Site icon Odisha.com

ପ୍ରଖ୍ୟାତ ଗୀତିକାର ନିଜାମ୍ ଙ୍କ ପରଲୋକ

ଓଡିଶା ଡଟ କମ :ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ସେପ୍ଟେମ୍ବର ୨୧ (ଓଡିଶା ଡଟ କମ) ଓଡିଆ ସିନେ ଜଗତର ପ୍ରଖ୍ୟାତ ଗୀତିକାର ନିଜାମ୍‌ ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍‌ପିଟାଲରେ ୬୨ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି ।

କିଛି ବର୍ଷତଳେ ହାଇଦ୍ରାବାଦଠାରେ ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା । ଏଥିପାଇଁ ତାଙ୍କର ଧର୍ମପତ୍ନୀ ଏକ କିଡନୀ ଦାନ କରିଥିଲେ । ହେଲେ ଗତ କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ ।

ନିଜାମ ୧୯୭୭ ମସିହାରେ ଅନୁତାପ ସିନେମାରୁ ଗୀତିକାରଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଶେଷଥର ପାଇଁ ଗୀତିକାର ଭାବେ ସେ ପିଲାଟା ବିଗିଡି ଗଲା ସିନେମାରେ କାମ କରିଥିଲେ । ତାଙ୍କ କ୍ୟାରିଅରରେ ସେ ବହୁ କାଳଜୟୀ ଗୀତ ରଚନା କରିଛନ୍ତି ।

ହଜାରେରୁ ଅଧିକ ଗୀତ ଲେଖିଥିବା  ନିଜାମ ପ୍ରତିଟି ଗୀତରେ ନିଜର ସ୍ଵତନ୍ତ୍ରତା ପ୍ରଦର୍ଶନ କରିଛନ୍ତି ।କୌଣସି କାରଣରୁ ମୁକ୍ତିଲାଭ କରିପାରିନଥିବା ସମର ସଲିମ୍‌ ସାଇମାନ୍‌ ସିନେମାର ମୁଁ ଯେ ଏକ ପାଗଳ ଭଅଁର ହେଉ କି ହୃଦୟର ଏଇ ଶୂନ୍ୟତାକୁ..ଗୀତ ହେଉ ତାଙ୍କ ଗୀତ ଯେ ବର୍ଷ ବର୍ଷ ଧରି ଶ୍ରୋତାଙ୍କୁ ବିଭୋର କରୁଥିବ ଏଥିରେ ସନ୍ଦେହ ନାହିଁ।

ସେହିପରି ଫୁଲ ଚନ୍ଦନ, ମାନିନୀ ସିନେମାରେ ମଧ୍ୟ ନିଜାମଙ୍କ ଗୀତ ଚୀରକାଳ ଅପାସୋରା ହୋଇ ରହିଥିବ ।

ନିଜାମ୍‌ଙ୍କ ଗୀତ ବିଭିନ୍ନ ପୀଢ଼ିର କଣ୍ଠଶିଳ୍ପୀ ଗାଇଛନ୍ତି , ସମସ୍ତଙ୍କ ସହ ସେ ବେଶ୍‌ ଖାପ୍‌ ଖୁଆଇ ଗୀତ ଲେଖିଛନ୍ତି । କିଛି ସିନେମା ପାଇଁ ସଂଳାପ ମଧ୍ୟ ଲେଖିଛନ୍ତି ହେଲେ ସବୁଦିନ ପାଇଁ ନୀରବି ଯାଇଛି ନିଜାମ୍‌ଙ୍କ ଜାଦୁକରୀ କଲମ ।

ନିଜାମ୍‌ଙ୍କ ଶେଷ ଦର୍ଶନ ପାଇଁ ହସ୍‌ପିଟାଲ୍‌ରେ ଲାଗିଥିଲା ଭିଡ଼ । ତାଙ୍କ ମରଶରୀର ପରିବାର ଲୋକେ କଟକସ୍ଥିତ ତାଙ୍କ ବାସ ଭବନକୁ ନେଇଥିଲେ । କଳା ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ନିଜାମଙ୍କ ଶେଷ ଦର୍ଶନ କରିଥିଲେ । ଅପରାହ୍‌ଣରେ ଦର୍‌ଘା ବଜାର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ନିଜାମଙ୍କ ଦେହାନ୍ତରେ ସିନେମା ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ନିଜାମଙ୍କୁ ଭଲ ପାଉଥିବା ଲୋକେ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ନିଜାମଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗଭୀର ଶୋକପ୍ରକଟ କରି  ଓଡ଼ିଆ ସଂଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି । ଶ୍ରୀ ଓରାମ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ନିଜାମଙ୍କ ରଚିତ ସଂଗୀତ

ଓଡିଶା ଡଟ କମ

 

 

Exit mobile version