କେଦାର ମିଶ୍ର
ରଂଗ, ରେଖା ଓ ଛାୟା ମିଶି ଏକ ଅପୂର୍ବ ମାୟା ର ଶୋଭାଯାତ୍ରା ଦେଖିବାର ସୁଯୋଗ ଆପଣ ହରେଇଚନ୍ତି ଯଦି ଆପଣ ନିକଟରେ ଆୟୋଜିତ ଓଡିଶା ସଂଗ୍ରହାଳୟରେ ଛାୟା ପ୍ରତିଛାୟା ପ୍ରଦର୍ଶନୀ ବୁଲି ଦେଖି ନାହାନ୍ତି ।
ସୂର୍ଯ୍ୟ ଏହା ପୂର୍ବରୁ ଓଡିଆ ସିନେମା ଗୀତ ଓ ଇତିହାସକୁ ନେଇ କେତୋଟି ଚମତ୍କାର ବହି ଲେଖିସାରିଚନ୍ତି. ତେବେ ଏହି ପ୍ରଦର୍ଶନୀ ରେ ଓଡିଆ ସିନେମା ର ବହୁ ପୋଷ୍ଟର ଆମେ ଦେଖିଚୁ ଯାହା କେବଳ ବ୍ୟବସାୟିକ ପ୍ରୋମୋ ନୁହଁ , ଏହି ସବୁ ଛବି ର ଚିରନ୍ତନ କଳା ମୂଲ୍ୟ ରହିଚି ।
‘କା’ ‘ଅସ୍ତରାଗ’ ‘ଭାଇ ଭାଉଜ’ ‘ମଲା ଜହ୍ନ’ ଶେଷ ଶ୍ରାବଣ ଇତ୍ୟାଦି ସିନେମା ର ପୋଷ୍ଟର ଅନେକାଂଶରେ ଆଧୁନିକ ଛବି ର ମର୍ଯ୍ୟାଦା ବହନ କରନ୍ତି ।
୧୯୩୬ ରେ ମୁକ୍ତିଲାଭ କରିଥିବା ପ୍ରଥମ ସିନେମା ଫିଲ୍ମ ଜଗତରେ ପ୍ରଥମ ଓଡିଆ କଥାକୁହା ଚଳଚିତ୍ର ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କର ସୀତା ବିବାହ ଓଡିଶାର ନୂତନ ଲକ୍ଷ୍ମୀ ସିନେମା , ପୁରୀରେ ଆତ୍ମ ପ୍ରକାଶ କରିବାର ସୂଚନା ବହନ କରୁଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ର ବିଜ୍ଞାପନକୁ ଏହି ପ୍ରଦର୍ଶନୀ ର ଆଦ୍ୟ ଦଲିଲ ବୋଲି କୁହାଯାଇ ପାରେ ।
ସିନେମା ର ମୁଖଶାଳା ଭାବରେ ପୋଷ୍ଟର ଗୁଡିକର ନିଜସ୍ଵ ଭୂମିକା ରହିଚି ଓ ୧୯୩୬ ରୁ ୧୯୯୦ ଯାଏଁ ଓଡିଆ ସିନେମା ର ମୌଳିକତା, ରୁଚିବୋଧ, କଳାତ୍ମକ ଚିନ୍ତନର ଯେଉଁ ଚମତ୍କାର ଧାରା ପ୍ରବାହ ତାର ସୁନ୍ଦର ପ୍ରତିଫଳନ ଏହି ସବୁ ପୋଷ୍ଟରରେ ପ୍ରତୀୟମାନ ହେଉଚି ।
ଲଳିତା, ‘ଶ୍ରୀଜଗନ୍ନାଥ’ ‘ମହା ଲକ୍ଷ୍ମୀ ପୂଜା’ ‘କୃଷ୍ଣ ସୁଦାମା’ ‘ଶ୍ରୀ ଲୋକନାଥ’ , ‘କେଦାର ଗୌରୀ’ ,’ତଅପୋଇ’ ଇତ୍ୟାଦି ପୌରାଣିକ ଛବି ର ପୋଷ୍ଟରରେ ଯେଉଁ ରଂଗ , ଛାୟା ଓ ରେଖା ର ବ୍ୟବହାର କରା ଯାଇଛି ସେଥିରେ ସୌନ୍ଦର୍ୟ ଓ ରହସ୍ୟ ର ମିଶ୍ରଣ କୁ ସହଜ ରେ ଉପଲବ୍ଧି କରିହୁଏ ।
ସେମିତି ସାମାଜିକ ଚିତ୍ର ସବୁରେ ବାସ୍ତବବାଦୀ ପ୍ରତୀକ ର ବ୍ୟବହାର କରାଯାଇଛି . ଏକଥା କହିଲା ବେଳକୁ ମନରେ ଗର୍ବ ଆସୁଛି ଯେ , ଓଡିଆ ସିନେମା ର ପୋଷ୍ଟର ଅନେକାଂଶରେ ଏକ ଭିନ୍ନ କଳାତ୍ମକ ମର୍ଯ୍ୟାଦାବୋଧ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।
ଓଡିଶା ରାଜ୍ୟ ସଂଗ୍ରହାଳୟ ଓ ଓଡିଶା ସିନେ ସାମ୍ବାଦିକ ଫୋରମ ତରଫରୁ ଅୟୋଜିତ ଏହି ପ୍ରଦର୍ଶନୀ ଐତିହାସିକ ତଥା ଅଗାମୀ ସମୟ ପାଇଁ ଏକ ସାଇତି ରଖିଲା ଭଳି ଅନୁଭବ ନିଶ୍ଚୟ ।