କେଦାର ମିଶ୍ର
ଶହେ ଘଣ୍ଟା ଧରି ନିରନ୍ତର ଗୋଟିଏ ଘଟଣାର ପ୍ରସାରଣ ଓ ପରିବେଷଣ ପରେ ଏହାର ମହାପ୍ରଭାବ ପରିଲକ୍ଷିତ ହେଲା ଓ ଜଣେ ଭଣ୍ଡ ବାବା ଜେଲକୁ ଗଲେ ବୋଲି ଅତ୍ୟନ୍ତ ଆତ୍ମତୃପ୍ତିର ସହ ଗୋଟିଏ ଟେଲିଭିଜନ୍ ଚ୍ୟାନେଲ୍ ଉଦଘୋଷକ ଘୋଷଣା କଲେ ।
ଶହେ ଘଣ୍ଟା ଧରି ଦର୍ଶକଙ୍କ ଆଖି ଓ କାନ ଉପରେ ଯେଉଁ ପ୍ରକାର ଅତ୍ୟାଚାର କରାଗଲା, ତାହାର ପ୍ରଭାବ କେଉଁଠି ନା କେଉଁଠି ଅବଶ୍ୟ ପଡ଼ିଥା’ନ୍ତା । ସାରଥୀ ବାବା ପ୍ରସଙ୍ଗରେ ଓଡ଼ିଶାର ଟେଲିଭିଜନ ଚ୍ୟାନେଲ ଗୁଡିକ ଏତେ ଅଧିକ ଉତ୍ସାହିତ ହୋଇପଡ଼ିଲେ ଯେ, ତାଙ୍କୁ ଲାଗିଲା ଏହାହିଁ ଓଡ଼ିଶାର ପରିତ୍ରାଣ ପାଇଁ ଏକମାତ୍ର ପ୍ରସଙ୍ଗ ।
କହିବାରେ ଦ୍ୱିଧା ନାହିଁ ଯେ, ସାରଥୀ ଓରଫ୍ ସନ୍ତୋଷ ରାଉଳ ଯେଉଁପ୍ରକାର କାରନାମା ସହ ସମ୍ପୃକ୍ତ, ସେ ଜେଲ୍ ଯିବା ଉଚିତ୍ । ହଜାର ହଜାର ଭକ୍ତଙ୍କୁ ନିଜ ଭଣ୍ଡବିଦ୍ୟାରେ ଆକର୍ଷିତ କରି କୋଟିପତି ହୋଇଥିବା ଏହି ବାବା ଜଣକ କାହାଠୁ ସମର୍ଥନ ପାଇବେ ନାହିଁ । ତେବେ ପ୍ରସଙ୍ଗଟି ସେଇଠି ସରିଯିବା ଉଚିତ୍ । ଅତି ସରଳ ଭାବରେ କହିବାକୁ ଗଲେ ସାରଥି ପ୍ରସଙ୍ଗ ଆମ ସାମାଜିକ ଜୀବନର ଏକ ଛୋଟିଆ ନୈତିକ ବିପର୍ଯ୍ୟୟ ମାତ୍ର ।
ପ୍ରତ୍ୟେକ ଧାର୍ମିକ ପୀଠରେ ଭ୍ରଷ୍ଟାଚାର ଓ ପାଗଳାମୀର ମିଶାମିଶି ଏକ ବାତାବରଣ ରହିଥାଏ । ଲୋକଙ୍କ ବିଶ୍ୱାସକୁ ପୁଞ୍ଜି କରି ଧର୍ମଗୁରୁମାନେ ନିଜର ସାମ୍ରାଜ୍ୟ ବଢାଇଥା’ନ୍ତି । ଏହା ଆଦୌ ନୂଆ କଥା ନୁହେଁ । ଆଜି ଯେତେବେଳେ ଆଶାରାମ ବାପୁଙ୍କ ବିଶାଳ ଅର୍ଥନୈତିକ ସାମ୍ରାଜ୍ୟର ଚର୍ଚ୍ଚା ଚାଲିଛି, ସେଠି ସାରଥି ବାବା ଦଣ୍ଡିକିରି ମାଛଟିଏ ମାତ୍ର ।
ଶେଷତମ ତଥ୍ୟ ଅନୁଯାୟୀ ଆଶାରାମ ବାପୁଙ୍କ କଳା ଟଙ୍କାର ସାମ୍ରାଜ୍ୟ ୧୦ହଜାର କୋଟିରୁ ଅଧିକ । କେବଳ ୫୦୦ ବ୍ୟକ୍ତି ବିଶେଷଙ୍କୁ ସେ ୧୦୦୦ରୁ ଅଧିକ କୋଟି ଟଙ୍କାର ଋଣ ଦେଇଛନ୍ତି । ଟଙ୍କା ହାତ ଉଧାରି ଦେଇ ଅଧିକ ସୁଧ ଖାଇବାର ଏକ ସରଳ ପ୍ରକ୍ରି୍ୟା ଆଶାରାମ ବାପୁଙ୍କ ଭକ୍ତମାନଙ୍କ ଭିତରେ ପ୍ରଚଳିତ ।
ଆଶାରାମଙ୍କ ନାଁରେ ଯେଉଁସବୁ ମାମଲା ରହିଛି, ସବୁଗୁଡ଼ିକ ସଙ୍ଗୀନ । ହତ୍ୟା, ଧର୍ଷଣ, ଚୋରି, ଠକେଇ, ସାକ୍ଷୀମାନଙ୍କୁ ହତ୍ୟା ଓ ବିଦେଶରେ ଟଙ୍କା ଲଗାଣ ଭଳି ଭୟଙ୍କର ଅଭିଯୋଗ ତାଙ୍କ ନାଁରେ ଅଛି । ତଥାପି ଆଶାରାମଙ୍କର ଭକ୍ତମାନେ ବୁଝୁନାହାନ୍ତି । ବାବାଙ୍କ ନାଁରେ ଆଜି ବି କୀର୍ତନ ଚାଲିଛି । ତାଙ୍କର ହତ୍ୟା ଓ ଧର୍ଷଣର ସାମ୍ରାଜ୍ୟକୁ ଭାଙ୍ଗିବାରେ ଗଣମାଧ୍ୟମ ସଫଳ ହୋଇପାରିନାହିଁ ।
ବାବା ଓ ମାତା ପ୍ରସଙ୍ଗରେ ଗଣମାଧ୍ୟମର ଅବସ୍ଥା ବଡ଼ ବିଚିତ୍ର । ଗୋଟେ ପକ୍ଷରେ ସେମାନଙ୍କର ପ୍ରବଚନ, ଯୋଗାଭ୍ୟାସ ଓ ଭଜନକୁ ପରିବେଷଣ କରି ଆମେ ବିଜ୍ଞାପନ ହାସଲ କରିବାକୁ ଚାହୁଁଛୁ । ଅପରପକ୍ଷରେ ତାଙ୍କର ନୈତିକତାକୁ ନେଇ ଆମର ସନେ୍ଦହ କମ୍ ନୁହେଁ । ସାରଥୀ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରସାରଣ ପଛରେ କେବଳ ଗୋଟିଏ ଯୁକ୍ତି ହେଉଛି ନୈତିକତାର ଅବକ୍ଷୟ ।
ବାବା ନୀଳ ରଙ୍ଗର ଜିନସ ପିନ୍ଧିଥିଲେ, ମଦ ପିଇଲେ ଓ ଜଣେ ଯୁବତୀଙ୍କ ସହ ଗୋଟେ ପଞ୍ଚ ତାରକା ହୋଟେଲରେ ରାତ୍ରିଯାପନ କଲେ । ଊଣାଅଧିକେ ବହୁ ବାବା ଅତୀତରେ ଏଇୟା କଋ ଧରାପଡିଛନ୍ତି । ଯିଏ ଧରା ପଡ଼େ, ସିଏ ବଦନାମ୍ ହୁଏ, ଯିଏ ଧରାପଡ଼େ ନାହିଁ, ସିଏ ମହାପୁରୁଷ ସାଜି ପ୍ରବଚନ ଦେଇ ଚାଲିଥାଏ ।
ଏକଥା କହିଲେ ଭକ୍ତମାନେ ବିଗିଡ଼ିଯିବେ । ସେମାନେ କହିବେ ଭାରତ ହେଉଛି ସାଧୁସନ୍ଥମାନଙ୍କର ଦେଶ । ତେଣୁ ସବୁ ସାଧୁ ସାରଥୀ ବା ଆଶାରାମ ନୁହଁନ୍ତି । ହୁଏତ ଭକ୍ତମାନଙ୍କର ଭାବାବେଗକୁ ସମ୍ମାନ ଦିଆଯାଇପାରେ । ତେବେ ଅସଲ କଥା ହେଉଛି ଭକ୍ତି ଓ ଆଧ୍ୟାତ୍ମିକତାର ବଜାରରେ ସାଧୁସନ୍ଥ ଖୋଜିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ।
ଯେଉଁ ନିର୍ବୋଧମାନେ ଏହି ବଜାରର ପଣ୍ୟ ହେବାକୁ ଦଉଡ଼ିଯା’ନ୍ତି, ସେମାନଙ୍କ ପ୍ରତି ଦୟା ଦେଖାଇବାର କୌଣସି କାରଣ ନାହିଁ । ଭକ୍ତମାନେ ପ୍ରତାରିତ ହେବା ପାଇଁ ନିଜକୁ ସମର୍ପିତ କରିଥା’ନ୍ତି । ସତ କହିଲେ, ପ୍ରତାରଣା ସେମାନଙ୍କୁ କାଟେ ନାହିଁ । ଗୋଟିଏ ବାବା ବଦନାମ୍ ହେଲେ ସେମାନେ ଆଉ ଗୋଟିଏ ବାବା ବା ମାତାର ତଲାସ୍ ରେ ବାହାରିପଡ଼ନ୍ତି ।
ସାରାଜୀବନ ମୁକ୍ତି କିଣିବା ଲାଗି ପକେଟରେ ଟଙ୍କା ଧରି ବୁଲୁଥିବା ଏହି ଭକ୍ତମାନଙ୍କୁ ସ୍ୱୟଂ ଭଗବାନ ମଧ୍ୟ ବେ ଇ ପାରିବେ ନାହିଁ । ସେମାନଙ୍କର ନିର୍ବୋଧତା ଏତେ ଶକ୍ତିଶାଳୀ ଯେ, କୌଣସି ଯୁକ୍ତି ବା ତଥ୍ୟ ତାଙ୍କୁ ବିଚୁ୍ୟତ କରିପାରିବ ନାହିଁ । ମଣିଷ ଭିତରେ ଛୋଟିଆ ଯାଦୁକରଟିଏକୁ ଦେଖି ସେମାନେ ଭଗବାନଙ୍କୁ ପାଇଯା’ନ୍ତି ।
ତାହାହିଁ ହେଉଛି ଭକ୍ତିର ମୂଳ ଆଧାର । ଯେଉଁ ତଥାକଥିତ ବଡ଼ ଭକ୍ତିର କଥା ଆମେ କହୁ, ତା’କୁ ବଖାଣ କରି ହୁଏ ନାହିଁ । ଯେମିତି ରାମକୃଷ୍ଣ ପରମହଂସ କହନ୍ତି, “ଲୁଣର ପିତୁଳା ସମୁଦ୍ର କେତେ ଗଭୀର ମାପିବାକୁ ଗଲା । ସେଠୁ ଫେରିଲେ ସିନା ସେ ଆସି କହିବ, ସମୁଦ୍ର କେତେ ଗଭୀର !” ଭାବ ଓ ଭକ୍ତି ପ୍ରବଚନର ବିଷୟବସ୍ତୁ ନୁହେଁ । ଏହା ଅନୁଭବର ଉପାଦାନ ।
ଭକ୍ତମାନେ ଏହି ସାଧାରଣ କଥାକୁ ବୁଝିପାରନ୍ତି ନାହିଁ । ତେଣୁ ସେମାନେ ଯେତେବେଳେ ଭଣ୍ଡାମିର ଶିକାର ହୁଅନ୍ତି, ତା’କୁ ଦେଖି ଆଚମ୍ବିତ ହେବାର କୌଣସି କାରଣ ନାହିଁ । ଭକ୍ତମାନଙ୍କ ଭାଗ୍ୟ ହେଉଛି ସେଇଆ । ସେମାନେ ନିଜ ଛାତିରେ ନିଜ ଭଗବାନଙ୍କଠାରୁ ବାରମ୍ବାର ଗୋଇଠା ଖାଇବେ ଓ ନୂଆ ଭଗବାନ ଖୋଜୁଥିବେ । ସାରଥୀ ଭକ୍ତମାନେ ଏହାର ବ୍ୟତିକ୍ରମ ନୁହନ୍ତି ।
ତେବେ ଶହେ ଘଣ୍ଟା ଧରି ଓଡ଼ିଆ ଗଣମାଧ୍ୟମରେ ଯେଉଁ ଭଣ୍ଡ ଭାଗବତ ଆମେ ଶୁଣିଲୁ, ଏହାର କିଛି ପ୍ରଭାବ ଭକ୍ତବତ୍ସଳ ଜନତା ଉପରେ ପଡ଼ିବ କି ! ଏହାର ସିଧାସଳଖ ଉତ୍ତ ର ହେଉଛି – ଜମା କିଛି ପଡ଼ିବ ନାହିଁ । କାଳିଆବୋଦା, ରନ୍ତତଲେଇଠୁ ଆରମ୍ଭ କରି ସାରଥୀ ଆଶ୍ରମ ପର୍ଯ୍ୟନ୍ତ ବହୁ ଭ୍ରଷ୍ଟାଚାରୀ ବାବାଙ୍କ ପର୍ଦ୍ଧାଫାସ ହୋଇଛି, ହେଲେ ଫଳାଫଳ ଯଥା ପୂର୍ବଂ ତଥା ପରଂ । ଭକ୍ତମାନେ ପାଦରୁ ଝରୁଥିବା ମହୁ ଚାଟିବାକୁ ସବୁବେଳେ ବ୍ୟାକୁଳ । ତାଙ୍କ ବ୍ୟାକୁଳତାକୁ ବିକିଭାଙ୍ଗି ଖାଇବା ପାଇଁ ଗଣମାଧ୍ୟମ ମଧ୍ୟ କମ୍ ତତ୍ପର ନୁହେଁ ।
ଭାରତରେ ଆଧ୍ୟାତ୍ମିକ ବଜାରର ପୁଞ୍ଜିକୁ ଆକଳନ କରିବା ସହଜ ନୁହେଁ । ମୋଟାମୋଟି ଭାରତର ଛୋଟବଡ଼ ବାବାମାନଙ୍କର ସମ୍ପତ୍ତିର ଆକଳନ କରି କୁହାଯାଉଛି ଯେ, ଏହା ୫ ଲକ୍ଷ କୋଟି ଟଙ୍କାରୁ କମ୍ ହେବ ନାହିଁ । ଭଗବାନ ବୋଲି ଏବେବି ଲକ୍ଷ ଲକ୍ଷ ଲୋକଙ୍କ ଘରେ ପୂଜା ପାଉଥିବା ସତ୍ୟସାଇ ବାବାଙ୍କ ମୃତୁ୍ୟପରେ ତାଙ୍କ ଘରୁ ୯୮ କେଜି ସୁନା, ୩୦୭ କେଜି ରୂପା, ୧୧.୫୬ କୋଟି ଟଙ୍କାର ଅର୍ଥରାଶି, ଶହ ଶହ ଦାମୀ ଅତର ମିଳିଲା । ତାକୁ ଲୋକେ ଭୁଲିଗଲେଣି ।
ବାବାଙ୍କ ମୃତୁ୍ୟ ପରେ ତାଙ୍କର ସମ୍ପ ିକୁ ଖ ମାନେ ଖାଇଯିବାକୁ ବସିଥିଲେ, ସେଥିରେ ଭକ୍ତମାନଙ୍କର କିଛି ପରିବ ର୍ନ ହେଲା କି ! ଆଜିର ତାରିଖରେ ବାବା ରାମଦେବଙ୍କ ସମ୍ପ ିର ମୂଲ୍ୟ ୫୦୦୦ କୋଟି ଟଙ୍କା । ନିର୍ମଳ ବାବାଙ୍କର ୭୦୦ କୋଟି ଟଙ୍କା, ଖ୍ରୀଷ୍ଟିଆନ୍ ଧର୍ମଗୁରୁ ପଲ୍ ଦିବାକରନ୍ଙ୍କ ସମ୍ପତ୍ତିର ମୂଲ୍ୟ ୫୦୦୦ କୋଟି ଟଙ୍କା, ଅମୃତାନନ୍ଦମୟୀଙ୍କର ୧୭୦୦ କୋଟି ଟଙ୍କା, ଗୁରୁମିତ୍ ରାମ ରହିମ୍ଙ୍କର ୭୦୦ କୋଟି ଟଙ୍କା । ଏହି ଟଙ୍କା ସବୁ ଆସେ କୁଆଡୁ, ଯାଏ କେଉଁଠିକି, ତା’ର କୌଣସି ହିସାବ ନାହିଁ ।
ଆମ ଦେଶର ପ୍ରବର୍ତନ ନିଦେ୍ର୍ଧଶାଳୟ ଓ ଆୟକର ବିଭାଗ ବାବାମାନଙ୍କ ପ୍ରତି ବେଶ୍ କୋହଳ ମନୋଭାବ ପୋଷଣ କରନ୍ତି । କୌଣସି ଆଶ୍ରମରେ ଆୟକର ବିଭାଗର ରେଡ୍ ପଡ଼ିବା ଖବର ଆମେ ଶୁଣିନାହୁଁ । ଏଠି ବ୍ୟବସାୟ କରୁଥିବା ଲୋକ ଆୟକର ଠକିଲେ ତାକୁ ଦଣ୍ଡ ଦିଆଯାଏ । ଧର୍ମ ନାଁରେ ବ୍ୟବସାୟ କରୁଥିବା ଭଣ୍ଡମାନଙ୍କୁ ଦଣ୍ଡିତ କରାଯିବ ନାହିଁ କାହିଁକି ?
ଭଣ୍ଡମାନଙ୍କୁ ଦଣ୍ଡିତ କରିବା ପାଇଁ ଆମ ସରକାର ଓ ଶାସନ ପାଖରେ ସାହସ ନାହିଁ । କାରଣ ଭକ୍ତିର ମଦ ପିଇ ଭାସୁଥିବା ଭକ୍ତମାନେ ଭୋଟର ମଧ୍ୟ । ସେମାନେ ନିଜ ଗୁରୁଙ୍କ ନିଦେ୍ର୍ଧଶରେ ଭୋଟ ମଧ୍ୟ ଦେବାର ସମ୍ଭାବନା ରହିଛି । ତେଣୁ ସବୁ ରାଜନୈତିକ ଦଳ (ଅଳ୍ପ ବହୁତେ ବାମପନ୍ଥୀଙ୍କୁ ଛାଡ଼ି) ବାବାମାନଙ୍କର ଆଶ୍ରୟରେ ରହିବାକୁ ସୁବିଧା ବୋଲି ଭାବିଥାନ୍ତି । ସାରଥୀବାବାଙ୍କ କ୍ଷେତ୍ରରେ ସେଇଆ ଘଟିଛି ।
କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ନେତା ବାବାଙ୍କ ପାଦତଳେ ବସି ନିଜକୁ ଧନ୍ୟ ମଣିଛନ୍ତି । ଏକଥା କହିଲାବେଳେ ଆମକୁ ମନେ ପକାଇବାକୁ ହେବ ଯେ, କେନ୍ଦ୍ରାପଡ଼ା ଥିଲା ଓଡ଼ିଶାର ସମାଜବାଦୀ ରାଜନୀତିର ଏକ ପ୍ରମୁଖ କେନ୍ଦ୍ର, ସେଠୁ ବହୁ ବଡ଼ ବଡ଼ ସମାଜବାଦୀ ନେତା ଜିତିକି ଆସିଛନ୍ତି । ସମାଜବାଦୀ ଗଡ଼ରେ ଭାବବାଦୀ ସାରଥୀବାବାଙ୍କର ଉଦ୍ଭବକୁ ନୂଆ କରି ବିଚାର କରାଯାଇାପାରେ ।
ଆମ ରାଜନୀତିର କାପୁରୁଷପଣ ଓ ରାଜନେତାମାନଙ୍କର ଅନ୍ଧବିଶ୍ୱାସ ବାବାମାନଙ୍କ ଆଡ଼କୁ ଲୋକଙ୍କୁ ଅଧିକ ଆକର୍ଷିତ କରିଛି । ଆଜି ରାଜନୀତିରେ ଗାନ୍ଧି ବା ଲୋହିଆ ନାହାନ୍ତି । ଯେଉଁମାନଙ୍କ ପାଖରେ ରାଜନୈତିକ ଆଦର୍ଶ ଆଧ୍ୟାତ୍ମିକର ସ୍ତରକୁ ସ୍ପର୍ଶ କରିଥିଲା । ସେପ୍ରକାର ରାଜନୈତିକ ନେତୃତ୍ୱର ଅଭାବ ଯୋଗୁଁ ଆମ ସାମାଜିକ ଜୀବନ ଏବେ ଭଣ୍ଡମାନଙ୍କ ଦ୍ୱାରା ଅଧିକ ଆକର୍ଷିତ ହେଉଛି ।
ରାଜନୀତିରେ ବିଫଳତା ଧର୍ମକୁ ଅଧିକ ପ୍ରଭାବଶାଳୀ କରୁଛି । ଭାବବାଦର କଳା କୋଠରୀ ଭିତରେ ହେତୁବାଦର କୌଣସି ପ୍ରାସଙ୍ଗିକତା ରହୁନାହିଁ । ସାମାଜିକ ନେତୃତ୍ୱର ଅଯୋଗ୍ୟପଣ ଓ ଲୋକଙ୍କୁ ପ୍ରଭାବିତ କରିପାରିବାର ପ୍ରତିଭା ନଥିବାରୁ ଏହା ବାକ୍ଚାତୁରୀ ଜାଣିଥିବା ବାବାମାନଙ୍କ ହାତକୁ ଚାଲିଯାଉଛି ।
ଲୋକେ ଶାନ୍ତି ଖୋଜିବାକୁ ଯାଇ ଆହୁରି ଅଶାନ୍ତ ହେଉଛନ୍ତି । ଧର୍ମର ଗଣ୍ଡି ଭିତରେ ମଣିଷ ବେଶୀ ହତାଶ ହେଉଛି । ଏଥିପାଇଁ ଆମର ରାଜନୀତି ଓ ରାଜନୈତିକ ନେତୃତ୍ୱକୁ ସବୁଠୁ ଅଧିକ ଦାୟୀ ବୋଲି କହିବାରେ କୌଣସି ଅସୁବିଧା ନାହିଁ ।
Leave a Reply