Site icon Odisha.com

ବିଶ୍ଵ ଶାନ୍ତି ଉପରେ ମାନବ ଶୃଙ୍ଖଳ କରି କିସର ବିଶ୍ଵ ରେକର୍ଡ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଡିସେମ୍ବର ୧୦ ( ଓଡିଶା ଡଟ କମ) ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଭୁବନେଶ୍ଵରରେ ତିରିଶ କିଲୋମିଟର ବ୍ୟାପୀ ଏକ ମାନବ ଶୃଙ୍ଖଳ ତିଆରି କରି କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ) (କିସ) ଛାତ୍ର ଛାତ୍ରୀ ମାନେ ଗୁରୁବାର ପୁଣି ଏକ ବିଶ୍ଵ ରେକର୍ଡ ହାସଲ କରିଛନ୍ତି।

ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏହି ମାନବ ଶୃଙ୍ଖଳକୁ ସମବାୟ ମନ୍ତ୍ରୀ ଦାମୋଦର ରାଉତ, ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ସମେତ ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ରାଜ୍ୟପାଳ ଏସ ସି ଜମିର ।

ପରେ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ଉଦଯାପନ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ରାଜ୍ୟର ବହୁ ବିଧାୟକ ଓ ସ୍ଥାନୀୟ ଲୋକ ସଭା ସାଂସଦ ପ୍ରସନ୍ନ ପାଟଶାଣି ।

ସମାନ ଲକ୍ଷ୍ୟ ରଖି ଏହା ପୂର୍ବରୁ ସେମାନେ ବୁଧବାର କିସ ପରିସରରେ ଦୁଇଟି  ମାନବ ଶୃଙ୍ଖଳ କରି ବିଶ୍ଵ ରେକର୍ଡ ହାସଲ କରିଥିଲେ ।

ଆତଙ୍କବାଦ ବିରୋଧରେ ଏହି ଆବାସିକ ସ୍କୁଲର ୧୫୨୨୫ ଛାତ୍ର ଓ ଛାତ୍ରୀ ଗିନିଜ ବୁକ ଅଫ ରେକର୍ଡ ଅଧିକାରୀଙ୍କ ଫୋର୍ଟୁନା ଲିସା ବୁର୍କାଙ୍କ ଉପସ୍ଥିତିରେ ବିଶ୍ଵ  ମାନବାଧିକାର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏହି ମାନବ ଶୃଙ୍ଖଳ କରିଥିଲେ ।

ଠିକ ସେହି ପରି ଅନୁଷ୍ଠାନର ୨୫୧୫୧ ଛାତ୍ର ଛାତ୍ରୀ  ମାନବ ଶୃଙ୍ଖଳରେ ‘ଉଇ ଅର୍ଗ ଫର ୱାର୍ଲ୍ଡ ପିସ’ ତିଆରି କରି ଆଉ ଏକ ବିଶ୍ଵ ରେକର୍ଡ କରିଥିଲେ ।

ଗତ ୨୫ ନଭେମ୍ବରରେ ଦୂବାଇରେ ହୋଇଥିବା ୬୮୫୮ ଲୋକଙ୍କ ଏକ ମାନବ ଶୃଙ୍ଖଳ ପୂର୍ବରୁ ବିଶ୍ଵ  ରେକର୍ଡ ହାସଲ କରିଥିଲା । କିସର ମାନବ ଶୃଙ୍ଖଳ ରେ ଏହାର ଦୁଇଗୁଣରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଭାଗ ନେଇଥିବାରୁ ଏହା ପୂର୍ବ ରେକର୍ଡ କୁ ଭାଙ୍ଗିଥିବା ଗିନିଜ ବୁକ ଅଫ ରେକର୍ଡ କହିଛି ।

 

ଗତ ୨୯ ଅଗଷ୍ଟ ରେ କାନାଡାରେ ୭୨୩୮ ଲୋକ ହାତ ସହ ହାତ ମିଶାଇ ପୂର୍ବରୁ ସର୍ବାଧିକ ଲମ୍ବ ବିଶିଷ୍ଟ ମାନବ ଶୃଙ୍ଖଳର ବିଶ୍ଵ ରେକର୍ଡ କରିଥିଲେ । କିସ ଏହି ରେକର୍ଡ କୁ ମଧ୍ୟ ଭାଙ୍ଗି ଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଡାଃ ଅଚ୍ୟୁତ ସାମନ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି ।

ଓଡିଶା ଡଟ କମ

Exit mobile version