Site icon Odisha.com

ପଶ୍ଚିମ ଓଡିଶା ପରିବାର-ମୁମ୍ବାଇ ଦ୍ଵାରା ଏକାଦଶ ନୂଆଖାଇ ଭେଟଘାଟ

ମୁମ୍ବାଇ, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର –ମୁମ୍ବାଇ ଦ୍ଵାରା ଏକାଦଶ “ନୂଆଖାଇ ଭେଟଘାଟ -୨୦୧୭” ସେପ୍ଟେମ୍ବର ୨୪ ରବିବାର ସ୍ଵତନ୍ତ୍ରବୀର ସଭରକର ସଭାଗାର, ଦାଦର, ମୁମ୍ବାଇ ଠାରେ ଆୟୋଜିତ କରଯାଇଥିଲା।

ଏଥିରେ ମୁମ୍ବାଇରେ ଅବସ୍ଥାପିତ ପଶ୍ଚିମ ଓଡିଶାର ଅଧିବାସୀଗଣ ବହୁ ଉତ୍ସାହ ସହ ଅଂଶଗ୍ରହଣ କରିଥିଲେ।

ମହାରାଷ୍ଟ୍ର ସରକାରଙ୍କ ଶକ୍ତି ସଚିବ ଶ୍ରୀଯୁକ୍ତ ଅରବିନ୍ଦ ସିଂ, ଆଇଏସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଇତ୍ୟାବସରେ ଶ୍ରୀଯୁକ୍ତ ଅରବିନ୍ଦ ସିଂ ଓ ଅନ୍ୟ ଅତିଥିଗଣ ସ୍ମରଣିକା “ଜୁହାର” ର ସପ୍ତମ ସଂସ୍କରଣର ଅନାବରଣ କରିଥିଲେ।

ବଲିଉଡ ଓ ଟିଭି ଜଗତର ବରିଷ୍ଠ କଳାକାର, ଶ୍ରୀ ସତୀଶ ଶାହ ଉତ୍ସବର ବିଶେଷ ଅତିଥି ଭାବରେ ଯୋଗଦାନ କରି ପଶ୍ଚିମ ଓଡିଶା ଫାଉଣ୍ଡେସନ ତରଫରୁ ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କୁ ସାଲ ଓ ମୋମେଣ୍ଟୋପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି, ଉପସ୍ଥିତ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ଅନେକ ବଲିଉଡ ସିନେମାର ସେଲେବ୍ରିଟି ଖଳନାୟକ ଶ୍ରୀ ଆଶୀଷ ବିଦ୍ୟାର୍ଥୀ ଉତ୍ସବରେ ଯୋଗଦାନକରି ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ଆୟୋଜକ ମାନଙ୍କର ପ୍ରୟାସକୁ ପ୍ରସଂଶା କରିଥିଲେ। ଦର୍ଶକମାନଙ୍କ ଅନୁରୋଧରେ ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି ଉଠିଥିଲେ।

ସେଲେବ୍ରିଟି ଟିଭି ତାରକା ସୋନଲିକା ଯୋଶୀ ଓ ଲୋକପ୍ରିୟ ଟିଭି ଧାରାବାହିକ “ତାରକ ମେହେତାକା ଉଲ୍ଟା ଚଷମା” ର ଦିଶା ବକାନି ମଧ୍ୟ ଏହି ଅବସରର ଯୋଗଦାନ କରି ସଭିଙ୍କୁ ନୂଆଖାଇର ଶୁଭକାମନା ଜଣାଇଥିଲେ।

ସମସ୍ତ ଅତିଥିଙ୍କୁ ଆୟୋଜକ ମାନଙ୍କ ତରଫରୁ ସମ୍ବଲପୁରୀ ବସ୍ତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମ୍ବଲପୁରର ଲୋକନୃତ୍ୟ ମଣ୍ଡଳୀ “ରଙ୍ଗ ଫରୁଆ” ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ରଙ୍ଗବତୀର ତାଳେ ନାଚି ନାଚି ଦର୍ଶକ ମତୁଆଲା ହୋଇଉଠିଥିଲେ।

ଆୟୋଜନ କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଦୀପ ପଣ୍ଡା “ରଙ୍ଗ ଫରୁଆ” ମଣ୍ଡଳୀକୁ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।

ଆୟୋଜନ କମିଟି ମେଧାବୀ ତଥା ଖେଳକୁଦ ଓ କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁରୀ କପଡାକୁ ନେଇ ଡିଜାଇନର ବସ୍ତ୍ର ପ୍ରସ୍ତୁତ କରୁଥିବା ଏକ ସମ୍ବଲପୁର ସ୍ଥିତ କମ୍ପାନୀ “Traditional Vougue” ଅନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରକୁ ନେଇ ଏକ ଫାଶନ ସୋ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଭାଗୀଙ୍କୁ ଖିରୀ ଓ ମଣ୍ଡାପିଠା ଦ୍ଵାରା ଆପ୍ୟାୟିତ କରାଯାଇଥିଲା।

ଆଯୋଜକମାନଙ୍କ ତରଫରୁ SBI General Life Insurance, National Payment Corporation of India, Tata Motors, IDBI Capital, Traditional Vouge, ବୈଶାଖୀ , Union Bank, Canara Bank, Ferro Tech India, Siddhi Trade matrix, Bank of India ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଆଯୋଜକମାନଙ୍କ ତରଫରୁ ଓ ଟିଭି ଓ କଳିଙ୍ଗ ଟିଭିକୁ ଉତ୍ସବର ପ୍ରସାରଣପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି।

ଓଡିଶ ଡଟ କମ

Exit mobile version