Site icon Odisha.com

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

Exit mobile version