• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରମ ବଜାରରେ ଭିନ୍ନକ୍ଷମ ଅଲୋଡା

May 14, 2018 by ଘାସିରାମ ପଣ୍ଡା Leave a Comment

ସମସ୍ତଙ୍କ ସହିତ ଓ ସମସ୍ତଙ୍କ ବିକାଶ ବର୍ତ୍ତମାନ ସରକାରଙ୍କ ସ୍ଲୋଗାନ ହୋଇଥିଲେବି ଭିନ୍ନକ୍ଷମମାନେ ଏହି ‘ସମସ୍ତ’ଙ୍କ ଭିତରେ ବୋଧହୁଏ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି । ସମସ୍ତ ପ୍ରକାରର ଭିନ୍ନକ୍ଷମଙ୍କୁ ଗୋଟିଏ ଭାବରେ ଗଣିଲେ ଏମାନେ ଦେଶର ସର୍ବବୃହତ ସଂଖ୍ୟାଲଘୁ ଗୋଷ୍ଠି ହେବେ । ଏହା ସତ୍ତେ୍ୱବି ଭୋଟ ରାଜନୀତିକୁ ଏମାନେ ପ୍ରଭାବିତ କରିପାରି ନାହାନ୍ତି ।

ଏଣୁ ଏହି ବର୍ଗଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ପ୍ରଦାନ ପାଇଁ ରାଜନୈତିକ ତତ୍ପରତା ନାହିଁ । ଜନଗଣନାର ତଥ୍ୟକୁ ଅନୁଶୀଳନ କଲେ ଭିନ୍ନକ୍ଷମଙ୍କ ଭିତରେ ୫୧ ଭାଗ ନିରକ୍ଷର, ୨୬ ଭାଗ କେବଳ ପ୍ରାଥମିକ ଶିକ୍ଷା, ୬ ଭାଗ ଉଚ୍ଚ ପ୍ରାଥମିକ ଶିକ୍ଷା ଓ ୧୩ ଭାଗ ଉଚ୍ଚ ମାଧ୍ୟମିକ ବା ତଦୁର୍ଦ୍ଦ ଶିକ୍ଷା ପାଇଛନ୍ତି । ଅବଶ୍ୟକ ମୁତାବକ ଶିକ୍ଷା ଓ କୌଶଳର ଅଭାବ କାରଣରୁ ନିଯୁକ୍ତି ବା ଶ୍ରମ ବଜାରରେ ଏମାନେ ବହୁତ ଆହ୍ୱାନର ସମ୍ମୁଖିନ ହୁଅନ୍ତି ।

ଭିନ୍ନକ୍ଷମଙ୍କୁ ସମାନ ସୁଯୋଗ ଓ ସମ୍ପୁର୍ଣ୍ଣ ଅଂଶଗ୍ରହଣର ଅବସର ଦେବା ଉଦ୍ଦେଶ୍ୟରେ ୧୯୯୫ ମସିହାରୁ ଅକ୍ଷମତାଯୁକ୍ତ ବ୍ୟକ୍ତିଙ୍କ ପାଇଁ ଆଇନ ପ୍ରଣିତ ହୋଇଛି । ଏଥିରେ ପ୍ରତେକ କ୍ଷେତ୍ରରେ ୩% ସଂରକ୍ଷଣ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସତ୍ତେ୍ୱ ଦେଶରେ .୧%ରୁ ବି କମ ଭିନ୍ନକ୍ଷମ ନିଯୁକ୍ତି ପାଇଛନ୍ତି । କିଛି ବର୍ଷପୂର୍ବେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ବେସରକାରୀ ଉଦ୍ଦୋଗମାନଙ୍କରେ .୨୮% ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ .୦୫% ମାତ୍ର ନିଯୁକ୍ତି ଦିଆଯାଇଥିବା ଜଣାପଡିଥିଲା ।

ଜନଗଣନାର ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ୧.୩୪ କୋଟି ଭିନ୍ନକ୍ଷମ କର୍ମନିୟୋଜନ ଯୋଗ୍ୟ ହୋଇ ରହିଛନ୍ତି ଏବଂ ତାଭିତରୁ ୯୯ ଲକ୍ଷ କୌଣସି କାମ କରିବାର ସୁଯୋଗ ପାଇ ନାହନ୍ତି ବା କାଁ ଭାଁ କେତେବେଳେ କେଁଉଠି କାମ କରୁଛନ୍ତି । ଜାତିସଂଘର ଅକ୍ଷମତାଯୁକ୍ତ ବ୍ୟକ୍ତିଙ୍କ ଅଧିକାର ସମ୍ପର୍କିତ ଚୁକ୍ତିନାମାରେ ଆମ ଦେଶ ସ୍ୱାକ୍ଷରକାରୀ ।

ଏହାର ଧାରା ୨୭, ଅନ୍ୟମାନଙ୍କ ସହ ସମାନତାର ଆଧାରରେ ଭିନ୍ନକ୍ଷମଙ୍କ କାମ କରିବାର ଅଧିକାରକୁ ସ୍ୱୀକୃତି ଦେଇଛି । ଏହାକୁ ଆଗେଇ ନବାକୁ ହେଲେ ଉପଯୁକ୍ତ ଭିତ୍ତିଭୂମୀ, ଶିକ୍ଷା ଓ କୌଶଳ ବିକାଶ ତଥା ସହାୟକ ପରିବେଶ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଯେହେତୁ ଆମର ଜନସଂଖ୍ୟାର ପ୍ରାୟ ୬୮ ଭାଗ ଗ୍ରାମାଂଚଳରେ ରୁହନ୍ତି ଏକଥା ଧରିନେବାକୁ ହେବ ଯେ, ସେହି ଅନୁପାତରେ ଭିନ୍ନକ୍ଷମଙ୍କ ଉପସ୍ଥିତି ମଧ୍ୟ ଗ୍ରାମାଂଚଳରେ ହିଁ ଅଧିକ ।

ଅଥଚ ଆମେ ଏପର୍ଯ୍ୟନ୍ତ ଏମାନଙ୍କୁ ସୁହେଇଲା ଭଳି ଭିତ୍ତିଭୂମୀ ଗ୍ରାମାଂଚଳରେ ତିଆରି କରିପାରି ନାହୁଁ । ଏଣୁ ଶ୍ରମ ବଜାରର ଆବଶ୍ୟକତା ଆଧାରରେ ଶିକ୍ଷା ଓ କୌଶଳ ବିକାଶ ଠାରୁ ଏମାନେ ବହୁତ ଦୂରରେ । ଏହା ସେମାନଙ୍କୁ ନିଯୁକ୍ତି ପାଇଁ ଅନୁପଯୋଗୀ କରେଇ ଦେଉଛି । ଆମ ଦେଶରେ ପ୍ରାୟ ୯୩ ଭାଗ ଶ୍ରମଜୀବି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି ।

ଏମାନେ ଏବେବି ପାରମ୍ପରିକ ରୀତିରେ କାମ କରନ୍ତି ଏଣୁ ଅଣ କୁଶଳି ଭାବେ ଗଣାଯାନ୍ତି ଓ କମ ମଜୁରୀ ପାଆନ୍ତି । ଦେଶରେ ଶ୍ରମ ଓ ଶ୍ରମିକଙ୍କ ଏପରି ଦୁଃସ୍ଥିତି ହେଉଥିବା ବେଳେ ଭିନ୍ନକ୍ଷମମାନେ କିପରି ଅନୁଭବ କରୁଥିବେ ତାହା ସହଜରେ ଅନୁମେୟ । କେବଳ ଏତିକି ନୁହେଁ ଭିନ୍ନକ୍ଷମ କର୍ମଚାରୀ ବା ଶ୍ରମଜୀବି ପ୍ରତି ନକରାତ୍ମକ ମନୋଭାବ ସେମାନଙ୍କୁ ଭେଦବାବର ଶିକାର କରାଏ ।

ଏଣୁ କିଛି ଜାଗାରେ ଏମାନଙ୍କୁ ନିଯୁକ୍ତି ମିଳୁ ଥିଲେ ବି ଭେଦଭାବ ଓ ଅସ୍ୱସ୍ଥିକର ପରିବେଶରେ ଅଣନିଶ୍ୱାସୀ ହୋଇ ଅଧାରୁ ଛାଡି ଦିଅନ୍ତି । ଶ୍ରମ ବଜାରରେ ସ୍ୱଳ୍ପ ଅଂଶଗ୍ରହଣର ସୁଯୋଗ ଏମାନଙ୍କର ଦାରିଦ୍ର୍ୟତାର ବଡ କାରଣ । ଏମାନଙ୍କ ଭିତରେ ମହିଳାଙ୍କ ସ୍ଥିତି ଆହୁରି ବିସମ । ଭିନ୍ନକ୍ଷମ ବାଳକଟିଏ ହୁଏତ ପାଠ ପଢିବାର ସୁଯୋଗ ପାଇ ପାରେ କିନ୍ତୁ ବାଳିକାଟିଏ କ୍ଷେତ୍ରରେ ଏ ବିଷୟରେ ଅଳ୍ପ ଚିନ୍ତା କରାଯାଏ ।

ଏହା ପରବର୍ତ୍ତି ଅବସ୍ଥାରେ ସେମାନଙ୍କ ପାଇଁ ଶିକ୍ଷା, ବୈଷୟିକ ତାଲିମ, ନିଯୁକ୍ତି ପ୍ରତିଟି କ୍ଷେତ୍ରରେ ପ୍ରତିବନ୍ଧକର କାରଣ ହୁଏ । ବିଶ୍ୱ ବ୍ୟାଙ୍କ ମତରେ ଭିନ୍ନକ୍ଷମଙ୍କୁ ଠିକ ଭାବରେ କର୍ମନିୟୋଜନ କାରାଯାଇ ପାରୁନଥିବାରୁ ଦେଶର ମୋଟ ଘରୋଇ ଉତ୍ପାଦ ୪ ରୁ ୫ ଭାଗ ପ୍ରଭାବିତ ହେଉଛି । କେବଳ ସେତିକି ନୁହେଁ ଭିନ୍ନକ୍ଷମମାନେ ସ୍ୱାବଲମ୍ବନଶୀଳ ହୋଇପାରିଲେ ଦେଶର ପ୍ରଗତିରେ ସହାୟକ ହୋଇପାରିବେ ।

ଏଥିପାଇଁ ଭିନ୍ନକ୍ଷମଙ୍କ ଶିକ୍ଷା ଓ କୌଶଳ ବୃଦ୍ଧି କାର୍ଯ୍ୟର ଧାରାରେ ପରି ବର୍ତ୍ତନର ଆବଶ୍ୟକତା ରହିଛି । ଶିକ୍ଷା ଅଧିକାର ଆଇନ ଓ ସର୍ବ ଶିକ୍ଷା ଯୋଜନାରେ ଭିନ୍ନକ୍ଷମଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇଥିଳେବି ବାଧାହୀନ ଯାତାୟତ, ସହାୟକ ଉପକରଣ ଓ ସମୟାନୁଯାୟୀ ପାଠ୍ୟ ପୁସ୍ତକ ଯୋଗାଣକୁ ଗୁରୁତ୍ୱ ଦିଆଯିବା ଜରୁରୀ । କୌଶଳ ବିକାଶ କହିଲେ କେବଳ କଳ କାରଖାନା ଉପଯୋଗୀ ବା ସହରୀ ଆବଶ୍ୟକତା ଥିବା କିଛି ବଷୟରେ ତାଲିମକୁ ଗୁରୁତ୍ୱ ଦିଆଯାଉଛି ।

ଏଥିରେ ଭିନ୍ନକ୍ଷମାନେ ତାଲିମ ନେଉଥିଲେ ବି ସହରାଂଚଳରେ ସେମାନଙ୍କ ରହିବା ପାଇଁ ଆନୁସାଙ୍ଗିକ ସୁବିଧା ନଥିବାରୁ କାମରେ ଯୋଗଦେଇ ପାରୁ ନାହାନ୍ତି । କିଛି ଆତ୍ମ ନିଯୁକ୍ତିର ସୁଯୋଗ ଖୋଜୁଥିବା ବେଳେ ଉପଯୁକ୍ତ ଋଣ ଓ ବଜାର ବ୍ୟବସ୍ଥାର ଅଭାବ ସେମାନଙ୍କୁ ନିରୁତ୍ସାହିତ କରୁଛି । ଏଣୁ କୃଷି ଓ ଅନ୍ୟାନ୍ୟ ପାରମ୍ପରିକ ଜୀବିକା ପରି ଗ୍ରାମାଂଚଳ ଅର୍ଥନିତୀକୁ ସୁହେଇଲା ଭଳି ବିଷୟ ଆଧାରିତ କୌଶଳର ବିକାଶ ଉପରେ ଗୁରୁତ୍ୱ ଦିଆଗଲେ ଏମାନଙ୍କୁ ନିଜ ଅଂଚଳ ଛାଡିବାକୁ ପଡିବ ନାହିଁ ଓ ନିଯୁକ୍ତି ଅଧିକ ସୁନିଶ୍ଚିତ ହୋଇ ପାରିବ ।

ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ନିଯୁକ୍ତି ଦାତାଙ୍କ ମନୋଭାବର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଅନେକେ ଦୟା ପରବଶ ହୋଇ ସହାଯ୍ୟର ହାତ ବଢେଇ ଥାନ୍ତି । କିନ୍ତୁ ଭିନ୍ନକ୍ଷମଙ୍କ ପାଇଁ ଅନୁକୂଳ ପରିବେଶ ତିଆରି କରାଯାଇ ଯୋଗ୍ୟତାକୁ ସମ୍ମାନ ଦେଲେ ସେମାନେ ଆତ୍ମ ସମ୍ମାନ ସହ ବଂଚିବାର ରାହା ପାଇବେ ।

୨୦୧୬ ମସିହାରେ ଭିନ୍ନକ୍ଷମଙ୍କ ଅଧିକାର ପାଇଁ ଗୃହିତ ନୂତନ ଆଇନ ଏହି ସମ୍ଭାବନାକୁ ଅଧିକ ଉଜ୍ଜିବିତ କରିଛି । ଅକ୍ଷମତା ଯୁକ୍ତ ବ୍ୟକ୍ତିଙ୍କ ଅଧିକାର ଆଇନ – ୨୦୧୬ ର ଅଧ୍ୟାୟ ୪ ରେ କୌଶଳ ବିକାଶ ଓ ନିଯୁକ୍ତି ବିଷୟରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି ।

ଏଥିରେ ଭିନ୍ନକ୍ଷମଙ୍କ କୌଶଳ ବିକାଶ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବା, ଭିନ୍ନକ୍ଷମତାର ପ୍ରକାର ଆଧାରରେ ଓ ଆବଶ୍ୟକତା ଅନୁଯାୟୀ ତାଲିମ ଦେବା, ଋଣ ଓ ବଜାର ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ନିଯୁକ୍ତି କ୍ଷେତ୍ରରେ ଭେଦଭାବ ଦୂର କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ସହ ପ୍ରତ୍ୟେକ ବିଭାଗର ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର ନୀତି ପ୍ରଣୟନ, ତଥ୍ୟ ପ୍ରସ୍ତୁତି ଓ ଅଭିଯୋଗ ନିରାକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଇଛି ।

ନିଜର ଆତ୍ମ ବିଶ୍ୱାସ, ପରିବାର ଓ ସମାଜର ପ୍ରୋତ୍ସାହନ, ପ୍ରଶାସନିକ ସମ୍ବେଦନଶୀଳତା ଓ ରାଜନୈତିକ ଇଚ୍ଚାଶକ୍ତି ରହିଲେ ଏହି ଆଇନର ସଠିକ କାର୍ଯାନ୍ୱୟନ ହେବା ସହ ପ୍ରତ୍ୟେକ ଭିନ୍ନକ୍ଷମଙ୍କ କର୍ମନିୟୋଜନ ସମ୍ଭବ ହୋଇପାରିବ ।

ଘାସିରାମ ପଣ୍ଡା

Filed Under: ରୋକ ଠୋକ Tagged With: ଭିତ୍ତିଭୂମୀ, ଶିକ୍ଷା ଓ କୌଶଳ, ଶ୍ରମ ବଜାର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version