Site icon Odisha.com

ମନୋଜ ପଣ୍ଡାଙ୍କୁ ଶାରଳା ପୁରସ୍କାର

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୨୧ (ଓଡିଶା ଡଟ କମ) ଓଡ଼ିଶାର ଖ୍ୟାତନାମା କଥାଶିଳ୍ପୀ ତଥା ଭାଷା ବିଚାରକ ମନୋଜ କୁମାର ପଣ୍ଡାଙ୍କୁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି  ।

ଆର୍ଥିକ ଦୃଷ୍ଟିରୁ ଓଡ଼ିଶାର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଭାବରେ ପରିଗଣିତ ଶାରଳା ପୁରସ୍କାର ଚୟନ କମିଟି ଗତ କିଛି ବର୍ଷ ଧରି ନିଜ ଚୟନ ପଦ୍ଧତିକୁ ନେଇ ବେଶ୍‍ ବିସ୍ମୟକର ନିଷ୍ପତ୍ତି ନେଇଛନ୍ତି  ।

ମୁଖ୍ୟ ସ୍ରୋତଠୁ ଦୂରରେ ରହି ସାହିତ୍ୟ ସାଧନା କରୁଥିବା ନିଷ୍ଠାପର ଲେଖକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାର ଏକ ସୁନ୍ଦର ଧାରା ଆରମ୍ଭ ହୋଇଛି  ।

ଯାହା ଫଳରେ ପ୍ରଫୁଲ୍ଲ ଦାସଙ୍କ ଭଳି ଲେଖକଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି  । ଚଳିତ ବର୍ଷ ଏହି କ୍ରମରେ ଆଉ ଏକ ବିସ୍ମୟକର ନିଷ୍ପତ୍ତି ହେଉଛି ମନୋଜ ପଣ୍ଡାଙ୍କୁ ଶାରଳା ପୁରସ୍କାର ମନୋଜ କୁମାର ପଣ୍ଡା ଖୁବ୍‍ ବେଶି ଲେଖିନାହାନ୍ତି  ।

ତାଙ୍କର ତିନୋଟି ମାତ୍ର ଗଳ୍ପ ସଂକଳନ – ହାଡ଼ ବଗିଚା, ବର୍ଣ୍ଣବଗିଚା ଓ ମାୟା ବଗିଚା  । ମାୟା ବଗିଚା ଗଳ୍ପ ସଂକଳନ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ  ।

ଅଳ୍ପ ଲେଖିଥିଲେ ମଧ୍ୟ ତାଙ୍କର କଥନଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ ଓ ସମକାଳର ଗଳ୍ପ କ୍ଷେତ୍ରରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି  । ବର୍ଣ୍ଣନା ବହୁଳ ଗପର ଧାରାଠୁ ଅଲଗା ପ୍ରତୀକାତ୍ମକ ଗଳ୍ପଧାରାର ସେ ଜଣେ ଅଗ୍ରଣୀ ଶିଳ୍ପୀ  ।

ଭାଷା, ଶୈଳୀ, ବିଷୟବସ୍ତୁ ଓ ଚରିତ୍ର ନିର୍ମାଣରେ ମନୋଜ ପଣ୍ଡାଙ୍କ କାରିଗରୀର ଏକ ସ୍ୱତନ୍ତ୍ର ଆବେଦନ ରହିଛି  । ଖୁବ୍‍ କମ୍‍ ଗପ ଲେଖି ସବୁବେଳେ ଚର୍ଚ୍ଚାରେ ରହିଥିବା ମନୋଜପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ଫଳରେ ଓଡ଼ିଆ ଗଳ୍ପର ବିକଳ୍ପଧାରାକୁ ସମ୍ମାନିତ କରାଯାଇଛି  ।

ଗାଳ୍ପିକ ମନୋଜ ପଣ୍ଡାଙ୍କ ଜନ୍ମ ବଲାଙ୍ଗୀରରେ  । ବୃତ୍ତିରେ ଶିକ୍ଷକ  । ଅଳ୍ପଦିନ ତଳେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି  । ତାଙ୍କର ନିଆରା ଗଳ୍ପ ଶୈଳୀ ଓ କଥନଭଙ୍ଗୀ ଯୋଗୁଁ ବେଶ୍‍ ଚର୍ଚ୍ଚାରେ ରହିଥିବା ମନୋଜ ପଣ୍ଡାଙ୍କୁ କୌଣସି ପ୍ରକାରେ ଆନୁଷ୍ଠାନିକ ସ୍ୱୀକୃତି ଆଜି ପର୍ଯ୍ୟନ୍ତ ମିଳିନଥିଲା  ।

ଏପରିକି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ଏଯାଏଁ ମିଳିନାହିଁ  । କେବଳ ଗଳ୍ପ ରଚନା ନୁହେଁ, ପ୍ରବନ୍ଧ ଓ ଭାଷା ଚର୍ଚ୍ଚା କ୍ଷେତ୍ରରେ ମଧ୍ୟ ମନୋଜ କୁମାର ପଣ୍ଡାଙ୍କର ସ୍ୱତନ୍ତ୍ର ଅବଦାନ ରହିଛି  ।

ବ୍ୟାବହାରିକ ଜୀବନରେ ଓଡ଼ିଆ ଭାଷାର ପ୍ରୟୋଗକୁ ନେଇ ସେ କିଛି ସୁନ୍ଦର ପ୍ରବନ୍ଧ ମଧ୍ୟ ଲେଖିଛନ୍ତି  । ସେହି ଦୃଷ୍ଟିରୁ ଦେଖିଲେ ଶାରଳା ପୁରସ୍କାର ଚୟନ କମିଟିର ଏହି ନିଷ୍ପତ୍ତି ଐତିହାସିକ  ।

ଲେଖକର ପ୍ରଭାବ ଓ ପ୍ରତିଷ୍ଠା ଅପେକ୍ଷା ତା’ର ଲେଖାକୁ ଗୁରୁତ୍ୱ ଦେଇ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶାରଳା ପୁରସ୍କାର କମିଟିକୁ ଧନ୍ୟବାଦ ଦେବାକୁ ପଡ଼ିବ  । ପୁରସ୍କାର ବାବଦରେ ଶ୍ରୀ ପଣ୍ଡାଙ୍କୁ ୫ ଲକ୍ଷଟଙ୍କା ପ୍ରଦାନ କରାଯିବ  ।

ଏହି ଅବସରରେ ଆସନ୍ତା ମାସ ଆୟୋଜିତ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହରେ ବିଶିଷ୍ଟ ହିନ୍ଦୀ କଥାଶିଳ୍ପୀ ମୃଦୁଳା ଗର୍ଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବେ  ।

ଓଡିଶା ଡଟ କମ

Exit mobile version