ଇପ୍ସୀତା ଦାଶ
ପାଖାପାଖି ନଅ ବର୍ଷ ତଳେ ଏସିଡ ମାଡର ଶିକାର ହୋଇଥିବା ଓଡିଶାର ଜଣେ ଯୁବତୀ ପାଇଛନ୍ତି ନୂଆ ଜୀବନ ଓ ତା ପଛରେ ରହିଛି ଏକ ଅଭୂତପୂର୍ବ କାହାଣୀ ତ୍ୟାଗ, ସଂଘର୍ଷ ଓ ପ୍ରେମର ।
ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେବା, ଘଟଣାର ଆଠ ବର୍ଷ ପରେ ତାଙ୍କ ଉପରେ ଏସିଡ ପକାଇଥିବା ବ୍ୟକ୍ତି ଗିରଫ ହେବା, ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସଂସ୍ପର୍ଶରେ ଆସିଥିବା ଜଣେ ଯୁବକଙ୍କ ସହ ବୁଧବାର ନିର୍ବନ୍ଧ ହେବା ଆଦି ଘଟଣାବଳୀ ଯେତେ ରୋମାଞ୍ଚକ ସେତେ ଆଶ୍ଚର୍ଯ୍ୟ ଜନକ ।
ଏହି ଯୁବତୀ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅର୍ନ୍ତଗତ କନକପୁର ଗ୍ରାମର ପ୍ରମୋଦିନୀ ରାଉଳ । କଟକର ସରୋଜ ସାହୁଙ୍କର ସହ ଲକ୍ଷ୍ନୋ ଠାରେ ତାଙ୍କର ଫେବୃଆରୀ ୧୪ ଭାଲେନଟାଇନ ଦିବସ ( ପ୍ରେମ ଦିବସ) ଦିନ ହୋଇଛି ନିର୍ବନ୍ଧ ।
କେମିତି ହୋଇଥିଲା ଏସିଡ ଆକ୍ରମଣ
୨୦୦୮ମସିହାରେ ତିର୍ତୋଲ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିବା ବେଳେ ୩୬ବର୍ଷ ବୟସ୍କ ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ସ୍ଥାନୀୟ ସେନା କର୍ମଚାରୀ ପ୍ରମୋଦିନୀଙ୍କୁ ପ୍ରେମ ନିବେଦନ କରିଥିଲା ।
ତା’ର ଏହି ପ୍ରସ୍ତାବରେ ସେ ରାଜି ହୋଇନଥିଲେ । ଫଳରେ ସନ୍ତୋଷ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲା। ନିଜ ବଡ଼ବାପାଙ୍କ ପୁଅ ସହିତ ସାଇକେଲରେ ହରିପୁର ରୁ ନିଜ ଗାଁ କନକପୁର କୁ ଫେରୁଥିବା ବେଳେ ସନ୍ତୋଷ ତାଙ୍କ ଉପରକୁ ଏକ ମୋଟର ସାଇକେଲରୁ ଏସିଡ଼୍ ଫୋପାଡ଼ି ଥିଲା ।
ଏହି ଘଟଣା ଘଟିଥିଲା ୧୮ ଏପ୍ରିଲ,୨୦୦୯ ମସିହା ଦିନ । ଉକ୍ତ ମୋଟର ସାଇକେଲଟି ବିଶ୍ୱଜିତ୍ ଦଳସିଂହାରୀ (ଅନିଲ କୁମାର) ନାମକ ଅନ୍ୟ ଜଣେ ବ୍ୟକ୍ତି ଚଲାଉଥିଲା ।
ପ୍ରମୋଦିନୀଙ୍କ ଚୁଟି ଖୋଲା ଥିବା ହେତୁ ଭୟଙ୍କର ଏସିଡ଼୍ ତାଙ୍କ ବେକ, ମୁହଁ, ଆଖି,କାନ, ଓଠ, ଛାତି, ପେଟ , ପିଠି ଦେଇ ଗୋଡ଼ ଯାଏଁ ବିଜୁଳି ବେଗରେ ମାଡ଼ି ଯାଇଥିଲା ।
ଦେହସାରା ଅସହ୍ୟ ଯନ୍ତ୍ରଣାରେ ସେ ଚିତ୍କାର କରି ରାସ୍ତାରେ ପଡ଼ି ଛଟପଟ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କ ଚିତ୍କାର ଶୁଣି ରୁଣ୍ଡ ହୋଇଯାଇଥିଲେ ।
ତାଙ୍କୁ ତୁରନ୍ତ ନିକଟସ୍ଥ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ତାଙ୍କୁ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଜ୍ଞ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରଖାନାର ଆଇ.ସି.ୟୁ. ରେ ସେ ପ୍ରାୟ ନଅ ମାସ କାଳ କୋମା ଅବସ୍ଥାରେ ରହିଥିଲେ ।
ପୁଲିସ ଚପାଇଥିଲା ମାମଲା
ଏସିଡ ଆକ୍ରମଣ ପରେ ପ୍ରମୋଦିନୀଙ୍କ ଘରଲୋକେ ସ୍ଥାନୀୟ ଥାନାରେ ସନ୍ତୋଷ ଓ ଅନିଲ ବିରୁଦ୍ଧରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ କୌଣସି କାରଣରୁ ତାକୁ ଗିରଫ କରିନଥିଲା
ଏବଂ ସେମାନେ ମିଳୁ ନ ଥିବା ଦର୍ଶାଇ ମାମଲାକୁ ୨୦୧୨ ମସିହାରେ ବନ୍ଦ କରିଦେଇଥିଲା ।
ପ୍ରମୋଦିନୀଙ୍କୁ ମାତ୍ର ୪ବର୍ଷ ହୋଇଥିବା ବେଳେ ତାଙ୍କ ଇଲେକ୍ଟ୍ରିସିଆନ ବାପା ମୃତ୍ୟୁବରଣ କରିଥିଲେ ।
ବାପାଙ୍କ ମୃତ୍ୟୁ ପରେ ତିନି ଝିଅଙ୍କ ଭରଣପୋଷଣ କରିବା ମାଆ ଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡି଼ଥିଲା ପ୍ରମୋଦିନୀ ହେଲେ ଘରର ମଝିଆ ଝିଅ ।
ସ୍ଥାନୀୟ ସାରଳା ମନ୍ଦିରରେ ପୂଜକ ଭାବେ କାମ କରୁଥିବା ପିତୃତୁଲ୍ୟ ତାଙ୍କର ପିଇସା ସେମାନଙ୍କ ଦେଖାଶୁଣା କରିଥିଲେ । ବୋଧହୁଏ ଘଟଣା ଚପାଇଦେଲେ ସେମାନେ କିଛି କରିପାରିବେ ନାହିଁ ଭାବି ପୁଲିସ ମାମଲାକୁ ରଫାଦଫା କରିଦେଇଥିଲା।
ସ୍ଵେଚ୍ଛାସେବୀଙ୍କ ଭୂମିକା
୨୦୧୬ ମସିହା ଏକ ଟିଭି ଚାନେଲର କାର୍ଯ୍ୟକ୍ରମରେ ଜଣାଶୁଣା ସ୍ଵେଚ୍ଛାସେବୀ ଶୁଭଶ୍ରୀ ଦାସ ପୀଡିତାଙ୍କୁ ଦେଖିଥିଲେ ଓ ବହୁ ବର୍ଷ ପରେ ମଧ୍ୟ କେହି ଗିରଫ ହୋଇନଥିବା ଜାଣିବାକୁ ପାଇଥିଲେ ।
ଏ ସବୁ ଜାଣିବା ପରେ ସେ ଓ ତାଙ୍କ ସହକର୍ମୀ ମାନେ ହ୍ୟୁମାନ ରାଇଟସ କମିଶନକୁ ଲିଖିତ ଭାବରେ ଜଣାଇବା ସହିତ ଘଟଣା ସମ୍ପର୍କରେ ଜିଲ୍ଲା କଲେକ୍ଟର ଯାମିନୀ ଷଡଙ୍ଗୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ।
ଏହା ବ୍ୟତୀତ ଜିଲ୍ଲା ଆଇନ ପ୍ରାଧିକରଣକୁ ଆଇନ ସହାୟତା ପାଇଁ ସାହାଯ୍ୟ ପାଇଁ ଦରଖାସ୍ତ ଦେବା ସହ ଆଇନ ସହାୟତା କେନ୍ଦ୍ର କ୍ଲାପ ମାଧ୍ୟମରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ କମିଟିକୁ ମଧ୍ୟ ସେ ଦରଖାସ୍ତ ପଠାଇଥିଲେ ।
ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭଶ୍ରୀ ଏବଂ ତାଙ୍କ ସହକର୍ମୀ ପୀଡିତାଙ୍କ ସହ ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଅଭିଯୁକ୍ତକୁ ଗିରଫ ହୋଇଥିଲା ଓ ପୀଡିତାଙ୍କୁ ସରକାରୀ ସହାୟତା ରାଶି ମିଳିଥିଲା।
ଘଟଣାକୁ ସାମନାକୁ ଆଣିବାରେ ବିଭିନ୍ନ ଗଣମାଧ୍ୟମ ମଧ୍ୟ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିବା ଶୁଭଶ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ପୀଡିତାଙ୍କ ଅପରେସନ ଖର୍ଚ ପାଇଁ ସହାୟତା ଦେବା ପାଇଁ ରାଜି ହୋଇଥିବା ସେ କହିଛନ୍ତି।
ଆରକ୍ଷୀ ଅଧିକ୍ଷକଙ୍କୁ ଧନ୍ୟବାଦ
ମଇ ୨୦୧୭ରେ ଯେତେବେଳେ ପ୍ରମୋଦିନୀ ଜଗତସିଂହପୁର ଏସ୍.ପି. ଙ୍କ ନିକଟକୁ ଏସିଡ଼୍ ପୀଡିତଙ୍କୁ ସରକାରଙ୍କ ତରଫରୁ ଦିଅ ଯାଉଥିବା ଅନୁକମ୍ପାମୂଳକ ରାଶି ଆଣିବାକୁ ଯାଇଥିଲେ। ।
ସେତେବେଳେ ତତ୍କାଳୀନ ଏସ୍.ପି. ଜୟ ନାରାୟଣ ପଙ୍କଜ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ଓ ଏସିଡ ମାଡ କରିଥିବା ବ୍ୟକ୍ତି କାହିଁକି ଗିରଫ ହୋଇନଥିଲା ତାହା ଖୋଳତାଡ କରିଥିଲେ।
ସାମାନ୍ୟ ଗବେଷଣାରୁ ସେ ଅଭିଯୁକ୍ତ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଥମେ ଫେସବୁକ ରୁ ଓ ପରେ ଅନ୍ୟାନ୍ୟ ସୁତ୍ରରୁ ଜାଣିପାରିଥିଲେ ।
ମାମଲା ପୁନଃ ଯାଞ୍ଚ ଆଦେଶ ଦେବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାପାଇଁ ପଦକ୍ଷେପ ନେଇଥିଲେ। ସନ୍ତୋଷକୁ ଧରିବା ପାଇଁ ପୋଲିସ ର ଏକ ଟିମ୍ ଜାମ୍ମୁ ଓ କାଶ୍ମୀର ଯାଇଥିଲା କିନ୍ତୁ ସନ୍ତୋଷ ସେଠା ରୁ ଚମ୍ପଟ ମାରି କଲିକତାକୁ ପଳାଇ ଆସିଥିଲା ।
ପୋଲିସ ତାକୁ ଶେଷରେ କଲିକତାରୁ ଗିରଫ କରିବା ସହ ତା ସହଯୋଗୀ ଅନିଲକୁ ମଧ୍ୟ ଗିରଫ କଲେ ।
ସେ ସମୟରେ ତିର୍ତୋଲ ଥାନାରେ ଅବସ୍ଥାପିତ ଥିବା ସମ୍ପୃକ୍ତ ଦୁଇ ପୋଲିସ ଅଧିକାରୀ ଯଥା ଆଇ.ଆଇ.ସି. ଓ ଏସ୍.ଡ଼ି.ପି.ଓ. ଙ୍କୁ ପଙ୍କଜଙ୍କ ସୁପାରିଶ କ୍ରମେ ସରକାର ଚାକିରୀରୁ ନିଲମ୍ବନ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ବିଭିନ୍ନ ସ୍ଵେଚ୍ଛାସେବୀ ଓ ମହିଳାଙ୍କ ପାଇଁ କାମ କରୁଥିବା ଅନୁଷ୍ଠାନ ମଧ୍ୟ ପ୍ରମୋଦିନୀଙ୍କ ସଂଘର୍ଷ ସମ୍ପର୍କରେ ଅବଗତ ହୋଇ ତାଙ୍କ ପଛରେ ଛିଡା ହୋଇଯାଇଥିଲେ।
ତ୍ୟାଗ, ସଂଘର୍ଷ ଓ ପ୍ରେମ
ସେତେବେଳେ ସେ ପ୍ରମୋଦିନୀଙ୍କ ବିଷୟରେ ଜାଣିବାକୁ ପାଇଲେ ଓ ତାଙ୍କୁ ଭେଟିଥିଲେ । ଦୁଇଜଣଙ୍କ ମଧ୍ୟରେ ଚିହ୍ନା ପରିଚୟ ହେବାପରେ ସରୋଜ ପ୍ରାୟ ପ୍ରତିଦିନ ପ୍ରମୋଦିନୀଙ୍କୁ ଦେଖା କରିବା ପାଇଁ ନର୍ସିଂହୋମ୍ କୁ ଯାଇଥିଲେ । ଧିରେ ଧିରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।
“ମୁଁ ଚାହୁଁଥିଲି ସେ ପୁଣି ପୂର୍ବଭଳି ସ୍ଵାଭାବିକ ଜୀବନଯାପନ କରନ୍ତୁ ତେଣୁ ମୁଁ ତାଙ୍କର ଯତ୍ନ ନେବାକୁ ଆରମ୍ଭ କଲି” ସେଦିନ ମାନଙ୍କର କଥା ମାନେ ପକାଇ ସରୋଜ ଓଡିଶା ଡଟକମ କୁ କହନ୍ତି।
ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡ଼ାକ୍ତରମାନେ ପ୍ରତିଶୃତି ଦେଇଥିଲେ । ” ସେମାନେ ମୋତେ କହିଥିଲେ ଯେ, ପ୍ରମୋଦିନୀଙ୍କୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଚଲାବୁଲା କରିବା ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ ।
ତେବେ ନିଜର ଦୃଢ ମନୋବଳ ଓ ପରିଶ୍ରମ ଯୋଗୁଁ ପ୍ରମୋଦିନୀ ନର୍ସିଂହୋମରୁ ଘରକୁ ଯିବାର ପ୍ରାୟ ଚାରି ମାସ ଭିତରେ ସେ ନିଜ ଗୋଡ଼ରେ ଠିଆ ହୋଇ ସରୋଜଙ୍କ ସହାୟତାରେ ଚାଲିପାରିଥିଲେ ।
ପ୍ରାୟ ଏକ ବର୍ଷ କାଳ ସେ ଏଥିପାଇଁ ଅଭ୍ୟାସ କରିଥିଲେ । ଏସିଡ଼୍ ପଡ଼ିବା ଯୋଗୁଁ ତାଙ୍କର ଉଭୟ ଆଖି ନଷ୍ଟ ହୋଇଯାଇ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ ।
୨୦୧୭ ମସିହା ଅକ୍ଟୋବର ମାସରେ ଚେନ୍ନାଇସ୍ଥିତ ଶଙ୍କର ନେତ୍ରାଳୟରେ ତାଙ୍କର ଆଖିର ଅସ୍ତ୍ରୋପଚାର ହୋଇଥିଲା ଓ ନୂଆ ଆଖି ରୋପଣ କରଯାଇଥିଲା ଫଳରେ ସେ ଦ୍ରୁଷ୍ଟି ଶକ୍ତି ଫେରି ପାଇଥିଲେ।
ସରୋଜଙ୍କ ବ୍ୟକ୍ତିତ୍ବ ପ୍ରମୋଦିନୀଙ୍କୁ ଖୁବ ଆକର୍ଷିତ କରିଥିଲା। “ସରୋଜଙ୍କ ସହ ମୋର ବନ୍ଧୁତା ଯୋଗୁଁ ଜୀବନର ସେହି ଦୁଃଖ ସମୟରେ ମୁଁ ତାଙ୍କଠାରୁ ବହୁତ ମନୋବଳ ପାଇଥିଲି । ଯେତେବେଳେ ମୁଁ ଦୁଖରେ ଭାଙ୍ଗିପଡ଼ି କାନ୍ଦୁଥିଲି ସରୋଜ ମତେ ବହୁତ ବୁଝାଉଥିଲେ। ମଜା ମଜା କଥା କହି ମୋ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଥିଲେ ।
” ସେ ମୋର ଖଟ ପାଖରେ ବସି ବହୁତ ମଜା ମଜା କଥା କହିବା ଯୋଗୁଁ ମୁଁ ଠୋ ଠୋ ହୋଇ ହସିଦେଉଥିଲି । ନର୍ସିଂହୋମ ରୁ ସେ ପଳେଇଗଲା ପରେ ତାଙ୍କୁ ମୁଁ ମନେ ମନେ ବହୁତ ଖୋଜୁଥିଲି କାନ୍ଦୁଥିଲି ଓ ତା ପରଦିନ ତାଙ୍କ ଆସିବା ବାଟକୁ ଚାହିଁ ରହୁଥିଲି ” ପ୍ରମୋଦିନୀ ଓଡିଶା ଡଟ କମ କୁ କହନ୍ତି।
ସରୋଜ ଏବଂ ଛାୱଁ ଫାଉଣ୍ଡେସନ୍
ଆଖିର ଅସ୍ତ୍ରୋପଚାର ପରେ ୧ ଜାନୁଆରୀ, ୨୦୧୬ ମସିହାରେ ପ୍ରମୋଦିନୀ “ଛାୱଁ ଫାଉଣ୍ଡେସନ୍ ‘ ନାମକ ଦିଲ୍ଲୀର ଏକ ସ୍ୱେଛାସେବୀ ସଂଗଠନ ରେ ଯୋଗ ଦେଇ ଉକ୍ତ ସଂସ୍ଥା ଦ୍ଵାରା ପରିଚାଳିତ “ସିରୋଜ୍ ହ୍ୟାଙ୍ଗ୍ଆଉଟ୍ କାଫେ’ ନାମକ ସଂସ୍ଥାରେ କାମ କରିବା ଆରମ୍ଭ କଲେ ।
” ସିରୋଜ୍ ହ୍ୟାଙ୍ଗ୍ଆଉଟ୍ ର ବିଶେଷତା ହେଲା ଏହାକୁ ଏସିଡ ପୀଡିତା ମାନେ ଚଲାନ୍ତି । ଏହାର ଶାଖା ଲକ୍ଷ୍ନୋ, ଆଗ୍ରା,ଉଦୟପୁର ଆଦି ସ୍ଥାନ ମାନଙ୍କରେ ମଧ୍ୟ ଅଛି ।
ଏହି ସଂସ୍ଥା ଏସିଡ଼୍ ପୀଡ଼ିତ ମାନଙ୍କ ଲାଗି କାର୍ଯ୍ୟ କରେ । ସରୋଜ ମଧ୍ୟ ଏକ ମାସ ହେଲା ଦିଲ୍ଲୀର ଉକ୍ତ ସଂସ୍ଥାରେ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି । ସରୋଜଙ୍କର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ୧୪ ଜାନୁଆରୀ ,୨୦୧୬ ମସିହାରେ ସରୋଜ ,ପ୍ରମୋଦିନୀ ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।
” ମୁଁ ଘରେ ଥିଲା ବେଳେ ପ୍ରାୟ ପ୍ରତି ସପ୍ତାହରେ ସରୋଜ ମୋତେ ଭେଟିବାକୁ ଆସୁଥିଲେ । ଆସିବାବେଳେ ମୋ ପାଇଁ ଔଷଧ,ଜୁସ୍,ଫଳମୂଳ, ଆଣି ମୋତେ ଦେଉଥିଲେ । ତାଙ୍କ ହାତ ଧରି ମୁଁ ଧିରେ ଧିରେ ଚାଲିବା ଆରମ୍ଭ କରିଥିଲି । ପ୍ରମୋଦିନୀ କହନ୍ତି ।
” ସରୋଜ ଙ୍କ ପ୍ରେମ ନିବେଦନକୁ ପ୍ରଥମେ ମୁଁ ଗ୍ରହଣ କରିନଥିଲି । କାରଣ କାହା ଘରର ବୋହୁ ଓ କାହାର ସ୍ତ୍ରୀ ହେବା ଏତେ ସହଜ ନୁହେଁ । ସେତେବେଳେ ମୋର ଦୃଷ୍ଟିଶକ୍ତି ନ ଥିଲା । ମୁଁ ତ ନିଜେ ନିଜର ନିତ୍ୟକର୍ମ କରିବା ପାଇଁ ସକ୍ଷମ ନ ଥିଲି” ।
ଯେ ପର୍ଯ୍ୟନ୍ତ ମୋତେ ଦେଖା ନ ଯାଇଛି ସେ ପର୍ଯ୍ୟନ୍ତ ମୁଁ ତୁମକୁ ବାହା ହୋଇପାରିବି ନାହିଁ ” ବୋଲି ସେ ସରୋଜଙ୍କୁ କହିଥିଲେ । ତେବେ ସରୋଜଙ୍କ ଅନାବିଳ ତ୍ୟାଗ ଓ ଭଲ ପାଇବା ତାଙ୍କୁ ଖୁବ ପ୍ରଭାବିତ କରିଥିଲା। ଶେଷରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବୁଧବାର ଦିନ ତାଙ୍କର ନିର୍ବନ୍ଧ ହୋଇଥିଲା।
ଓଡିଶା ଡଟ କମ