Site icon Odisha.com

‘ମନ୍ କି ବାତ୍’ରେ କଟକର ଚା’ ବିକାଳିଙ୍କୁ ପ୍ରଶଂସା

representative by

ସିଲଭର ସିଟି କଟକର ଚା ଦେକାନୀ ଡି. ପ୍ରକାଶ ରାଓଙ୍କୁ ‘ମନ କି ବାତ୍’ରେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ପଚାଶ ବର୍ଷ ହେଲାଣି ଡି. ପ୍ରକାଶ ରାଓ ଚା ବିକି ଚଳୁଛନ୍ତି ।

କିନ୍ତୁ, ନିଜ ଆୟର ପଚାଶ ପ୍ରତିଶତ ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ୭୦ ଜଣ ଗରିବ ପିଲାଙ୍କ ପାଠପଢା ଖର୍ଚ୍ଚ ସେ ବହନ କରୁଛନ୍ତି । ପ୍ରକାଶଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ବୋଲି ମୋଦି କହିଛନ୍ତି ।

ଅଧାରୁ ପାଠ ଛାଡିଥିବା ପ୍ରକାଶ ଏବେ ଅନେକ ପିଲାଙ୍କ ପାଠ ପଢାର ସ୍ୱପ୍ନକୁ ପୂରଣ କରୁଛନ୍ତି । ବାପାଙ୍କ ଚା ଦୋକାନରେ ଚା ବିକ୍ରି କରିବାକୁ ଶେଷରେ ସେ ନିଷ୍ପତ୍ତି ନେଇଥିଲେ । ଚା ବିକୁ ବିକୁ ସେ ବନିଗଲେ ସମସ୍ତଙ୍କର ପ୍ରିୟ ପାତ୍ର ।

କିଭଳି ଭଲ ଚା’ ଲୋକଙ୍କୁ ଦେଇ ମନ କଣିବେ ତାହା ଥିଲା ତାଙ୍କର ଅଭିଳାଷ । ୫୫ ବର୍ଷ ଧରି ଚା ବିକି ଆସିଥିବା ପ୍ରକାଶ ଆଜି ବହୁତ ଖୁସି । ‘ମନ କି ବାତ୍’ରେ ମୋଦି ପ୍ରଶଂସା କରିବା ପରେ ତାଙ୍କର ଜୀବନ ସାର୍ଥକ ହୋଇଛି ବୋଲି ସେ କହନ୍ତି ।

ଚା’ ବିକି ନିଜର ପରିବାର ଚଳାଇବା ସହ ଅନେକ ପିଲାଙ୍କ ହାତରେ ବହି ଖାତା ପେନ୍ ଧରାଇ ସେ ପାଆନ୍ତି ଆନନ୍ଦ । ଆଉ ତାଙ୍କ ଚା’ର ସ୍ୱାଦ ପାଇଁ ପ୍ରକାଶ ଆଜି କେବଳ କଟକ ଗଳିକନ୍ଦିରେ ପରିଚିତ ନୁହଁନ୍ତି ସାରା ଦେଶରେ ପରିଚିତ ।

ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମର ୪୪ ତମ ସଂସ୍କରଣ । ଏହି ଅବସରରେ ମୋଦି ଦେଶର ଝିଅମାନେ କାହା ଠାରୁ କୌଣସି ଗୁଣରେ କମ ନୁହଁନ୍ତି ବୋଲି କହିଛନ୍ତି ।

ଭାରତୀୟ ନୌସେନା (ଆଇଏନଏସ ତାରେଣୀ)ର ୬ ଜଣିଆ ମହିଳା ଅଧିକାରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଏହି ମହିଳା ଅଧିକାରୀମାନେ ୨୫୪ ଦିନରେ ୨୨ ହଜାର ନୋଟିକାଲ ମାଇଲ୍ସ ଅତିକ୍ରମ କରିଛନ୍ତି ।

ଏଭେରେଷ୍ଟ ଆରୋହୀଙ୍କୁ ପ୍ରଶଂସା କରିବା ସହ ‘ମନ କି ବାତ୍’ରେ ଶୁଭାଙ୍ଗୀକୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଏହା ସହ ‘ହମ ଫିଟ୍ ତୋ ଇଣ୍ଡିଆ ଫିଟ୍’ ବୋଲି କହିଛନ୍ତି । ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଫିଟନେସ୍ ଚାଲେଞ୍ଜକୁ ସ୍ୱୀକାର କରିଛନ୍ତି ମୋଦି । ଧିରେ ଧିରେ ନେତା-ଅଭିନେତା-ଖେଳାଳି ଏଥିରେ ସାମିଲ ହୋଇ ନିଜର ଭିଡିଓ ଶେୟାର କରୁଛନ୍ତି ।

ଦେଶର ସବୁ ପ୍ରକାର ଖେଳ ଉପରେ ମତ ରଖିଛନ୍ତି ମୋଦି । ଖେଳ ଜୀବନର ମୂଲ୍ୟ ଶିଖାଏ, ବ୍ୟକ୍ତିତ୍ୱ ବଢାଇବା ସହ ଆତ୍ମ ବିଶ୍ୱାସ ବଢାଇଥାଏ ବୋଲି ମୋଦି କହିଛନ୍ତି । ‘ଗିଲି ଡଣ୍ଡା’ ଗାଁ ଠୁ ସହର ଯାଏଁ ଖେଳାଯାଏ । ଏହି ଖେଳ ଲାଜୁଆ ସ୍ୱଭାବର ପିଲା ଖେଳିବା ବେଳେ ଚଳଚଞ୍ଚଳ ହୋଇଯାଆନ୍ତି ।

ପାରମ୍ପାରିକ ଖେଳର ଆଜି ମଧ୍ୟ ଆବଶ୍ୟକତା ରହିଛି । ଯେମିତି ପାରମ୍ପାରିକ ଖେଳ ଲୋପ ପାଇ ନ ଯାଉ । ଖେଳ ହଜିଗଲେ ଜୀବନ ହଜିଯିବ ବୋଲି କହିଛନ୍ତି ମୋଦି । ପ୍ରକୃତିର ରକ୍ଷା କରିବା ଆମର କର୍ତ୍ତବ୍ୟ । ଆମର ପରମ୍ପରା ଆମକୁ ପ୍ରକୃତି ସହ ସଂଘର୍ଷ କରିବାକୁ ଶିଖାଇ ନାହିଁ । ଏଥି ସହ ପ୍ଳାଷ୍ଟିକ ବ୍ୟବହାର କମ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଗାମୀ ୫ ଜୁନରେ ବିଶ୍ୱ ପରିବେଶ ଦିବସ । ଏହାକୁ ସାରା ଭାରତ ପାଳନ କରିବ । ସେହିପରି ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି ।

ପ୍ରତିଦିନ ଯୋଗ କଲେ ସତ୍ୟ, ସଂଯମ, ଧାର୍ମିକ ଭାବନା ଯାତ ହୁଏ ଏବଂ ଶାନ୍ତି ଆମର ମିତ୍ର ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହା ସହ ମୁସଲମାନ ଭାଇ-ଭଉଣୀମାନଙ୍କୁ ‘ଇଦ୍’ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

source: theargus.in

 

Exit mobile version