି ସମ୍ବୋଧନ କରନ୍ତି । ଏହି କଙ୍କଡ଼ାଙ୍କ ସହ ଓଡ଼ିଶା ବା ଓଡ଼ିଆଙ୍କର କୌଣସି ସମ୍ପର୍କ ନାହିଁ ।
(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା