• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଦ୍ୟାଳୟ ବାହାରେ କେତେ ପିଲା ?

May 12, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ଶିକ୍ଷାକୁ ମାଗଣା ଓ ବାଧ୍ୟତା ମୂଳକ କରାଯାଇଛି । ଏଥି ସହିତ ସମସ୍ତଙ୍କ ପାଇଁ ପ୍ରାକ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଏହି ଆଇନରେ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି । ସମସ୍ତେ ବିଦ୍ୟାଳୟକୁ ଯାଇପାରିବେ, ଏଣୁ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା ସରକାର ନୀୟମାବଳୀରେ ପ୍ରତିଶୃତି ଦେଇଛନ୍ତି ।

ଏଥିପାଇଁ ପ୍ରତି ବର୍ଷ ସର୍ବେକ୍ଷଣ କରାଯାଇ ଆବଶ୍ୟକତା ଥିବା ଅଂଚଳରେ ବିଦ୍ୟାଳୟ ସ୍ଥାପନ କରିବା ସରକାରଙ୍କ ଏକ ଆଇନଗତ କର୍ତ୍ତବ୍ୟ । ଯେଉଁମାନଙ୍କୁ ନିର୍ଦ୍ଧାରିତ ଦୂରତାରୁ ଅଧିକ ଯିବାକୁ ପଡୁଛି, ସେମାନଙ୍କ ପାଇଁ ସହାୟକ ଓ ଯାତାୟତ ଖର୍ଚ୍ଚ ପ୍ରଦାନ ଶିକ୍ଷା ଅଧିକାର ଆଇନର ଏକ ବୈଶିଷ୍ଠ୍ୟ । ଏତେ ବ୍ୟବସ୍ଥା ସତ୍ୱେ ଏହି ବୟସର ଅନେକ ପିଲା ରାସ୍ତା କଡ ଢାବା, ଚା ଦୋକାନ, ଘରୋଇ କାର୍ଯ୍ୟ ଓ ଆହୁରି ଅନେକ ବିପଦସଂକୁଳ ସ୍ଥଳିରେ ଦେଖିବାକୁ ମିଳୁଛନ୍ତି ।

କହିବାକୁ ଗଲେ ୬ ରୁ ୧୪ ବର୍ଷର ସମସ୍ତ ପିଲା ଏବେ ବି ବିଦ୍ୟାଳୟର ପରିଧି ଭିତରକୁ ଆସିପାରି ନାହାନ୍ତି । ବିଭିନ୍ନ ସମୟରେ ପିଲା ମାନେ କାହିଁକି ବିଦ୍ୟାଳୟ ବାହାରେ ରହୁଛନ୍ତି ତାର କାରଣ ଆଲୋଚିତ ହୋଇଛି ଓ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସତ୍ୱେ ବି ସଫଳତା ମିଳି ପାରୁ ନାହିଁ । ଏହାର ଏକ ବଡ କାରଣ ହେଲା କେଉଁ ସ୍ଥାନରେ କେତେ ସଂଖ୍ୟାରେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ତାକୁ ନେଇ ଏକ ସ୍ପଷ୍ଟ ଚିତ୍ର କାହା ପାଖରେ ନାହିଁ ।

ପ୍ରତ୍ୟେକ ପିଲାଙ୍କୁ ଠାବ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚହ୍ନଟ ସଂଖ୍ୟା ପ୍ରଦାନ ପୂର୍ବକ ପ୍ରଗତିର ବିବରଣୀ ରଖିବାକୁ ସର୍ବ ଶିକ୍ଷା ଅଭିଯାନ ଇ-ଶିଶୁ କାର୍ଯକ୍ରମ କରିଛନ୍ତି । ଏହାର ସଫଳତା ପାଇଁ ଗଣ ଶିକ୍ଷା ବିଭାଗ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ପ୍ରଧାନ ମନ୍ତ୍ରୀ ପୁରଷ୍କାର ଲାଭ କରିଛି । ଏହା ସତ୍ୱେ ବିଦ୍ୟାଳୟ ବାହାରେ କେତେ ପିଲା, ଏହାର ଉତ୍ତର ବିଭାଗ ପାଖରେ ନାହିଁ !

ବିଦ୍ୟାଳୟ ବାହରେ ଥିବା ପିଲାଙ୍କ ସ୍ଥିତି କୁ ନେଇ ୨୦୧୫ ମସିହାରେ ଉଚ୍ଚ ନ୍ୟାୟାଳୟରେ ବିଭାଗ ସତ୍ୟ ପାଠ ଦାଖଲ କରି ୨୦୦୫ ପରଠାରୁ ଏନେଇ କୌଣସି ଅଗ୍ରଗତି ହୋଇନଥିବା ସ୍ୱିକାର କରିଥିଲେ । ଏବେବି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ । କିଛିଦିନ ପୂର୍ବେ ଶିକ୍ଷକ ମାନଙ୍କ ସହାୟତାରେ ପିଲାଙ୍କ ସ୍ଥିତି ନେଇ ସମଗ୍ର ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯାଇଛି ।

ଏପରି ଏକ ବ୍ୟୟ ବହୁଳ ଓ ସମୟ ସାପେକ୍ଷ କାର୍ଯକ୍ରମ ସତ୍ୱେ ବିଭାଗ ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟାକୁ ନେଇ ନିଶ୍ଚିତ ନାହାନ୍ତି! ଏଣୁ ଏପର୍ଯ୍ୟନ୍ତ ଏହି ତଥ୍ୟକୁ ସର୍ବ ସାଧାରଣଙ୍କ ଗୋଚରକୁ ଅଣାଯାଇ ନାହିଁ (?) ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଠାବ କରିବା ଏକ ନିରନ୍ତର ପ୍ରକ୍ରୟା । ଏପରି ହେଲେ ହିଁ ପିଲାଙ୍କୁ ପୁନଃ ବିଦ୍ୟାଳୟକୁ ଫରେଇ ଅଣାଯାଇ ପାରିବ ଓ ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ କରିବାରେ ସହାୟକ ହେବ ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଗତ ୩୧ ମାର୍ଚ, ୨୦୧୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଲୋଚନାକୁ ଅଣାଯାଇ ପାରେ । ୬ ରୁ ୧୪ ବର୍ଷ ବୟସର ଅନେକ ପିଲା ଥାଇ ପାରନ୍ତି ଯେଉଁମାନେ କେବେବି ବିଦ୍ୟାଳୟରେ ନାମ ଲେଖାଇ ନଥିବେ । ଶିକ୍ଷା ଅଧିକାର ଆଇନ ଧାରା ୯ (ଛ) ଅନୁଯାୟୀ ସେପରି ପିଲାମାନଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା ସହ ଅବଶ୍ୟକୀୟ ସ୍ୱତନ୍ତ୍ର ତାଲିମ ଯୋଗାଇବା ସ୍ଥାନୀୟ ଅଧିକାରୀଙ୍କ ଦାୟୀତ୍ୱ ।

ଏଣୁ ଏପରି ପିଲାଙ୍କୁ ଚିହ୍ନଟ କରାଯିବାର ଅବଶ୍ୟକତା ଉପରେ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଆମ ରାଜ୍ୟ ନୀୟମାବଳୀର ଧାର ୫ ଅନୁଯାୟୀ ୬ ରୁ ୧୪ ବର୍ଷର ପିଲା ଯେଉଁମାନେ ନାମ ଲେଖାଇ ନାହାନ୍ତି ଓ ଯେଉଁମାନେ ନାମ ଲେଖାଇଛନ୍ତି ଅଥଚ ଅନୁପସ୍ଥିତ ରହୁଛନ୍ତି, ଉଭୟଙ୍କୁ ବିଦ୍ୟାଳୟ ବାହାରେ ଥିବା ପିଲା ଭାବରେ ଗଣାଯାଇଛି ।

ନାମ ଲେଖାଯାଇଥିବା ସତ୍ୱେ ବିଦ୍ୟାଳୟରେ ଅନୁପସ୍ଥିତ ହେଉଥିବା ପିଲାଙ୍କୁ ଚିହ୍ନଟ ଓ ପୁନଃ ଯୋଗଦାନ ନିମନ୍ତେ ଉତ୍ସାହିତ କରିବା ପାଇଁ ବିଭାଗ ଦ୍ୱାରା ଜାରୀ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଯଦି ପିଲା ୭ ଦିନ ହେଲା ଅନୁପସ୍ଥିତ ହେଲାଣି ତାହେଲେ ପିଲା ତଥା ଅଭିବାବକଙ୍କୁ ବିଦ୍ୟାଳୟର ଶିକ୍ଷକ ଦେଖାକରି ଅସୁବିଧା ବୁଝିବେ ଓ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ବୁଝାସୁଝା କରିବେ । ଯଦି ପିଲା ୧୦ ଦିନ ହେଲା ଅନୁପସ୍ଥିତ ରହିଲାଣି ଏହି ଦାୟୀତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେବେ ।

ଏହା ସତ୍ୱେବି ପିଲା ଅନୁପସ୍ଥିତ ରହିଲେ ୧୫ ଦିନ ପରେ ବିଦ୍ୟାଳୟ ପରିଚାଲନା କମିଟି ତଥା ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟ / ସଦସ୍ୟା ମାନେ ଏଥିରେ ସହାୟତା କରିବେ । ଏହା ପରେବି ପରବର୍ତ୍ତି ତନି ଦିନ ପର୍ଯ୍ୟନ୍ତ ପିଲା ବିଦ୍ୟାଳୟକୁ ନଆସିଲେ ସିଆରସିସି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିବେ ।

ଯଦି ପିଲା ୩୦ ଦିନରୁ ଅଧିକ ଅନୁପସ୍ଥିତ ରୁହେ ତାହେଲେ ତାକୁ ବିଦ୍ୟାଳୟ ବାହାରେ (ଡ୍ରପ ଆଉଟ) ବୋଲି ଘୋଷଣା କରାଯିବ ଓ ୩୦ ଦିନ ପରେ ବିଦ୍ୟାଳୟକୁ ଫେରିଲେ ଆଉଥରେ ନାମ ଲେଖିବାକୁ ହେବ । ୨୦୧୪ ମସିହା ଠାରୁ ଜାରି ଏହି ବିଜ୍ଞପ୍ତି କିନ୍ତୁ ନଜର ଅଢୁଆଳରେ ରହିଯାଛି । ବିଜ୍ଞପ୍ତିରେ ଦାୟୀତ୍ୱ ନ୍ୟସ୍ତ କରାଯାଇ ଥିବା ଅଧିକାରୀଙ୍କ ସମେତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ତଦାରଖ କାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହାର କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇ ନାହାନ୍ତି ।

ପ୍ରକୃତ ପକ୍ଷେ ଏହାକୁ କାର୍ଯକାରୀ କରିବାକୁ ଥିବା ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଅବା ସିଆରସିସି ମାନେ ଅନେକ ଜାଗାରେ ଏପରି ଏକ ବିଜ୍ଞପ୍ତି ଥିବା ନେଇ ଅଜ୍ଞ । ଆଉ ଯେଉଁମାନେ ଏ ବିଜ୍ଞପ୍ତି ସମ୍ପର୍କରେ ଜାଣିଛନ୍ତି, ଉପରିସ୍ଥ ଅଧିକାରୀ ଏ ବିଷୟରେ କେବେବି ତଦାରଖ କରୁନଥିବାରୁ ଅଯଥା ଦାୟୀତ୍ୱ ଭାବି ଆଡେଇ ଯାଉଛନ୍ତି ।

ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ମାନଙ୍କରୁ ଦାଦନ ଯାଉଥିବା ପିଲାମାନେ ତିନିମାସ ପରେ ଫେରିଲେ ବି ବିଦ୍ୟାଳୟ ବାହାରେ ବୋଲି ଘୋଷିତ ହେଉ ନାହନ୍ତି କି ଆଉଥରେ ସେମାନଙ୍କ ନାମ ଲେଖା ଯାଉ ନାହିଁ । ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ପିଲା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହୁଥିଲେବି ୭, ୧୦ ବା ୧୫ ଦିନରେ ନିଆଯିବାକୁ ଥିବା ବା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ବିଦ୍ୟାଳୟ ମାନଙ୍କରେ ଉପଲବ୍ଧ ନହେବା ଏହାର ଗୋଟିଏ ଗୋଟିଏ ଉଦାହରଣ ।

୭ ଦିନରୁ ୩୦ ଦିନ ପାର୍ଯନ୍ତ ପର୍ଯାୟ କ୍ରମେ ଦିଆଯାଇ ଥିବା ଦାୟୀତ୍ୱ ତୁଳାଯାଇ ପାରିଲେ ବିଭିନ୍ନ ସ୍ଥିତିରେ ବିଦ୍ୟାଳୟ ବାହାରେ କେଉଁ ଠାରେ କେତେ ପିଲା ଅଛନ୍ତି ତାର ନିରନ୍ତର ଆକଳନ କରାଯାଇ ପାରିବ । ଏହା ବିଦ୍ୟାଳୟ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟାଇବାରେ ସହାୟକ ହୋଇ ପାରିବ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version