ଅଖଣ୍ଡ
ମାନ୍ୟବର ସୁପ୍ରିମକୋର୍ଟ ୨୦୦୬ରେ ଏକ ମାମଲା(ପ୍ରକାଶ ସିଂ ଏବଂ ଅନ୍ୟାନ୍ୟ ବନାମ ଭାରତ ସରକାର) ରାୟରେ ପୁଲିସ୍ ବାହିନୀରେ ସଂସ୍କାର କଥା କହିଥିଲେ ।
କୋର୍ଟ ଆଶାବ୍ୟକ୍ତ କରିଥିଲେ ଯେ ରାଜ୍ୟ ସରକାର ଏମିତି ଏକ ନୂଆ ପୁଲିସ୍ ଆଇନ ପ୍ରଣୟନ କରିବେ, ଯେଉଁଥିରେ ପୁଲିସ କୁ ସମସ୍ତ ପ୍ରକାର ସରକାରୀ ଓ ରାଜନୈତିକ ଚାପରୁ ମୁକ୍ତ ରଖାଯିବ ଓ ସେମାନେ ସେମାନଙ୍କ ସମସ୍ତ କାମ ପାଇଁ ଉତ୍ତରଦାୟୀ ରହିବେ ।
ସୁପ୍ରିମକୋର୍ଟଙ୍କ ରାୟକୁ ମାନି ଓଡିଶା ସରକାର ଗତ କିଛି ବର୍ଷ ହେଲା ପୁଲିସ୍ ବିଲ୍ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ । ବିଧାନସଭାର ଗତ ଅଧିବେଶନରେ ଓଡିଶା ପୁଲିସ୍ ବିଲ୍- ୨୦୧୫କୁ ବିନା ଆଲୋଚନାରେ ପାରିତ କରାଗଲା ।
ଏହି ବିଲର ପ୍ରାରମ୍ଭରେ ଲୋକମାନଙ୍କ ମାନବାଧିକାର ସୁରକ୍ଷା ଓ ସେମାନଙ୍କର ରାଜନୈତିକ,ସାମାଜିକ, ଆର୍ଥନୈତିକ ଓ ସଂସ୍କୃତିଗତ ଅଧିକାର ସୁରକ୍ଷା ଆଦି ଆଇନର ମୁଖ୍ୟ ବିଷୟ ହେବା ଦରକାର ବୋଲି କୁହାଯାଇଛି ।
କିନ୍ତୁ ଏହି ବିଲ୍ ରେ ତାହା ଅନେକ ସ୍ଥାନରେ ସଂପୂର୍ଣ ପ୍ରତିଫଳିତ ହେଉନାହିଁ । ଏଭଳି ଏକ ବିଲ୍ ଆଇନରେ ପରିଣତ ହେଲେ ଏହା ପୁଲିସ୍ ର କ୍ଷମତା ବଢାଇବା ସହିତ ଏହାର ନିରପେକ୍ଷତାକୁ ଅଧିକ ବିପନ୍ନ କରିବ ବୋଲି ସମାଜକର୍ମୀ ଓ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଥିଲେ ।
ବିରୋଧୀ ଦଳମାନେ ମଧ୍ୟ ଏଥିରେ ସଂଶୋଧନ ହେବାର ଆବଶ୍ୟକତା ଥିବା ବହୁବାର ଦୋହରାଇଛନ୍ତି । ସବୁ ବର୍ଗରୁ ସରକାରଙ୍କ ପାଖକୁ ସଂଶୋଧନ ପାଇଁ ପରାମର୍ଶ ଆସିଛି । କିନ୍ତୁ ସରକାର କିଛି ଶୁଣିନାହାନ୍ତି । ବିଧାନସଭାରେ ମଧ୍ୟ ଆଲୋଚନା ହୋଇନାହିଁ । ବିରୋଧୀମାନେ କକ୍ଷତ୍ୟାଗ କଲେ ।
ସରକାରୀ ଦଳ ସଦସ୍ୟମାନେ ଶେଷରେ ଏହାକୁ ପାସ୍ କରିଦେଲେ । ମାନ୍ୟବର ରାଜ୍ୟପାଳଙ୍କ ପାଖକୁ ଏହି ବିଲ୍ ଗଲା । ତାଙ୍କୁ ମଧ୍ୟ ସମାଜକର୍ମୀମାନେ ଭେଟିଲେ । ବିଲ୍ ରେ କଣ ସବୁ ତ୍ରୁଟି ରହିଛି, ତାହା ଜଣାଇଲେ । ଯାହା ହେଉ ରାଜ୍ୟପାଳ ତାଙ୍କ କ୍ଷମତା ପ୍ରୟୋଗ କରି ଏହାକୁ ଫେରାଇ ଦେଇଛନ୍ତି ।
ଏହି ବିଲକୁ ବିରୋଧ କରାଯିବାର ଅନେକ କାରଣ ରହିଛି । ପ୍ରଥମତଃ ପୁଲିସ୍ ବିଲ୍ ରେ ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି (ପରିଛଦ ୨, ଧାରା ୪) ପ୍ରକ୍ରିୟା ଠିକ୍ ଭାବେ କରାଯାଇନାହିଁ । ଚୟନ ପ୍ରକ୍ରିୟାକୁ ଅଯଥା ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ମନୋନୀତ ତିନି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ୍ ଡି.ଜି. ମନୋନୀତ ହେବା ଉଚିତ୍ ।
କିନ୍ତୁ ଓଡିଶା ପୁଲିସ ବିଲ୍ ରେ ଏକଥା ନାହିଁ । ରାଜ୍ୟ ସରକାର ତାଙ୍କର ସ୍ୱତନ୍ତ୍ର କ୍ଷମତା ବଳରେ ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତି କରିବେ ବୋଲି କୁହାଯାଇଛି । ଏହା ହେଲେ ସରକାର ତାଙ୍କ ଇଛାରେ ପୁଲିସ୍ ଡିଜିଙ୍କୁ ନିଯୁକ୍ତ କରିବେ । ଏବଂ ସେ ସରକାରଙ୍କ ଚାପରୁ ମୁକ୍ତ ହୋଇପାରିବେ ନାହିଁ କିମ୍ବା ସ୍ୱାଧିନ ଭାବେ କାମ କରିପାରିବେ ନାହିଁ ।
ଏହି ବିଲର ପରିଛେଦ-୪ରେ ଥିବା ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ୍ରେ ପାଳନ କରାଯାଇନାହିଁ । କୋର୍ଟଙ୍କ ନିଷ୍ପତି ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ କମିସନର ମୁଖ୍ୟ ହେବେ । ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅଫିସିଓ ସଚିବ ଭାବେ ରହିବେ ।
କିନ୍ତୁ ପୁଲିସ୍ ବିଲ ରେ କମିସନର ସଦସ୍ୟ ଭାବେ ବିରୋଧୀ ଦଳ ନେତାଙ୍କୁ ରଖାଯାଇନାହିଁ । ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ କରିବେ ।
କିନ୍ତୁ ଓଡିଶା ପୁଲିସ୍ ବିଲ ରେ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି । ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ ।
ଓଡିଶା ପୁଲିସ୍ ବିଲ ରେ “ପୋଲିସ୍ କମ୍ପ୍ଲେଂଟ୍ ଅଥରିଟି”( ପରିଛେଦ-୮) ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାର ଗଠନ ଶୈଳୀ, ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କ ମନୋନୟନ ବ୍ୟବସ୍ଥା ଦୃଷ୍ଟିରୁ ଏହା ନିରପେକ୍ଷ ଓ ସ୍ୱାଧୀନ ଭାବରେ କାମ କରିବା ନେଇ ଘୋର ସନେ୍ଦହ ଜାତ ହୋଇଛି ।
ପୋଲିସ୍ କମ୍ପ୍ଲେନ୍ ଅଥରିଟିର ଅଧ୍ୟକ୍ଷ ଲୋକାୟୁକ୍ତ ରହିବେ ବୋଲି ପୋଲିସ୍ ବିଲ୍-୨୦୧୩ରେ ବ୍ୟବସ୍ଥା ରହିଥିଲା । କିନ୍ତୁ ୨୦୧୫ମସିହାରେ ପ୍ରସ୍ତୁତ ବିଲ ରେ ଏହାକୁ ହଟାଇ ଦିଆଯାଇଛି । ଅଧ୍ୟକ୍ଷଙ୍କ ମନୋନୟନ କଥା କିଛି ଲେଖାଯାଇନାହିଁ । ପୁଣି ଜିଲ୍ଲାସ୍ତରୀୟ ପୋଲିସ୍ କମ୍ପ୍ଲେଂଟ୍ ଅଥରିଟିର ବ୍ୟବସ୍ଥା ରଖାଯାଇନାହିଁ ।
ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ବିଳମ୍ବ ହେବ । ଏହି ବିଲ ରେ ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଶାନ୍ତିପୂର୍ଣ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ୍ କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି ।
ଉପଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥାରେ ସଂଶୋଧନ କରାଯିବା ଦରକାର । କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା । ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ ।
ଏହାକୁ ବିଲ୍ ରୁ ବାଦ୍ ଦିଆଯିବା ଆବଶ୍ୟକ ବୋଲି ମନେହୁଏ । ଲୋକମାନଙ୍କ ଅସୁବିଧାର କାରଣ ହେବାକୁ ଥିବା ଏମିତି ଅନେକ ଧାରାରେ ପରିବର୍ତନ ଓ ସୁଧାର ଆବଶ୍ୟକ । ଖାସ୍ ସେଥିପାଇଁ ରାଜ୍ୟପାଳ ଏହାକୁ ପୁନର୍ବିଚାର ପାଇଁ ପଠାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସୁଯୋଗ ରହିଛି, ଏହାକୁ ସଂଶୋଧନ କରି ବିଧାନସଭାରେ ପାସ୍ କରାଇବା ସହିତ ପୁଣି ରାଜ୍ୟପାଳଙ୍କ ନିକଟକୁ ପଠାଯାଉ ।
ଏଥିପାଇଁ ବିରୋଧୀଦଳଙ୍କ ମତାମତ ସହିତ ଏକ ସିଲେକ୍ଟ କମିଟି ଗଠନ କରାଯାଇପାରେ । ଏହି କମିଟି ଲୋକମାନଙ୍କର ମତାମତ ଆହ୍ୱାନ କରିପାରିବ । ତାହେଲେ ଯାଇ ପୁଲିସ୍ ସେବା କ୍ଷେତ୍ରରେ ଏକ ସଂସ୍କାର ମୂଳକ ବିଲ୍ ଆସିପାରିବ ।
( ଲେଖକ ଜଣେ ସାମ୍ବାଦିକ ତଥା ସମାଜିକ କର୍ମୀ )
ଫୋନ୍ – ୯୯୩୮୮୭୧୯୮୯
ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।
Leave a Reply