Site icon Odisha.com

ଘର ପାଖରେ ସରକାରୀ ଗାଡିରୁ କିଣନ୍ତୁ ରନ୍ଧା ମାଛ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୫ (ଓଡିଶା ଡଟ କମ) ସୁସ୍ଵାଦୁ ମାଛ ଭଜା କିମ୍ବା ମାଛ ତରକାରୀ କଷ୍ଟ କରି ଘରେ ତିଆରି କରିବା କିମ୍ବା ସେଥି ପାଇଁ ହୋଟେଲ ଯିବା ଦରକାର ନାହିଁ ।

ଚଳିତ ମାସ ସାତ ତାରିଖ ଦିନ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଫିସ ଅନ ହୁଇଲ । ଏହା ଦ୍ଵାରା ଆପଣ ଘର ପାଖରେ ସରକାରୀ ଗାଡିରୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ରନ୍ଧା ମାଛ ପାଇପାରିବେ ।  ରାଜ୍ୟର କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ଗାଡିର ଉଦଘାଟନ କରିବେ ।

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଓ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ଅଧୀନରେ କାର୍ଯ୍ୟ କରୁଥିବା ସମବାୟ ସଂସ୍ଥା ଫିସକୋପଫେଡ ର ମିଳିତ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ଏହି ଅଭିନବ ପ୍ରୟାସ ।

ସିଏନଜି ଦ୍ଵାରା ଚାଲୁଥିବା ତଥା ସୁନ୍ଦର ଓ ଆକର୍ଷଣୀୟ ଭାବେ ଡିଜାଇନ କରାଯାଇଥିବା ଏହି ଫିସ ଅନ ହୁଇଲ ଗାଡିରେ ମାଛକୁ ସତେଜ ରଖିବାର ବ୍ୟବସ୍ଥା ସହ ମାଛ ରୋସେଇ କରିବାର ବ୍ୟବସ୍ଥା ରହିଛି ।

ଏହି ଗାଡିକୁ ପ୍ରଥମେ ଭୁବନେଶ୍ଵରର କୌଣସି ଏକ ସ୍ଥାନରେ ରଖାଯିବ । ଗ୍ରାହକ ମାନେ ଉଭୟ ସତେଜ ମାଛ ଓ ରନ୍ଧା ମାଛ ଏହି ଗାଡିରୁ କିଣି ପାରିବେ ।

ପରବର୍ତ୍ତୀ ସମୟରେ ଏହି ଗାଡି ସହରର ଅନ୍ୟ ସ୍ଥାନମାନଙ୍କୁ ଯାଇ ମଧ୍ୟ ମାଛ ପ୍ରେମୀ ମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଇବ ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମକ୍ରମେ ଫିସ୍କୋପଫେଡ ଓଡିଶାରେ ଏହି ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଏହି ଗାଡିରୁ ଗ୍ରାହକମାନେ ରାଜ୍ୟର ବିଭିନ୍ନ ମାଛ ସମେତ ପ୍ରସିଦ୍ଧ ଚିଲିକାହ୍ରଦରୁ ଅଣାଯାଉଥିବା ବିଭିନ୍ନ ପ୍ରଜାତିର ମାଛ ଓ ଚିଙ୍ଗୁଡିର ରନ୍ଧାଖାଦ୍ୟ ସୁଲଭ ମୂଲ୍ୟରେ ପାଇପାରିବେ ।

ଯଦି ଏହି ପ୍ରକଳ୍ପ ଆଦୃତ ହୁଏ ତେବେ ପକରବର୍ତ୍ତୀ ସମୟରେ ଏହି ସୁବିଧା ରାଜ୍ୟ ର ଅନ୍ୟ ସହର ମାନଙ୍କୁ ସମ୍ପ୍ରସାରିତ କରିବାର ଯୋଜନା ରହିଥିବା ଫିସ୍କୋପଫେଡ ସହ ନିର୍ଦ୍ଦେଶକ ଏସ ଏସ ସିଂହ କହିଛନ୍ତି ।

ଓଡିଶା ଡଟ କମ

Exit mobile version