Site icon Odisha.com

ଦେଶୀ ଗାଈଙ୍କ ବିକାଶ ଉପରେ ସରକାରଙ୍କ ଗୁରୁତ୍ଵ: ମୁଖ୍ୟମନ୍ତ୍ରୀ

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଡ଼ିସେମ୍ବର ୬ (ଓଡିଶା ଡଟ କମ) ବିଂଝାରପୁରୀ , ମୋଟୁ ସମେତ ଓଡିଶାରେ ରହିଥିବା ବିଭିନ୍ନ ପ୍ରଜାତିର ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ଓ ଗୋ ପାଳନ ଉଦ୍ୟୋଗକୁ କିପରି ଏକ ଲାଭ ଜଣକ ବ୍ୟବସାୟରେ ପରିଣତ  କରାଯାଇପାରିବ ସେ ଦିଗରେ ସରକାର ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଶନିବାର ଭୁବନେଶ୍ଵରର ଜୟଦେବ ଭବନ ଠାରେ ପଶୁସମ୍ପଦ ବିକାଶ ଦ୍ଵାରା ଆୟୋଜିତ ଏକ କର୍ମଶାଳା ଉଦଘାଟନ କରି ସେ କହିଥିଲେ ରାଜ୍ୟର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ଦିଗରେ ପ୍ରାଣୀଧନ କ୍ଷେତ୍ରର ଏକ ମହତ୍ଵପୂର୍ଣ ଯୋଗଦାନ ରହିଛି ।

ଏହି ବିକାଶ ଧାରାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫ ପ୍ରଣୟନ କରିଥିବା ଦର୍ଶାଇ ସେ କହିଥିଲେ ରାଜ୍ୟର ଦୁଗ୍ଧ ଶିଳ୍ପ ସହିତ ଜଡିତ ଚାଷୀ ମାନଙ୍କ ଲାଭ ଦୃଷ୍ଟିରୁ ଏହି ନୀତିର ସଠିକ ଉପଯୋଗ କରାଯିବ ଆବଶ୍ୟକ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗୋ-ମହିଷାଦୀ ମାନଙ୍କର ଅନୁବଂଶୀୟ ଗୁଣର ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ନୀତିରେ ଆଧୁନିକ ପ୍ରଜନନ କୌଶଳ ଏବଂ ପ୍ରଯୁକ୍ତି ବିଜ୍ଞାନ ସହାୟତାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ ରକ୍ଷା ଯାଇଛି ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଙ୍କ ଉଦ୍ୟମରେ ହୋଇଥିବା ଏହି ନୀତିରେ ଯେଉଁ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ବିକ୍ରିବଟା ପାଇଁ ସୁବିଧା ନଥିବ ସେହି ସ୍ଥଳରେ ଭାରତୀୟ ପ୍ରଜାତି ଯଥା ଗିର,  ସାହିୱାଲ, ଥାରପାରକର, ବିଞ୍ଝାରପୁରୀ, ହରିୟାଣା ଓ ଲାଲ ସିନ୍ଧି ପ୍ରଭୁତି ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ବ୍ୟବସ୍ଥା ରହିଛି ।

ରାଜ୍ୟରେ ଦେଖାଯାଉଥିବା ଜାତୀୟ ସ୍ତରୀୟ ମାନ୍ୟତା ପ୍ରାପ୍ତ ଗାଈ ଯଥା ବିଞ୍ଝାରପୁରୀ, ଘୁମୁସୁରୀ, ଖରିୟାର ଓ ମୋଟୁ ଏବଂ ମଇଁଷି ଯଥା ଚିଲିକା ଓ କଳାହାଣ୍ଡି ପ୍ରଭୁତି ପ୍ରଜାତିଙ୍କର ସଂରକ୍ଷଣ ଓ ଉନ୍ନତି କରଣ ନିମନ୍ତେ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ଲକ୍ଷ ରହିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ଛଅ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ରାଜ୍ୟର ଦୁଗ୍ଧ ଚାଷୀଙ୍କ ଠାରୁ ବାଇଶ ପ୍ରତିଶତ ଅଧିକ ଦୁଗ୍ଧ ସଂଗ୍ରହ କରିଥିବା ସେ ପ୍ରକାଶ କରିଥିଲେ ।

ଓମଫେଡ ଖୁବ ଶୀଘ୍ର ବିଞ୍ଝାରପୁରୀ ପ୍ରଜାତିର ଗାଈଙ୍କ କ୍ଷୀର ଓ ଚିଲିକା ମଇଷିଙ୍କ କ୍ଷୀର ସଂଗ୍ରହ କରି ନିଜ ବ୍ରାଣ୍ଡ ରେ ବିକ୍ରୟ କରିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶା ଡଟ କମ

Exit mobile version