Site icon Odisha.com

ବିଭୂତି ପଟ୍ଟନାୟକ; ଶତ ସହସ୍ର କାହାଣୀର ଏକଇ ନାୟକ

bibhuti

କେଦାର ମିଶ୍ର

ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ ଗତ ପଚାଶ ବର୍ଷ ଧରି ଗୋଟିଏ ପରିଚୟରେ ଆବଦ୍ଧ।

ତାଂକୁ ବାଦ୍ ଦେଇ ଓଡିଆ ଉପନ୍ୟାସର କଳ୍ପନା ମଧ୍ୟ ସମ୍ଭବ ନୁହଁ । ଓଡିଆ ଉପନ୍ୟାସର ସବୁଠୁ ମହାନ ପରମ୍ପରା ପାଖରେ ପହଂଚିବାକୁ ହେଲେ ବିଭୂତି ବାବୁଂକ ବାଟ ଦେଇ ଯିବାକୁ ଓଡିଆ ପାଠକ ବାଧ୍ୟ।

କାହ୍ନୁଚରଣ ମହାଂତିଂକ ପରେ ଓଡିଆ ଲୋକପ୍ରିୟ ଉପନ୍ୟାସର ଶ୍ରେଷ୍ଠତମ ମହାନାୟକ ସେ। ଅସରନ୍ତି କଥା ଓ କାହାଣୀ ର ସେ ଚଳନ୍ତି ବର୍ଣ୍ଣବୋଧ। ଗତ ସପ୍ତାହରେ ତାଂକୁ ଓଡିଶା ସାହିତ୍ୟ ଏକାଡେମୀ ନିଜର ସର୍ବୋଚ ପୁରଷ୍କାର “ଅତିବଡି ପୁରଷ୍କାର” ଦେବାକୁ ଘୋଷଣା କରିଛି ।

ତେବେ ଲୋକପ୍ରିୟତା ଓ ପାଠକୀୟତା ର ପ୍ରବଳ ଜୁଆର ଆଗରେ କୌଣସି ବି ପୁରଷ୍କାର ବିଭୂତି ବାବୁଂକ ଲାଗି ନିହାତି ଛୋଟ । ବିଭୁତି ପଟ୍ଟନାୟକଂକ ଜୀବନ, ସାହିତ୍ୟ ଓ ସର୍ଜନ ଜଗତକୁ ନେଇ କେତେକ ରୋଚକ ତଥ୍ୟ –

୧. ପ୍ରାୟ ୬ ବର୍ଷ ତଳେ ସେ ପୁରୀ ମନ୍ଦିର ବୁଲିବାକୁ ଯାଇଥାନ୍ତି। ହଠାତ୍ ଜଣେ ପଣ୍ଡା ଟୋକା ତାଂକୁ କହିଲା- ଆସନ୍ତୁ, ମୁଁ ଦର୍ଶନ କରେଇଦେବି। ସଚରାଚର ଆମ ଓଡିଆ ମାନେ ପଣ୍ଡା ମାନଂକୁ ଆଡେଇ ଚାଲିଯିବାକୁ ଚାହୁଁ ।

ଟୋକା ଟି କିନ୍ତୁ କହିଲା, ମୁଁ ଆପଣଂକୁ ଜାଣିଛି, ଆପଣ ବିଭୂତି ପଟ୍ଟନାୟକ। ତାପରେ ମନ୍ଦିର ଦର୍ଶନ ଚାଲିଲା। ଦର୍ଶନ ପରେ ପୁଳାଏ ମାଲପୁଆ ନେଇ ପଣ୍ଡାଟି କହିଲା- ୟାକୁ ରଖନ୍ତୁ । ବିଭୂତି ବାବୁ ପକେଟ୍ ରୁ କିଛି ପଇସା ବାହାର କରି ଦେଲା ବେଳକୁ, ଟୋକାଟି କହିଲା- ଆପଣଂକୁ ବହୁତ୍ ପଢିଛି ।

ବହୁତ ଖୁସି ଦେଇଛନ୍ତି ଆପଣ, ତେଣୁ ଆପଣଂକଠୁ ପଇସା ନେବି ନାହିଁ । ଗୋଟେ ପାଠକ କୁ ଏମିତି ଭେଟିବାର ସୌଭାଗ୍ୟ କେତେଜଣ ଓଡିଆ ଲେଖକଂକ ଭାଗ୍ୟରେ ଯୁଟେ ? ଏ ଦୃଶ୍ୟ ମୁଁ ନିଜେ ଦେଖିଛି ଓ କହିବାରେ ଦ୍ଵିଧା ନାହିଁ ଓଡିଆ ପାଠକଂକ ସବୁଠୁ ପ୍ରିୟ ଲେଖକ ବିଭୂତି ପଟ୍ଟନାୟକ ।

୨. କିଶୋର ବୟସରୁ ସେ ଉପନ୍ୟାସ ଲେଖିଛନ୍ତି। ୧୯୩୭, ଅକଟୋବର ୨୫ ତାରିଖ ଜଗତସିଂଗପୁର ଜିଲ୍ଲା ର ଡିଂଗେଶ୍ଵର ଗାଁ ରେ ତାଂକର ଜନ୍ମ । ଯେତେବେଳେ ଓଡିଆ ଲେଖକ ମାନେ ପ୍ରକାଶକ ଖୋଜି ପାଇବା ମୁସ୍କିଲ୍, ସେତେବେଳେ ବିନା ପଇସାରେ ବିଭୂତି ବାବୁଂକ ପ୍ରଥମ ଉପନ୍ୟାସ ଛପା ହୋଇଥିଲା ।

୩. ଦୀର୍ଘ ବର୍ଷ ଧରି ସେ ଥିଲେ ଓଡିଆ ଭାଷାର ଏକ ମାତ୍ର ଲେଖକ ଯିଏ ନିଜ ରୟାଲଟି ଉପରେ ଆୟକର ଦେଉଥିଲେ। ତାଂକର ପ୍ରେମିକା, ବଧୂ ନିରୁପମା, ନାୟିକାର ନାମ ଶ୍ରାବଣୀ, ଚପଳଛନ୍ଦା ଓ ଆଉ କିଛି ଉପନ୍ୟାସ ୨୦ ରୁ ଅଧିକ ସଂସ୍କରଣ ରେ ପ୍ରକାଶିତ ହୋଇ ସାରିଛି ।

୪. ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଆଲୋଚନା, ଜୀବନୀ, ଭ୍ରମଣ କାହାଣୀ, ରାଜନୈତିକ ଆଲେଖ୍ୟ ଓ ଅନୁବାଦ- ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଂକର ବିପୁଳ ଅବଦାନ ରହିଛି ।

ଗପ ଓ ଉପନ୍ୟାସରେ ସେ କେବଳ ରସାଳ ଏବଂ ରୋଚକ ଭାଷାର ପ୍ରୟୋଗ କରିନାହାନ୍ତି, ଅନେକ କ୍ଷେତ୍ରରେ ନୁଆ ଶୈଳୀ ତଥା ପ୍ରୟୋଗ ମଧ୍ୟ କରିଛନ୍ତି । ଷାଠିଏ ଦଶକରେ ପ୍ରକାଶିତ ତାଂକର ଗୁଡାଏ ଗପରେ କଳାତ୍ମକ ପରୀକ୍ଷା ନିରୀକ୍ଷା ସେ କରିଛନ୍ତି।

୫ ସମ୍ପାଦନା କ୍ଷେତ୍ରରେ ତାଂକର ଅବଦାନ, ଏଯାବତ୍ ସଠିକ୍ ଭାବରେ ଆକଳନ କରାଯାଇ ପାରିନାହିଁ । ନବରବି, ଆସନ୍ତା କାଲି ଓ ଗଳ୍ପ ପତ୍ରିକାର ସମ୍ପାଦକ ଭାବରେ ସେ ବହୁ ନୁଆ ଗାଳ୍ପିକ ସୃଷ୍ଟି କରିଛନ୍ତି ।

୬. କଲେଜ୍ ରେ ପଢୁଥିବା ବେଳେ ସମାଜବାଦୀ ଆନ୍ଦୋଳନ ସହ ଜଡିତ ହୋଇ ସେ “କୃଷକ” ପତ୍ରିକା ର ସମ୍ପାଦନା ସହଯୋଗୀ ଭାବରେ ମଧ୍ୟ କାମ କରିଛନ୍ତି। ଓଡିଶାର ପ୍ରଖ୍ୟାତ ସ୍ବାଧିନତା ସଂଗ୍ରାମୀ ତଥା ସମାଜବାଦୀ ନେତା ସାରଂଗଧର ଦାସଂକ ସହଯୋଗୀ ଭାବରେ ସେ “କୃଷକ” ପତ୍ରିକା ସହ ଜଡିତ ଥିଲେ।

ପରବର୍ତ୍ତୀ ସମୟରେ ସାରଂଗଧରଂକ ଜୀବନୀ ସେ ରଚନା କରିଥିଲେ।

୭. ପଚାଶରୁ ଅଧିକ ଉପନ୍ୟାସ ଓ ଅନେକ ଗଳ୍ପ ସଂକଳନ ର ସ୍ରଷ୍ଟା ବିଭୂତି ବାବୁ ଓଡିଶା ତଥା ଦେଶର ରାଜନୈତିକ ଘଟଣାବଳୀ କୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି। ଭାରତ ବିଭାଜନ ଓ ମହାତ୍ମା ଗାଂଧିଂକ ଜୀବନ କୁ ନେଇ ତାଂକର ପ୍ରାମାଣିକ ପୁସ୍ତକ ରହିଛି।

୮. ଓଡିଶାରେ ପୁସ୍ତକମେଳା ଆନ୍ଦୋଳନ, ଲେଖକ ସମବାୟ ସମିତି, ଲେଖକ ସାମ୍ମୁଖ୍ୟ ଇତ୍ୟାଦି ସଂଗଠନ ସହ ଜଡିତ ରହି ସେ ସାହିତ୍ୟ ସଂଗଠନ କ୍ଷେତ୍ରରେ ମଧ୍ୟ ନିଜର ବିଶିଷ୍ଟ ଅବଦାନ ଦେଇଛନ୍ତି।

୯. “ଅଶ୍ଵମେଧର ଘୋଡା” ପାଇଁ ଓଡିଶା ସାହିତ୍ୟ ଏକାଡେମୀ, “ମହିଷାସୁରର ମୁହଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ସାମଗ୍ରୀକ କୃତି ପାଇଁ ଶାରଳା ପୁରଷ୍କାର, ଅତିବଡି ପୁରଷ୍କାର, ସାହିତ୍ୟ ଭାରତୀ ପୁରଷ୍କାର ଇତ୍ୟାଦି ତାଂକୁ ମିଳିଛି।

୧୦. ଅନେକ ସମୟରେ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ବିଭୂତି ବାବୁ ବିବାଦରେ ରହି ଆସିଛନ୍ତି। ସାହିତ୍ୟ ଏକାଡେମୀ ପୁରଷ୍କାର ରେ ଦୁର୍ନୀତି ହେଉଛି ବୋଲି ସେ ଏକାଡେମୀ ଆବାହକ ଥିବାବେଳେ କହିଥିଲେ ଓ ସେତେବେଳେ ଏହାକୁ ନେଇ ପ୍ରଚୁର ବିବାଦ ସୃଷ୍ଟି ହୋଇଥିଲା ।

ସାହିତ୍ୟ ର ସବୁ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଥିବା ବିଭୂତି ପଟ୍ଟନାୟକ ରାଜନୀତିରେ ଜଣେ ସାମ୍ୟବାଦୀ ଓ ସମାଜବାଦୀ ଭାବେ ପରଚିତ।

ଓଡିଶା ଡଟ କମ

Exit mobile version