ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ବୁଧବାର ନିଜର ଅନ ଲାଇନ ବିକ୍ରି ବଟା ବ୍ୟବସ୍ଥାର ଶୁଭାରମ୍ଭ କରିଛି ।
ସହିଦ ନଗରରେ ଏହି ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଖୋଲିଥିବା ଆଇସକ୍ରିମ ପାର୍ଲରକୁ ଉଦଘାଟନ କରିବା ଅବସରରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ଅନ ଲାଇନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।
ତେବେ ଏହି ସେବା ବର୍ତମାନ ପାଇଁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଉପଲବ୍ଧ ହେବ। ଗ୍ରାହକ www.omfed.in କୁ ଯାଇ ନିଜ ଅର୍ଡର ଦେଇ ପାରିବେ । ଏହି ସେବା ପାଇବା ପାଇଁ ଗ୍ରାହକଙ୍କୁ ପଚାଶ ଟଙ୍କାର ଡେଲିଭେରୀ ଶୁଳ୍କ ଦେବାକୁ ପଡିବ ।
ଓମଫେଡ ଇତିହାସରେ ଏହା ହେଉଛି ଏକ ଐତିହାସିକ ଦିନ ବୋଲି ମହାରଥୀ ଏହି ଅବସରରେ କହିଛନ୍ତି ।
ସହରର ସିରିପୁରରେ ଓମଫେଡ ପୂର୍ବରୁ ଏକ ଆଇସକ୍ରିମ ପାର୍ଲର ଖୋଲି ସାରିଛି । ନିକଟ ଭବିଷ୍ୟତରେ ଆଉ ଦଶଟି ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ଉଦ୍ୟମ କ୍ରମେ ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ସହ ଗ୍ରାହକଙ୍କ ସହ ଅଧିକ ଯୋଡିବା ଲକ୍ଷରଖି ଓମଫେଡ ଏହାପୂର୍ବରୁ ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠା ମଧ୍ୟ ଆରମ୍ଭ କରିଛି ।
ଏହି ପୃଷ୍ଠାକୁ ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ଵ ଗ୍ରାହକ ଓ ଶୁଭେଚ୍ଛୁ ଲାଇକ କରିଛନ୍ତି ।
ଓଡିଶା ଡଟ କମ