Site icon Odisha.com

ବଦଳିଲେ କଟକ ଶିଶୁଭବନ ଅଧିକ୍ଷକ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୮ (ଓଡିଶା ଡଟ କମ) ଦୁଇ ସପ୍ତାହରୁ କମ ସମୟରେ ପ୍ରାୟ ୬୧  ଜଣ ଶିଶୁମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର କଟକ ଶିଶୁ ଭବନ ଅଧିକ୍ଷକ ନିରଞ୍ଜନ ମହାନ୍ତିଙ୍କୁ ତାଙ୍କ ପଦବୀରୁ ମଙ୍ଗଳବାର ହଟାଇଛନ୍ତି ।

ତାଙ୍କ ସ୍ଥାନରେ ସରୋଜ ଶତପଥିଙ୍କୁ ଦାୟିତ୍ବ ଦିଆଯାଇଛି । ଶିଶୁ ମୃତ୍ୟୁ ଘଟଣାରେ ଡିଏମଇଟିଙ୍କ ତଦନ୍ତ ରିପୋର୍ଟ ରେ ପରିଚାଳନାଗତ ଅବ୍ୟବସ୍ଥାକୁ ଦାୟୀ କରାଯାଇଥିବାରୁ ସେହି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହା ଯାଇଛି ।

ଡିଏମଇଟିଙ୍କ ତଦନ୍ତ ରିପୋର୍ଟ ଉପରେ ବିବୃତ୍ତି ରଖି ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା କହିଛନ୍ତି  ଯେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମାନଙ୍କ ମୃତ୍ୟୁ ଘଟି ନାହିଁ ।

ତେବେ ସେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଥିବା ସ୍ଵୀକାର କରିଛନ୍ତି । ଅଧିକ ରୋଗୀ ସଂଖ୍ୟା ଓ ଭିତ୍ତିଭୂମିର ଅଭାବ ଶିଶୁ ମୃତ୍ୟୁର ମୁଖ୍ୟ କାରଣ । ଉନ୍ନତ ଚିକିତ୍ସା ପାଇଁ  ରାଉରକେଲା ଓ ଭୁବନେଶ୍ବରରେ ସ୍ବତନ୍ତ୍ର ଶିଶୁ ୱାର୍ଡ ଖୋଲିବ ।

ସେହିପରି ଶିଶୁ ଭବନକୁ ଅଧିକ ସୁଦୃଢ କରାଯିବା ସହ ଏହାର ବେଡ୍ ଓ ଆଇସିୟୁ ସଂଖ୍ୟା  ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କୌଣସି ସୂଚନା ଦେଇ ନାହାନ୍ତି ।

ଗତକାଲି ଶିଶୁ ଭବନ ଶିଶୁ ମୃତ୍ୟୁ ଘଟଣାରେ ଡିଏମଇଟି ସ୍ବାସ୍ଥ୍ୟ ବିଭାଗକୁ ତଦନ୍ତ ରିପୋର୍ଟ  ଦେଇଥିଲେ ।

ଓଡିଶା ଡଟ କମ

Exit mobile version