Site icon Odisha.com

ଭୁବନେଶ୍ଵରରେ ଖୋଲିଲା ଆଉ ଏକ ଚିକେନଫ୍ରେସ ଆଉଟଲେଟ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) କୁକ୍କୁଟ ଉତ୍ପାଦନପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା ଓଡିଶା ରାଜ୍ୟ କୁକ୍କୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ (ଓପୋଲଫେଡ୍) ଭୁବନେଶ୍ୱରରେ ନିଜର ଆଉ ଏକ ଚିକେନଫ୍ରେସ ଆଉଟଲେଟ ଖୋଲିବ ସହ ଗ୍ରାହକଙ୍କୁ ନିଜର ଉତ୍ପାଦ ବିକ୍ରି କରିବା ଆରମ୍ଭ କରିଛି ।

ଆଇ ଆର ସି ଭିଲେଜ ସ୍ଥିତ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ସ୍ଥାପିତ ହୋଇଥିବା ଓପୋଲଫେଡ୍)ର ଏହି ଦ୍ଵିତୀୟ ବିକ୍ରୟ କେନ୍ଦ୍ରକୁ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ବୁଧବାର ଉଦଘାଟନ କରିଥିଲେ ।

ସୁଲଭ ମୂଲ୍ୟରେ ଗ୍ରାହକ ଅଣ୍ଡା ଓ କୁକୁଡା ମାଂସ ଏହି କେନ୍ଦ୍ରରୁ ପାଇପାରିବେ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ ଉଦଘାଟନ ଅବସରରେ କହିଛନ୍ତି।

ଓପୋଲଫେଡ ୨୯ ମାର୍ଚ୍ଚ ୧୯୭୬ ରେ ସ୍ଥାପିତ ହୋଇଥିଲା ।

ପ୍ରାଥମିକ କୁକ୍କୁଟ ସମବାୟ ସମିତି ଗଠନ କରିବା, କୁକୁଡାଚାଷୀମାନଙ୍କୁ କୁକୁଡା ପାଳନ ଉପରେ ପ୍ରଶିକ୍ଷଣ ଦେବା, କୁକୁଡା ଚାଷ ମାଧ୍ୟମରେ ସେମାନଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବା ହେଉଛି ଓପୋଲଫେଡର ମୁଖ୍ୟ ଲକ୍ଷ ।

ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ଅଣ୍ଡା ଓ କୁକୁଡାକୁ ଉଚିତ୍ ମୂଲ୍ୟରେ କ୍ରୟ କରି ଖାଉଟିମାନଙ୍କୁ ଅଣ୍ଡା ଓ କୁକୁଡା ମାଂସ ଆବଶ୍ୟକୀୟ ଗ୍ରେଡିଂ ଓ ପ୍ରକ୍ରିୟାକରଣ ପରେ ସୁଲଭମୂଲ୍ୟରେ ଓପୋଲଫେଡ୍ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇଦେବାକାର୍ଯ୍ୟ ଏହି ସଂସ୍ଥା କରିଆସୁଛି ।

ନିଜସ୍ୱ ଦାନା ମିଶ୍ରଣ କେନ୍ଦ୍ରରେ ପ୍ରସ୍ତୁତ କରାଯାଉଥିବା ସୁଷମ କୁକୁଡା ଖାଦ୍ୟ କୁକୁଡା ଓପୋଲଫେଡ୍ ଚାଷୀମାନଙ୍କୁ ଯୋଗାଇଦେଉଛି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଚଳିତ ବର୍ଷ ମଇ ମାସରେ ଓପୋଲଫେଡ୍ ସହିଦ ନଗର ଠାରେ ନିଜର ପ୍ରଥମ ଚିକେନଫ୍ରେସ ଆଉଟଲେଟ ଖୋଲିଥିଲା ।

ଏହି ବିକ୍ରୟ କେନ୍ଦ୍ରରୁ ପ୍ରତିଦିନ ୪୦୦ ରୁ ୫୦୦ ଗ୍ରାହକ ଚିକେନ ଓ ଅଣ୍ଡା କିଣୁଛନ୍ତି । ମାସିକ ଏହି କେନ୍ଦ୍ରରେ ଆଠ ଲକ୍ଷରୁ ଦଶ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା ଓପୋଲଫେଡ ଜେନେରାଲ ମ୍ୟାନେଜର ଡାକ୍ତର ପିକେ ବିଶ୍ଵାଳ କହିଛନ୍ତି ।

ଓଡିଶା ଡଟ କମ

Exit mobile version