Site icon Odisha.com

କିଷାନ ଭାଷାର ଚଳଚିତ୍ର ‘ହେଏଲୁ’କୁ ପ୍ରଶଂସା

ଓଡିଶା ଡଟ କମ ସମ୍ବାଦ ଦାତା

ନୂଆ ଦିଲ୍ଲୀ, ଡିସେମ୍ବର ୩ (ଓଡିଶା ଡଟ କମ) ନିକଟରେ ଦେଶ ଓ ବିଦେଶରେ ଚଳଚିତ୍ର ଉତ୍ସବ ମାନଙ୍କରେ ପ୍ରଦର୍ଶିତ ହୋଇଥିବା କିଷାନ ଭାଷାରେ ନିର୍ମିତ ଚଳଚିତ୍ର ହେଏଲୁ ଦର୍ଶକଙ୍କ ଦ୍ଵାରା ବ୍ୟାପକ ପ୍ରଶଂସିତ ହୋଇଛି ।

ଦୀର୍ଘ ଚାରି ବର୍ଷର ପରିଶ୍ରମ ର ଫଳ ସ୍ୱରୂପ ଭୁବନେଶ୍ୱରର ପିକେ. ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ତଥା ଓଡିଶାର ଶ୍ରୀ ଅଶୋକଙ୍କ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚିତ୍ର ଏକ ଛୋଟ ପ୍ରେମ କାହାଣୀ ଉପରେ ଆଧାରିତ ।

ଏହାର ପ୍ରଯୋଜକ ହେଉଛନ୍ତି ଶ୍ରୀପତି ଶ୍ରୀଚନ୍ଦନ ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଅଶୋକ । ସ୍ୱର ସଂଯାଜନା ଓ ଗୀତ ରଚନା କରିଛନ୍ତି ରଙ୍ଗବତୀ ଗୀତର ଜଣାଶୁଣା ଗୀତିକାର ପ୍ରଭୁଦତ୍ତ ପ୍ରଧାନ ଓ ମିତ୍ରଭାନୁ ଗୌନ୍ତିଆ ।

ଓଡ଼ିଶାର ଆଦିମ ଜନଜାତି ମାନଙ୍କର ସାଂସ୍କୃତିକ ପରମ୍ପରା ତଥା ଭାଷା ଉପରେ ଅନେକ ଗବେଷକଙ୍କ ଗୌରବପୂର୍ଣ୍ଣ ମତ ରହିଆସିଛି । ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଭିତରେ ସେମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ହୋଇଛି ।

ସମ୍ବଲପୁର,  ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ବାସ କରନ୍ତି କିଷାନ ଜନଜାତି । ଏହି ଜନଜାତି ବ୍ୟବହାର କରୁଥିବା ମାଦଲକୁ ହେଏଲୁ କୁହାଯାଏ ।ସେମାନଙ୍କ ସାମାଜିକ ଚାଲିଚଳଣି ଏବଂ ଭାଷାରେ ଅଛି ଅପୂର୍ବ ମଧୁରତା ।

ସେମାନଙ୍କ ଭାଷା ଓ ସଂସ୍କୃତିକୁ ଆଧାରକରି ତିଆରି ହୋଇଥିବା ଏହି ଚଳଚିତ୍ର ନୋଇଡା ଠାରେ ଚଳିତ ବର୍ଷ ଆୟୋଜିତ ଗ୍ଳୋବାଲ ଚଳଚିତ୍ର ମହୋତ୍ସବରେ ଏସିଆନ ଏକାଡେମୀ ଅଫ୍ ଫିଲ୍ମ ଏବଂ ଟେଲିଭିଜନ ପରିସରରେ ପ୍ରଦର୍ଶିତ ହୋଇଥିଲା ।

ଏହି ଉତ୍ସବରେ ଯୋଗ ଦେଇଥିଲେ ବିଶିଷ୍ଟ ଚଳଚିତ୍ର ନିଦେ୍ର୍ଧଶକ – ମୁକେଶ ଭଟ୍ଟ , ପଙ୍କଜ ପରାଶର, ବିବେକ ଅଗ୍ନିହୋତ୍ରି, କେତନ ମେହେତା ଓ ଉତ୍ସବର ଚେୟାରମ୍ୟାନ ସନ୍ଦିପ ମାରୱା ।

ଏହି ଉତ୍ସବରେ ଶ୍ରେଷ୍ଠ ନିଦେ୍ର୍ଧଶକ ଭାବେ ହେଏଲୁର ନିର୍ଦ୍ଦେଶକ ଶ୍ରୀ ଅଶୋକଙ୍କୁ ପୁରସ୍କାର ସହ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।ଯେତେବେଳେ ହେଏଲୁ ଏହି ଉତ୍ସବରେ ପ୍ରଦର୍ଶିତ ହେଲା, ସେତେବେଳେ ଦର୍ଶକମାନଙ୍କ କରତାଳିରେ ପ୍ରେକ୍ଷାଳୟଟି ପ୍ରକମ୍ପିତ ହୋଇ  ଉଠିଥିଲା ।

ଶ୍ରୀ ଅଶୋକ କହିଛନ୍ତି  ଅଷ୍ଟମ ଗ୍ଳୋବାଲ ଚଳଚିତ୍ର ମହୋତ୍ସବରେ କିଶାନ ଭାଷାର  ଏକ ଚଳଚିତ୍ର ପ୍ରଶଂସା ପାଇବା ଓ ନିର୍ଦ୍ଦେଶକଙ୍କୁ ପୁରଷ୍କୃତ କରାଯିବା ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉତ୍ସବରେ ୩୫ଟି ଦେଶର ଚଳଚିତ୍ର ଭାଗନେଇଥିବା ସେ କହିଛନ୍ତି।

ଓଡିଶା ଡଟ କମ

Exit mobile version