Site icon Odisha.com

ଆଇବିଏମକୁ ବେଆଇନ ଲୁହାପଥର ପୋତା ମାମଲାର ତଦନ୍ତ ନିର୍ଦ୍ଦେଶ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଅକ୍ଟୋବର ୧୭ , (ଓଡିଶା ଡଟ୍ କମ୍):ସୁନ୍ଦରଗଡ ଜିଲ୍ଲାର ଏକ ରେଲୱେ ସାଇଡିଙ୍ଗ ନିକଟରେ ପ୍ରାୟ ତିରିଶ ହଜାର ଟନରୁ ଅଧିକ ଲୁହା ପଥର ବେଆଇନ ଭାବେ ଲୁଚାଇ ରଖାଯାଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଇଣ୍ଡିଆନ ବ୍ୟୁରୋ ଅଫ ମାଇନସକୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର କୋଇଡା ଅଞ୍ଚଳରେ ଥିବା ରେଞ୍ଡ଼ା ରେଲୱେ ସାଇଡିଂ ନିକଟରେ ପ୍ରାୟ ଦୁଇଶହ କୋଟି ଟଙ୍କାର ଏହି ଲୁହାପଥର ମାଟି ତଳେ ପୋତି ରଖାଯାଇଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ସଂଗଠନ ଅଭିଯୋଗ କଲାପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ଲୋକ ସଭା ସାଂସଦ ଜୁଏଲ ଓରାମ ଉକ୍ତ ଅଞ୍ଚଳ ଗସ୍ତ କରି ଏହାର ତଦନ୍ତ ଦାବିକରିଥିଲେ ।

ଓରାମ ରାଜ୍ୟର ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ରାଜ୍ୟ ଖଣି ସଚିବ ଇତ୍ୟାଦିଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲେ । ଜୁଏଲଙ୍କ ଦାବି ପରେ ସ୍ଥାନୀୟ ଖଣି ଉପନିର୍ଦେଶକ ଏହି ସାଇଡିଙ୍ଗ ରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଥିଲେ ।

ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ “ସେମିତି କିଛି ହୋଇନାହିଁ, କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ” ବୋଲି କହିଥିଲେ । ତେବେ କିପରି ଏତେ ପରିମାଣର ଲୁହା ପଥର ସାଇଡିଂ ନିକଟରେ ରହିଛି ସେ ସଙ୍କ୍ରାନ୍ତରେ ସେମାନେ କିଛି କହି ନଥିଲେ ।

ତେବେ ରାଜ୍ୟ ଖଣି ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଓରାମ ତୀବ୍ର ପ୍ରତିକ୍ରିୟା ପ୍ରକାଶକରିଥିଲେ । ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ ବୋଲି କହି ସେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଥିଲେ।

ଓରାମଙ୍କ ପତ୍ର ପାଇବା ପରେ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ଇଣ୍ଡିଆନ ବ୍ୟୁରୋ ଅଫ ମାଇନସକୁ ଘଟଣା ସ୍ଥଳ ପରିଦର୍ଶନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଡଟ କମ

Exit mobile version