ବିଷ୍ଣୁପଦ ସେଠୀ
ସୋନପୁର ସହର ଠାରୁ ୨୦ କି.ମି. ଦୂରରେ ଅବସ୍ଥିତ କ୍ଷୁଦ୍ର ଖଲିଆପାଲି ଗ୍ରାମ ମହିମାଧର୍ମର ଆଦ୍ୟଉଦ୍ଗାତା ସନ୍ଥକବିଙ୍କ ସମାଧିପୀଠକୁ ଧାରଣ କରି ଆଜି ଏକ ପୁଣ୍ୟକ୍ଷେତ୍ର ରୂପେ ସୁପରିଚିତ ।
ଏକ ମନୋରମ ଉଚ୍ଚ ମନ୍ଦିର ମଧ୍ୟରେ ସନ୍ଥ କବି ଭୀମଭୋଇ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ସମାଧିସ୍ଥ କରାଯାଇଥିବାରୁ ଏହା ସମାଧି ମନ୍ଦିର ରୂପେ ଖ୍ୟାତ ।
ଏହାର ପଶ୍ଚାତଭାଗରେ ଏକ ସମତଳ ଛାତ ବିଶିଷ୍ଟ ଉପାସନା ଗୃହରେ ସନ୍ଥକବି ଭୀମଭୋଇ ଏବଂ ତାଙ୍କ ଆଧ୍ୟାତ୍ମିକ ସଂଗିନୀ ମା’ ଅନ୍ନପୂର୍ଣ୍ଣାଙ୍କ ରୌପ୍ୟ ପ୍ରଲେପଯୁକ୍ତ ପାଦୁକାକୁ ରଖାଯାଇ ନିତ୍ୟ ନୈମିତ୍ତକ ଭାବରେ ପୂଜାରାଧନା କରାଯାଇଥାଏ । ସକାଳେ-ସନ୍ଧ୍ୟାରେ ଘଣ୍ଟଶଙ୍ଖ ହୁଳହୁଳି ମଧ୍ୟରେ ଆଳତୀ ହୋଇଥାଏ ।
ଅପରାହ୍ନରେ ବହୁ ନିଷ୍ଠାର ସହ ପୂଜାରୀ ବାବା ଅନ୍ନଭୋଗ ଲଗାଇଥାନ୍ତି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମାଘମେଳା ଅନୁଷ୍ଠିତ ହୋଇଥାଏ ପ୍ରଭୁଙ୍କର ପୂଜା ଆରାଧନା ପୂର୍ବକ ଆଶୀର୍ବାଦ ଲାଭ କରି ନିଜର ଅଭୀଷ୍ଠ ସିଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି ।
ଉନବିଂଶ ଶତାବ୍ଦୀରେ ଧର୍ମ ଏବଂ ସାମାଜିକ ଦୃଷ୍ଟିକୋଣରୁ ଏକ ଯୁଗସନ୍ଧି କାଳରେ ଓଡିଶା ମାଟିରୁ ମହିମା ଧର୍ମ ଏକ ଯୁଗ ଧର୍ମ ରୂପେ ଉନ୍ମେଷ ଲାଭ କରିଥିଲା । ଏହା ଓଡିଶା ନିଜସ୍ୱ ଧର୍ମ ଚେତନା ।
ସେହିକାଳରେ ବର୍ଣ୍ଣାଶ୍ରମ ଧର୍ମର ପ୍ରାବଲ୍ୟ ହେତୁ ସମାଜର ନିମ୍ନ ତଥା ଅବହେଳିତ ସ୍ତରର ଜନସାଧାରଣ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଥିଲେ । କୁସଂସ୍କାର ଏବଂ ଧର୍ମାନ୍ଧତା ସମ୍ପୂର୍ଣ୍ଣରୂପେ ଆଚ୍ଛାଦିତ କରିଥିଲା ।
ଜାତିଭେଦର ପ୍ରାଚୀର ଦୃଢଭାବେ ଛିଡା ହୋଇ ମଣିଷ ମଣିଷ ମଧ୍ୟରେ ସମସ୍ତ ଦିଗରୁ ବିରାଟ ବ୍ୟବଧାନ ସୃଷ୍ଟି କରୁଥିଲା ।
ଏହି କାଳରେ ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ ଏସବୁର ତୀବ୍ର ପ୍ରତିବାଦ କରି ବିଶ୍ୱ କଲ୍ୟାଣ ନିମନ୍ତେ ଏକ ନୂତନ ଧର୍ମର ପ୍ରତିଷ୍ଠା କଲେ ଯାହାକି ମହିମା ଧର୍ମ ନାମରେ ପରିଚିତ ।
ରେଢାଖୋଲ ଏବଂ ବୀର ମହାରାଜାପୁର ଅଞ୍ଚଳରେ ରହୁଥିବା ଭୀମଭୋଇଙ୍କ ଗ୍ରାମଡ଼ିହା ଗ୍ରାମକୁ ରାତ୍ରରେ ମହିମା ଗୋସାଇଁ ନିଜର ପ୍ରଥମ ଶିଷ୍ୟ ସିଦ୍ଧ ଗୋବିନ୍ଦ ବାବାଙ୍କ ସାଙ୍ଗରେ ଆସି ଭୀମଭୋଇଙ୍କୁ ଧର୍ମରେ ଦୀକ୍ଷିତ କଲେ ଏବଂ ନିଜ ଭଜନ ଜଣାଣ ମାଧ୍ୟମରେ ମହିମା ଧର୍ମର ପ୍ରଚାର ପ୍ରସାର କରିବାକୁ ଆଶୀର୍ବାଦ ଦେଲେ ।
ପୂର୍ବରୁ ଭୀମଭୋଇ ଜଣେ ଲୋକକବି ଭାବରେ ନିଜ ଅଞ୍ଚଳରେ ପ୍ରତିଷ୍ଠା ପାଇପାରିଥିଲେ । ଏହା ପରେ ସେ ହେଲେ ମହିମା ଧର୍ମର ଆଦିକବି, ସନ୍ଥକବି ଏବଂ ଜୀବନ୍ତ ଦେବତା ।
ଭୀମଭୋଇ ୧୮୭୭ ମସିହାରେ ତାଙ୍କ ଆଧ୍ୟାତ୍ମିକ ସଙ୍ଗିନୀ ମା ଅନ୍ନପୂର୍ଣ୍ଣା ଏବଂ ଶିଷ୍ୟ ମାନଙ୍କୁ ସାଙ୍ଗରେ ନେଇ ଖଲିଆପାଲିରେ ପହଞ୍ଚନ୍ତି ଏବଂ ଖଲିଆପାଲି ଆଶ୍ରମ ହୁଏ ତାଙ୍କର ସାଧନା, ସିଦ୍ଧି ଏବଂ ସମାଧିକ୍ଷେତ୍ର; ପରବର୍ତ୍ତୀ କାଳରେ ମହିମା ଧର୍ମର ପୁଣ୍ୟପୀଠ ।
ଭୀମଭୋଇ ଥିଲେ ମାନବବାଦୀ ଏବଂ ଉଦାର ଚେତନାର କବି; ପ୍ରେମ ଏବଂ କରୁଣାର ଅବତାର ।
ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡର କଲ୍ଯାଣ ନିମନ୍ତେ , ଦୁଃଖ କ୍ଳେଶରେ ଜର୍ଜରିତ ମଣିଷର ମୁକ୍ତି ନିମନ୍ତେ ସେ ବାରମ୍ବାର ଅଶ୍ରୁଳ ନୟନରେ ପ୍ରଭୁଙ୍କ ଠାରେ ପ୍ରାଥନ କରିଛନ୍ତି ଏବଂ ଏହିସବୁ ସମ୍ବେଦନଶୀଳ ପଂକ୍ତି ବିଶ୍ବ ସାହିତ୍ୟର ଅମୂଲ୍ୟ ସମ୍ପତ୍ତ ହୋଇ ରହିଥିବ । ନିମ୍ନତମ ସ୍ତରର ମଣିଷକୁ ଉଦବେଳିତ କଲା ।
ଭୀମଭୋଇଙ୍କ କାବ୍ୟ କବିତା ମାଧ୍ୟମରେ ମହିମା ଧର୍ମ ଦୂରଦୂରାନ୍ତଙ୍କୁ ବ୍ଯାପୀ ଗଲା । ଭକ୍ତ ତଥା ଜନତାଙ୍କ ପାଇଁ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣା ଜୀବିତାବସ୍ଥାରୁ ଦେବ ଦେବୀ ରୂପେ ଗୃହୀତ ହୋଇଗଲେ ।
ମାଘମେଳା ଅବସରେରେ ଏକ ଅଷ୍ଟପୀଢ ବେଦୀକାର ଚତୁର୍ପାଶ୍ବରେ ୧୦୮ ଗୋଟି ପୂର୍ଣକୁମ୍ଭ ସ୍ଥାପନ ପୂର୍ବକ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କୁ ବସାଇ ଭକ୍ତ ମାନେ ପୂଜା ଆରାଧନା କଲେ । ଖଲିଆପାଲି ଏକ ମହାପୁଣ୍ୟ କ୍ଷେତ୍ରରେ ରୂପାନ୍ତରିତ ହୋଇଗଲା । ଏଠାରୁ “ଜଗତ ଉଦ୍ଧାର” ମନ୍ତ୍ର ଗଗନ ପବନରେ ନିନାଦିତ ହେଲା ।
୧୮୯୫ ମସିହା ଶିବ ଚତୁର୍ଦ୍ଦଶୀର ବ୍ରାହ୍ମ ମୂହୁର୍ତ୍ତରେ ଭୀମଭୋଇ ଖଲିଆପାଲି ଆଶ୍ରମରେ ଦେହତ୍ୟାଗ କଲେ। ପଟ୍ଟ ଶିଷ୍ୟ ହରିପଣ୍ଡା, ବାସୁପଣ୍ଡା ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ସମାଧି ନିର୍ମିତି ହେଲା ପରେ ଭୀମଭୋଇଙ୍କ ର୍ପାଶ୍ବରେ ମା’ ଅନ୍ନପୂର୍ଣ୍ଣାଙ୍କୁ ମଧ୍ୟ ସମାଧିସ୍ଥିତ କରାଗଲା।
ଏହାର ପଶ୍ଚାତ୍ ଭାଗରେ ଅର୍ଥାତ ଭୀମଭୋଇଙ୍କ ସାଧନା ସ୍ଥଳରେ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ପାଦୁକା ରଖାଯାଇ ପୂଜା ଆରଧନା କରାଯାଉଛି ।
ପ୍ରତ୍ୟହ ଜଗତ ଏବଂ ଭଗତର ମଙ୍ଗଳ ସକାଶେ ଊର୍ଦ୍ଧ୍ଵକୁ ହାତଟେକି ବାବା, ମାତା ତଥା ଭକ୍ତମାନଙ୍କ ଡାକ ଚଉଦିଗରେ ପ୍ରକମ୍ପିତ ହୋଇଥାଏ ।
ସମାଧି ମନ୍ଦିର କବାଟ କେବଳ ପୂର୍ଣ୍ଣମୀ ଦିନ ଭକ୍ତ ମାନଙ୍କ ସକାଶେ ଖୋଲିଥାଏ । କବାଟ ବନ୍ଦ ଥିଲେ ମଧ୍ୟ ଦରଦୀ-ଅନୁଭବୀ ଭକ୍ତଟିଏ ଜ୍ଞାନନେତ୍ରରେ ପ୍ରଭୁଙ୍କୁ ଦେଖିପାରିବ ; ଏହି ପୀଠର ଶକ୍ତିକୁ ଅନୁଭବ କରିପାରିବ ଏବଂ ବିଶ୍ଵପ୍ରେମ ତଥା ଭ୍ରାତୃତ୍ଵ ବୋଧରେ କିଞ୍ଚିତ ଭାବରେ ହେଉ ପଛେ ଅନୁପ୍ରାଣିତ ହୋଇପାରିବ ।
ଭୀମଭୋଇ ଗୋଟିଏ ଭଜନରେ ଲେଖିଛନ୍ତି ;
ଦୁଆରୀ ଜଗି ଅଛି, ଗଳି ନ ପାରେ ମାଛି
ଶତେ କବାଟ ଲାଗି, ମୁଦା ପଡିଛି କଞ୍ଚି
ହସ୍ତରେ ନ ଫିଟଇ, ଅନୁଭବେ ଫିଟୁଛି
ଜ୍ଞାନୀକି ଜ୍ଞାନନେତ୍ର ଝଟଝଟ ଦିଶୁଚି ।
ଏହି ଦେବ ପୀଠକୁ ପ୍ରଣାମ ଜଣାଉଛି ଏବଂ କବିଙ୍କ ଜଗତ ଉଦ୍ଧାର ମନ୍ତ୍ର ଉଚ୍ଚାରଣ କରୁଛି ।
ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟ ପ୍ରଶାସନରେ ଜଣେ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ।
Really heart touching
Excellent.. A nice article to know more about Santha Kabi Bhima Bhoi..
May God bless you to spread your precious knowledge by sharing such articles.
With regards
ଶିକ୍ଷଣୀୟ, ଉପାଦେୟ ସାର୍
ପ୍ରଣାମ
ବହୁତ ବହୁତ ଅଭିନନ୍ଦନ। ଖୁବ ସୁନ୍ଦର ଲେଖାଟି ଯାହାକି ଭୀମଭୋଇଙ୍କ ବିଷୟରେ କିଛି ଜଣାଇକେ
ଖଲିଆପାଲି ଓ ସୋନପୁରଜିଲା ଆପଣ°କ ପାଖରେ ସଦା ରୁଣୀ ରହିବ।ଆପଣ°କୁ ହରୃଦୟରୁ ନମସ୍କାର ।
ବିଷ୍ଣୁ ବେଜ।ମୋ-9827533934
fantastic.
ମହିଁମା ଅଲେଖ ସରଣମ