ଭୁବନେଶ୍ୱର, ଡିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବାଣୀବିହାର ପରିସରରେ ଅନୁଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭବିଷ୍ୟତରେ ଏହି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ ବୋଲି ଆଶା ପ୍ର୍ରକାଶ କରିଥିଲେ ।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବାରିଷ୍ଟର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଉଦବୋଧନ ଆରମ୍ଭ କରିଥିଲେ ।
ସେ କହିଥିଲେ ବିଗତ ୭୫ ବର୍ଷ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନେକ ଗୁଣୀଜନଙ୍କୁ ସୃଷ୍ଟି କରିପାରିଛି ।
ଏଥିରୁ ଅନେକ ଦେଶକୁ ଗୌରବମୟ କରିପାରିଛନ୍ତି ଏବଂ କେତେକ ଏଠାରେ ମଧ୍ୟ ଉପସ୍ଥିତ ଅଛନ୍ତି ।
ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସମ୍ମୁଖୀନ ହୋଇ ଏହା ଏକ ଜ୍ଞାନଭିତ୍ତିକ ସମାଜ ଗଠନରେ ସଫଳ ହୋଇପାରିବ ବୋଲି ମୁଁ ଆଶା କରୁଛି ।
ଉତ୍କର୍ଷତା ପାଇଁ ବିଦେଶର ଦୁଇଟି ବିଶ୍ୱବିଦ୍ୟାଳୟ ସହ ଉତ୍କଳର ବୁଝାମଣା ହେବା ଖୁସିର ବିଷୟ ।
ଗାନ୍ଧୀଜୀଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟ ପରିସରରେ ଅହିଂସା ସ୍ଥଳ ପାର୍କ ପ୍ରତିଷ୍ଠା ହୋଇଥିବା ଜାଣି ଅତ୍ୟନ୍ତ ଖୁସି ବୋଲି ସେ କହିଥିଲେ ।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବକୁ ସ୍ମରଣୀୟ କରିଛି ।
ଶିକ୍ଷାର ପ୍ରକୃତ ଅର୍ଥ ନୂତନ ଚିନ୍ତାଧାରାର ସୃଷ୍ଟି, ନେତୃତ୍ୱ ନେବାର ଦକ୍ଷତା ଏବଂ ଜ୍ଞାନର ପରିସୀମା ବୃଦ୍ଧି, ଯଦ୍ୱାରାକି ଏହା ମାନବତାର ମଙ୍ଗଳରେ ସହାୟକ ହୋଇପାରିବ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଉକ୍ରଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାର ପ୍ରୟୋଗଶାଳା ହେଉ ।
ଓଡ଼ିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply