ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ଅଗଷ୍ଟ ୨୬ (ଓଡିଶା ଡଟ କମ) ରାଜ୍ୟର କେତେକ ଆଦିବାସୀ ବହୁଳ ଅଞ୍ଚଳରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାରୁ ସେମାନଙ୍କୁ ପ୍ରୋଲୋଭିତ କରି ଧର୍ମ ପରିବର୍ତନ କରାଯାଇଛି ଅଥବା ସେମାନେ ସ୍ଵେଚ୍ଛାରେ ଏହି ଧର୍ମ ଗ୍ରହଣ କରିଛନ୍ତି ସେ ନେଇ ବିବାଦ ଆରମ୍ଭ ହୋଇଯାଇଛି ।
ବିଭିନ୍ନ ଧର୍ମାବଲମ୍ବୀଙ୍କ ସଂଖ୍ୟା ଉପରେ ହୋଇଥିବା ୨୦୧୧ ଜନ ଗଣନା ଅନୁସାରେ ୨୦୦୧- ୨୦୧୧ ମଧ୍ୟରେ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୩.୧୭ ପ୍ରତିଶତ ବଢିଥିବା ବେଳେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨୯.୩୯ ପ୍ରତିଶତ ବୃଦ୍ଧି ଘଟିଛି ।
ରାଜ୍ୟ ଜନ ଗଣନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ନିକଟରେ ହୋଇଥିବା ସମୀକ୍ଷା ବୈଠକରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ବଲାଙ୍ଗିର ଜିଲ୍ଲାରେ ହିନ୍ଦୁ ସଂଖ୍ୟା ସର୍ବାଧିକ ୨୩.୩୫ ପ୍ରତିଶତ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମୁସଲିମ ସଂଖ୍ୟା ସର୍ବାଧିକ ୨୮.୫୦ ପ୍ରତିଶତ ବୃଦ୍ଧି ପାଇଛି ।
ଠିକ ସେହି ପରି ବୌଦ ଜିଲ୍ଲାରେ ଖ୍ରୀଷ୍ଟିଆନ ସଂଖ୍ୟା ସର୍ବାଧିକ ୧୧୮.୪୧ ପ୍ରତିଶତ ବଢିଛି । ଏହି ଜିଲ୍ଲାରେ ହିନ୍ଦୁ ସଂଖ୍ୟା ବଢିବ ହାର ହେଲା ମାତ୍ର ୧୭.୭୬ ପ୍ରତିଶତ ।ଠିକ ସେହିପରି ସୁବର୍ଣପୁର ଜିଲ୍ଲାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ୭୦.୦୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୧୭.୭୬ ବୃଦ୍ଧି ପାଇଛି ।
ଗଞ୍ଜାମ ଜିଲ୍ଲାରେ ମଧ୍ୟ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୬୧.୮୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ମାତ୍ର ୧୨.୪ ପ୍ରତିଶତ ରେ ସୀମିତ ରହିଛି । ମିଳିଥିବା ଏହି ଜନ ଗଣନା ତଥ୍ୟ ଅନୁସାରେ ଯେଉଁ ଜିଲ୍ଲାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ସେ ମଧ୍ୟରୁ ଅଧିକାଂଶ ହେଉଛି ଆଦିବାସୀ ବହୁଳ ଜିଲ୍ଲା ।
ଉଦାହରଣ ସ୍ୱରୂପ ମୟୂରଭଞ୍ଜ, ରାୟଗଡା ଓ ମାଲକାନଗିରି ରେ ଖ୍ରୀଷ୍ଟିଆନ ସଂଖ୍ୟା ଯଥାକ୍ରମେ ୬୪.୫୬, ୫୩.୭୮ ଓ ୫୯.୩୫ ପ୍ରତିଶତ ବୃଦ୍ଧି ପାଇଛି ।
ଏହି ଜିଲ୍ଲା ମାନଙ୍କରେ ଏହି ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ହିନ୍ଦୁଙ୍କ ସଂଖ୍ୟା ହେଲା ମାତ୍ର ୧୩.୮୩ , ୧୩.୪୮ ଓ ୨୧. ୧୨ ପ୍ରତିଶତ ।
ସବୁଠାରୁ ଗୁରୁତ୍ଵ ପୂର୍ଣ ତଥ୍ୟ ହେଲା ରାଜ୍ୟରେ ଏହି ସମୟ ମଧ୍ୟରେ ବୁଦ୍ଧ ଧର୍ମାବଲମ୍ବିଙ୍କ ସଂଖ୍ୟା ୪୪.୪୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଶିଖ ଓ ଜୈନ ଧର୍ମାବଲମ୍ବୀଙ୍କ ସଂଖ୍ୟାରେ ଯଥାକ୍ରମେ ୨୫.୭୨ ଓ ୨.୯୧ ପ୍ରତିଶତ ବୃଦ୍ଧି ଘଟିଛି ।
ଓଡିଶା ଡଟ କମ