Site icon Odisha.com

ସାର୍ବଜନୀନ ମୌଳିକ ଆୟ ପ୍ରସ୍ତାବ

ପ୍ରଚଳିତ ସମାଜ କଲ୍ୟାଣ ଯୋଜନା ଗୁଡ଼ିକରେ ବିଘଟନ କରି ଏକ ଦୁର୍ବ ଳ ସାର୍ବଜନୀନ ମୌଳିକ ଆୟର ପରିକଳ୍ପନା ସାଂଘାତିକ ପ୍ରମାଣିତ ହୋଇପାରେ ।

ଏମିତି ଏକ ଦୁନିଆର କଳ୍ପନା କରନ୍ତୁ ଯେଉଁଠି ରାଷ୍ଟ୍ର କୌଣସି ସର୍ତ ନରଖି ପ୍ରତ୍ୟେକଟି ବ୍ୟକ୍ତିକୁ ସର୍ବନିମ୍ନ ଜୀବନଧାରଣ ପାଇଁ ଆୟଟିଏ ପ୍ରଦାନ କରିବ ।

ଏଥିସହିତ ଯଦି ସାଧାରଣ ସେବାଗୁଡ଼ିକ ମିଶାଇ ଦିଆଯାଏ, ତେବେ ଜେନ ଡ଼୍ରେଜ୍ କହିବାଭଳି ସମ୍ମାନର ସହ ବଂଚିବାର ଅଧିକାରଟିକୁ ସୁନିଶ୍ଚିତ କରାଯାଇପାରିବ ।

୨୦୧୬-୧୭ ମସିହାର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ଏକ ଅଧ୍ୟୟନରେ ଯାହାର ଶିରୋନାମା ରଖାଯାଇଛି, ‘ସାର୍ବଜନୀନ ମୌଳିକ ଆୟ(ୟୁ.ବି.ଆଇ): ମହାତ୍ମାଙ୍କ ସହ ଓ ମଧ୍ୟରେ ଏକ କଥୋପକଥନ’ ଏଭଳି ଏକ ବୁଝାମଣାକୁ ନେଇ ଆରମ୍ଭ ହୋଇଛି ।

କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆର୍ଥିକ ସତର୍କତା ଦିଗରେ ନିଜ ଉପରେ ପ୍ରତିବନ୍ଧକଟିଏ ଆଣି ପ୍ରସ୍ତାବିତ ୟୂବିଆଇଟି ନାଁ ‘ସାର୍ବଜନୀନ’ ହୋଇପାରିଛି ନାଁ ହୋଇଛି ‘ମୌଳିକ’, ବରଂ ଏହି ଯୋଜନାଟି ଯେଉଁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ପୂର୍ଣ୍ଣଚ୍ଛେଦ ଟାଣିବାର ପରିକଳ୍ପନା କରିଛି ସେ ଭିତରେ ଅଛି ସାଧାରଣ ବଂଟନ ବ୍ୟବସ୍ଥା, ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଯୁକ୍ତି ପ୍ରତିଶୃତି ଯୋଜନା ଏବଂ ମଧ୍ୟାହ୍ନଭୋଜନ ଯୋଜନା ।

ନୂତନଭାବେ ପରିକଳ୍ପନା କରାଯାଇଥିବା ୟୂବିଆଇ ଯୋଜନାରେ ଜନସମୁଦାୟର ଗୋଟିଏ ଭାଗକୁ କ୍ଷତିପୂରଣ ମୂଳକ ଅର୍ଥ ବ୍ୟାଙ୍କ ହିସାବ ଖାତାକୁ ପଠାଇବାର ବ୍ୟବସ୍ଥା ହୋଇଛି ମାତ୍ର ।

ସେହି ଅର୍ଥରେ ମଧ୍ୟ କାଟଛାଟ କରାଯାଇପାରିବ ବା ଅର୍ଥର ବିକଳ୍ପ ହିସାବରେ ଖାଦ୍ୟ, ସର୍ବନିମ୍ନ ଦିବସର ମଜୁରୀଭିତିକ ନିଯୁକ୍ତି ଏବଂ ଅନ୍ୟାନ୍ୟ ସାମାଜିକ ନିରାପତାମୂଳକ କାମ ଯୋଗାଇ ଦିଆଯାଇପାରିବ ।

ଯଦିଓ ଏହି ଯୋଜନାର ପରିକଳ୍ପନା ଅତ୍ୟନ୍ତ ଅଯୌକ୍ତିକ; ତଥାପି ବଜେଟ ନିରପେକ୍ଷତା ପ୍ରତି ପ୍ରତିବଦ୍ଧ ରହିବାର ଇଚ୍ଛାପ୍ରକାଶ କରାଯାଇଛି ।

ମହାମାରୀ ଭଳି ଯେପରି ଏକ ଭୟଙ୍କର ଆର୍ଥିକ ବିଷମତା ସମଗ୍ର ଦେଶକୁ ଗ୍ରାସ କରିଛି; ବହୁତ ଭଲ ହୁଅନ୍ତା ଯଦି ଏଭଳି ଏକ ଯୋଜନା ପାଣ୍ଠି, ଧନୀଲୋକମାନଙ୍କ ଆୟରୁ ତଥା ସମ୍ପତି ଉପରେ ଟିକସ ଆଦାୟକରି ଯୋଗାଡ଼ କରାଯାଇପାରନ୍ତା ।

ସମାଜପାଇଁ କମ୍ ବାଞ୍ଛନୀୟ ଅର୍ଥନୈତିକ କାର୍ଯ୍ୟକ୍ରମଗୁଡ଼ିକରୁ ମଧ୍ୟ ଏଥିପାଇଁ ପରୋକ୍ଷ ଟିକସ ପକାଇ ଆଦାୟ କରାଯାଇପାରନ୍ତା । ବିଶ୍ୱର ଦେଶମାନଙ୍କ ଭିତରେ ଭାରତର ଜାତୀୟ ସାମଗ୍ରିକ ଉତ୍ପାଦନ କ୍ଷେତ୍ରରେ ଟିକସର ଯୋଗଦାନ ହାରଟି ନିମ୍ନତମ ସ୍ତରର ଏବଂ ସମ୍ପତି ଟିକସ ଓ କର୍ପୋରେଟ ଟିକସ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ ।

ସେଥିପାଇଁ ଏକଥା ଭାବି ହେଉନାହିଁ ଯେ ଆମ ନୀତି ନିର୍ଦ୍ଧାରକମାନେ ଅର୍ଥନୀତିକୁ ବ୍ୟାପକ କରାଇବାପାଇଁ କାହିଁକି ପ୍ରତକ୍ଷ୍ୟ କର ଉପରେ ଗୁରୁତ୍ୱ୍ୱ ଦେଉନାହାଁନ୍ତି ଯଦ୍ୱାରା କି ୟୂବିଆଇ ଭଳି ଯୋଜନାପାଇଁ ସେମାନେ ପାଣ୍ଠି ଯୋଗାଡ଼ କରିପାରନ୍ତେ ।

ଏହା ବଦଳରେ ଅର୍ଥନୈତିକ ସର୍ବେକ୍ଷଣରେ ଯେମିତି ଦେଖାଇ ଦିଆଯାଇଛି ଖର୍ଚ୍ଚକାଟ ଏବଂ ସାମାଜିକ କଲ୍ୟାଣକାରୀ ଯୋଜନା ତଥା ପ୍ରଶାସନିକ କଳର ଖର୍ଚ୍ଚଗୁଡ଼ିକୁ କାଟଛାଟ କରି ସାର୍ବଜନୀନ ମୌଳିକ ଆୟ ଯୋଜନା ପ୍ରସ୍ତୁତି କରାଯାଇଛି ।

ସେହି ଆଧାରରେ ଯୁକ୍ତି କରାଯାଇଛି ଯେ ଭାରତରେ ପ୍ରଚଳିତ ସାମାଜିକ ନିରାପତା ବ୍ୟବସ୍ଥାଟି ଅତି ପେଟୁଆ, ଦକ୍ଷତାବିହୀନ ଏବଂ ସମ୍ବଳର କୁବଂଟନ ଉପରେ ଆଧାରିତ ।

ସେଥିପାଇଁ ଏହି ବାସ୍ତବତାଗୁଡ଼ିକ ଆମକୁ ବାଧ୍ୟକରୁଛି ଯେମିତି ରାଷ୍ଟ୍ରର ଅର୍ଥ ଉଚିତଭାବେ ସାମାଜିକ କଲ୍ୟାଣ କ୍ଷେତ୍ରରେ ଖର୍ଚ୍ଚ କରାଯାଇପାରିବ ତାକୁ ଆମେ ଗୁରୁତ୍ୱର ସହ ଚିନ୍ତା କରିବା ।

ଏଥିରେ ୬ଟି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସମ୍ବଳର ବ୍ୟାପକ କୁବଂଟନ ଉପରେ ଗୁରୁତ୍ୱ ଦିଆଯାଇଛି । ଦୁଇଟି ସରଳ ମାନଚିତ୍ର ମାଧ୍ୟମରେ ଚିତ୍ରିତ କରାଯାଇଛି ଯେ ଗରିବ ଲୋକମାନଙ୍କର ଅଧିକ ଉପସ୍ଥିତି ସତ୍ୱେ ଦେଶର ଗରିବ ଜିଲ୍ଲାମାନଙ୍କରେ ଖର୍ଚ୍ଚ କମ୍ ହୋଇଛି ।

ଅର୍ଥନୈତିକ ସର୍ବେକ୍ଷଣର ଲେଖକମାନେ ସାର୍ବକାଳୀନ ମୌଳିକ ଆୟ ଯୋଜନାକୁ ନେଇ ଦାବୀ କରନ୍ତି ଯେ ଏପ୍ରକାର ଅସନ୍ତୁଳନକୁ ଏହି ଯୋଜନାଟି ଦୂର କରିବ । କିନ୍ତୁ ଏଭଳି ଏକ ସୁଧାର ପ୍ରକ୍ରିୟା କେବଳ ଲକ୍ଷ୍ୟଭୁକ୍ତ ଉପଭୋକ୍ତାଙ୍କୁ ନଗଦ ଟଙ୍କା ଯୋଗାଇ ଦେବ କିନ୍ତୁ ସାର୍ବଜନୀନ ମୌଳିକ ଆୟ ଦେଇପାରିବ ନାହିଁ ।

ପୁନଶ୍ଚ ଏହି କଥାଟିକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଏହିସବୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡ଼ିକରେ ବଜାରର ଅନିଶ୍ଚିତତାକୁ ହିସାବରେ ରଖି ସୁରକ୍ଷା ପ୍ରବନ୍ଧ ଅନ୍ତର୍ଭୁକ୍ତ କରାଯାଇଥାଏ ।

ସାଧାରଣ ବଂଟନ ବ୍ୟବସ୍ଥା ଯୋଗୁଁ କୃଷିଜାତ ଦ୍ରବ୍ୟ ବଜାରରେ ରାଷ୍ଟ୍ରର ହସ୍ତକ୍ଷେପ ହେବା ଫଳରେ ଅନେକ ଦିନ ଧରି ମୂଲ୍ୟରେ ଅଧିକ ସ୍ଥିରତା ରହିଆସିଛି ଏବଂ କୃଷକମାନଙ୍କର ଆୟର ସୁରକ୍ଷା କମରେ ହେଲେବି ନିଶ୍ଚିତ ହୋଇପାରୁଛି ।

ସାଧାରଣ ଖାଦ୍ୟଶସ୍ୟ ସଂଗ୍ରହ ବ୍ୟବସ୍ଥା, ସର୍ବନିମ୍ନ ସହଯୋଗ ଦର ଭଳି ରାଜନୈତିକ ଗୁରୁତ୍ୱ ବହନ  କରୁଥିବା ପଦକ୍ଷେପଗୁଡ଼ିକ ରାଷ୍ଟ୍ରୀୟ ହସ୍ତକ୍ଷେପର ଗୋଟିଏ ଗୋଟିଏ ପ୍ରତିଫଳନ ।

ମଧ୍ୟାହ୍ନଭୋଜନ ଯୋଜନା ଯୋଗୁଁ ମଧ୍ୟାହ୍ନ ସମୟରେ ପିଲାମାନଙ୍କୁ ଯେଉଁ ଖାଦ୍ୟ ଯୋଗାଇ ଦିଆଯାଏ ସେଥିରେ ସେମାନଙ୍କର ଆବଶ୍ୟକ ହେଉଥିବା ପୃଷ୍ଟି ମିଳିବା ସାଙ୍ଗକୁ ବିଦ୍ୟାଳୟରେ ମଧ୍ୟ ଉପସ୍ଥାନ ବଢ଼ୁଛି ବୋଲି ଜଣାପଡ଼ୁଛି ।

ଏମ୍.ଜି.ଏନ୍.ଆର.ଜି.ଏ ଭଳି ଯୋଜନାରେ ଯେ କେବଳ ସର୍ବନିମ୍ନ ନିଯୁକ୍ତି ଦିବସର ପ୍ରତିଶୃତି ଦିଆଯାଇପାରୁଛି ତାହାନୁହେଁ ଏହାଦ୍ୱାରା ସ୍ଥାନୀୟସ୍ତରରେ ଯୋଜନା କରାଯାଇଥିବା ସର୍ବସାଧାରଣ ଭିତିଭୂମିର ପରିଚାଳନା ଦିଗରେ ସହଯୋଗ ତଥା ଶ୍ରମର ସାମୟିକ ନିଯୁକ୍ତି ଦିଗରେ ସୁରକ୍ଷା ଦିଆଯାଇପାରୁଛି ।

ଏଥିସହିତ ସ୍ଥାନୀୟ ଶ୍ରମ ବଜାରରେ ମଜୁରୀ ଦର ନିର୍ଦ୍ଧାରଣ ଦିଗରେ ମଧ୍ୟ ଶ୍ରମିକମାନଙ୍କୁ କିଛି ମୂଲଚାଲ କରିବାର କ୍ଷମତା ମିଳିପାରୁଛି । ଅବଶ୍ୟ ଅର୍ଥନୈତିକ ସର୍ବେକ୍ଷଣ ସତଟିଏ କହିପକାଇଛି ଯେ, ‘ସାଧାରଣ ବଂଟନ ବ୍ୟବସ୍ଥାକୁ ପ୍ରତ୍ୟାହାର କଲେ ଗରିବମାନେ ନିର୍ଭର କରୁଥିବା ଖାଦ୍ୟଶସ୍ୟର ବଜାର ଦର ବୃଦ୍ଧି ଘଟିବ ।

ସେହିଭଳି ଏମ୍ ଜି.ଏନ୍.ଆର୍.ଜି.ଏ ପର୍ଯ୍ୟାୟକ୍ରମେ ପ୍ରତ୍ୟାହୃତ ହେଲେ ଗ୍ରାମାଂଚଳର ସାମୟିକ ଶ୍ରମିକମାନଙ୍କ ମଜୁରୀ ମୂଲ୍ୟରେ ହ୍ରାସ ଘଟିବ’ । ଏତିକି କହିବା ସତ୍ୱେ ଏହିସବୁ ଯୋଜନା ବିରୁଦ୍ଧରେ ଅର୍ଥନୈତିକ ସର୍ବେକ୍ଷଣଟି ମତପ୍ରସ୍ତୁତ କରିପାରୁଛି ।

୨୦୦୪-୦୫ ଓ ୨୦୧୧-୧୨ ଭିତରେ ଭାରତୀୟ ଖାଦ୍ୟ ନିଗମରେ ମହଜୁଦ ଥିବା ଖାଦ୍ୟ ଉଠାଣ କ୍ଷେତ୍ରରେ ଶତକଡ଼ା ୭୧ଭାଗ ବୃଦ୍ଧି ଘଟିଥିଲା ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ଘରପିଛା କ୍ରୟ ମଧ୍ୟ ଶତକଡ଼ା ୧୧୭ଭାଗ ବୃଦ୍ଧି ଘଟିଥିଲା ।

ଏହା ସୂଚାଇ ଦେଉଛି ଯେ ସାଧାରଣ ବଂଟନ ବ୍ୟବସ୍ଥାର ପହଂଚରେ ବୃଦ୍ଧିଘଟିଛି, ଯୋଗାଣରେ ଦକ୍ଷତା ବି ବଢ଼ିଛି ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ବରବାଦ ହେଉଥିବା ପରିମାଣ ବି ଶତକଡ଼ା ୫୪ପ୍ରତିଶତରୁ ଖସିଆସି ଶତକଡ଼ା ୩୫ଭାଗରେ ପହଂଚିଛି ।

ଅର୍ଥନୈତିକ ସର୍ବେକ୍ଷଣ ୨୦୧୬ଯାଏ ମିଳିଥିବା ତଥ୍ୟକୁ ହିସାବକୁ ନେଇ ସୂଚାଇ ଦେଉଛି ଯେ ଏହି ବରବାଦର ପରିମାଣ ଶତକଡ଼ା ୨୦.୫ଭାଗରେ ଆସି ପହଂଚିଛି ।

ଏଥିରେ ଗତ ୫ବର୍ଷ ଭିତରେ ପ୍ରଯୁକ୍ତି ବିଦ୍ୟାର ଖାଦ୍ୟ ବିତରଣରେ ପ୍ରୟୋଗ ତଥା କାର୍ଯ୍ୟକ୍ରମର ପହଂଚକୁ ପରିବର୍ଦ୍ଧିତ କରାଯାଇଥିବା କଥାଟିକୁ ହିସାବକୁ ନନେଇ କୁହାଯାଇଛି । ଗ୍ରାମୀଣ ଶ୍ରମ ମଜୁରୀରେ ମୂଲ୍ୟବୃଦ୍ଧି ଘଟିଛି ଯାହା ଏମ୍.ଜି.ଏନ୍.ଆର.ଜି.ଏ ଯୋଗୁଁ ସମ୍ଭବ ହୋଇପାରିଛି ।

ଏକଥାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିବନାହିଁ ଯେ ନିକଟ ଅତୀତରେ ଏହି କାର୍ଯ୍ୟକ୍ରମ ଯୋଗୁଁ ବ୍ୟାପକ କୃଷି ସମ୍ବଳ ସୃଷ୍ଟି କରାଯାଇ ପାରିଛି । ଦକ୍ଷିଣଭାରତର ରାଜ୍ୟମାନଙ୍କ ଭଳି ଉତର ଭାରତର ରାଜ୍ୟମାନଙ୍କରେ ମଧ୍ୟ ସାମାଜିକ ନିରାପତାଜନିତ ସେବା ଓ ଜିନିଷଗୁଡ଼ିକ ରାଜନୈତିକ ପ୍ରାଧାନ୍ୟତା ପାଉଥିବା ଯୋଗୁଁ ଆଜି ଏହିସବୁ କାର୍ଯ୍ୟକ୍ରମଗୁଡ଼ିକର ଗୁରୁତ୍ୱ ବଢ଼ିଯାଇଛି ।

ପ୍ରକୃତପକ୍ଷେ ସ୍ୱଳ୍ପ କେତୋଟି ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ଓ ଏମ୍.ଜି.ଏନ୍.ଆର.ଜି.ଏ କାର୍ଯ୍ୟକ୍ରମରେ ଦୁର୍ନୀତି ଓ ବରବାଦି କମିଯାଇଛି ଯଦିଚ ଲକ୍ଷ୍ୟଭୁକ୍ତ ଜନସମୁଦାୟରେ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ପହଂଚିପାରିଛି ।

ଅନ୍ୟ ରାଜ୍ୟମାନଙ୍କରେ ଏହି ଉଦାହରଣଗୁଡ଼ିକର ଅନୁକରଣ ଦରକାର । ଯଦି ଆମେ କହିବା ଯେ, ‘ଗୋଟିଏ ସାର୍ବଜନୀନ ମୌଳିକ ଆୟକୁ ନେଇ ଗଭୀର ଆଲୋଚନା ପାଇଁ ଠିକଣା ସମୟ ପହଂଚିଯାଇଛି’ ଯାହାକି କଷ୍ଟଲବ୍ଧ ସାମାଜିକ କଲ୍ୟାଣ ପଦକ୍ଷେପଗୁଡ଼ିକୁ ବନ୍ଦ କରିଦେବ ତେବେ ଆମେ ଅତୀତର ଉପଲବ୍ଧି ବା ଅନୁଭୂତିରୁ ଶିଖିବାପାଇଁ ଚାହାଁନ୍ତି ନାହିଁ ଏହି କଥାଟିକୁ ଇଙ୍ଗିତ କରାଇବ ।

ଗତ ଦଶନ୍ଧିରେ ଦେଖାଯାଇଛି ଯେ ହିତାଧିକାରୀଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଦ୍ୱାରା, କାର୍ଯ୍ୟକ୍ରମ ଗୁଡ଼ିକରେ ଅଧିକ ସ୍ୱଚ୍ଛତା ଓ ଉତରଦାୟିତ୍ୱ୍ୱ ଆଣିବା ଦ୍ୱାରା, ଉପଯୋଗୀ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କୁ ସାମିଲ କରିବାଦ୍ୱାରା, କିଛିଟା ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିବାଯୋଗୁଁ ଓ ପ୍ରଶାସନକୁ ଆରମ୍ଭରୁ ହିଁ ସକ୍ରିୟ କରାଇବା ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ରୂପାୟନରେ ଉନ୍ନତି ଅଣାଯାଇପାରୁଛି ।

FEBRUARY 11,2017 VOL L11 NO 7 EPW -2 ( The ‘ Universal Basic Income’ proposal)

Exit mobile version