Site icon Odisha.com

ଦୁବାଇ ଠାରେ ପ୍ରବାସୀ ଓଡିଆଙ୍କ ପୁଷପୁନି ପାଳନ

ଓଡିଶା ଡଟକମ ସଂବାଦ ଦାତା

ଦୁବାଇ, ଜାନୁଆରୀ ୨୧ (ଓଡିଶା ଡଟ କମ) ଦୁବାଇ ଠାରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷପୁନି ବ୍ୟାପକ ଜାକ ଜମକରେ ଶୁକ୍ରବାର ପାଳନ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡିଆ।

ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ଓ ପରିବାରର ସଦସ୍ୟ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ଓ ପଶ୍ଚିମ ଓଡିଶାର ଲୋକପ୍ରିୟ ପାରମ୍ପରିକ ଖାଦ୍ଯ ଯଥା ମାଂସ ତରକାରୀ ଓ ଆମ୍ବିଳ ସମସ୍ତଙ୍କୁ ପରସା ଯାଇଥିଲା ।

ସମ୍ବଲପୁରୀ ଗୀତ ଓ ନୃତ୍ୟବାଦ୍ୟର ତାଳେ ତାଳେ ଦର୍ଶକ ଝୁମିଉଠିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବିଶ୍ଵ ଦୃଷ୍ଟିହୀନ କ୍ରିକେଟ ପରିଷଦ ଓ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର କର୍ମ କର୍ତ୍ତା ମାନେ।

ଏହି ଅବସରରେ ବରଗଡର ପଙ୍କଜ ଭୁଏ ଓ ଭୁବନେଶ୍ବରର ମହମ୍ମଦ ଜଫର ଇକବଳ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସଦସ୍ୟ ଭାବେ କ୍ରିକେଟ ଖେଳି ଖ୍ଯାତି ଅର୍ଜନ କରିଥିବାରୁ ସେମାନକୁ ସମ୍ମାନିତ କରା ଯାଇଥିଲା।

ଉଭୟ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ପଶ୍ଚିମ ଓଡିଶା ପରିବାର ଦୁବାଇ ତରଫରୁ ୨୦୧୬ରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଲୋକପ୍ରିୟ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଳଙ୍କୁ ଓ ୨୦୧୭ ପୁଷପୁନି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରା ଯାଇଥିଲା।

ପଶ୍ଚିମ ଓଡିଶା ପରିବାର ଦୁବାଇ ନିୟମିତ ଭାବରେ ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଛନ୍ତି।

ଓଡିଶା ଡଟ କମ

Exit mobile version