Site icon Odisha.com

ଜଗନ୍ନାଥ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି

ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କର ଆରାଧ ଦେବତା ନୁହନ୍ତି ,ସେ ହେଉଛନ୍ତି ବିଶ୍ବବାସୀଙ୍କର ଭରସାର ପ୍ରତୀକ, ଚେତନାର ନିଦର୍ଶନ । କେଉଁ ଆବାହମାନ କାଳରୁ ଓଡିଶାର ସଂସ୍କୃତି ପରମ୍ପରା ଓ ଆବେଗ ସହ ଜଗନ୍ନାଥଙ୍କର ଲୀଳାଖେଳାରନିବିଡ ସମ୍ପର୍କ ରହିଛି ।

ଏ କଥା କଳନା କରିବା ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ଛୋଟ ଛୁଆଟିଏ ଏରୁଣ୍ଡି ପାରିହୋଇ ଯେତେବେଳେ ବିଦ୍ୟାଳୟକୁ ଯାଏ ସେଠାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଭଜନ ପ୍ରାର୍ଥନା ଆକାରରେ ବୋଳା ହେବା ବେଳେ ତା ମନରେ ଭକ୍ତିଭାବ ସଞ୍ଚର ହୁଏ ।

ଆହେ ନୀଳ ଶୈଳ, ଆହେ ଦୟାମୟ ବିଶ୍ବବିହାରୀ ଭଳି ସାମୁହିକ ପ୍ରାର୍ଥନା ସରଳ ଶିଶୁଟିକୁ ଜଗନ୍ନାଥଙ୍କ ପ୍ରେମରେ ବାନ୍ଧିଦିଏ । ସବୁ ବିଶ୍ବାସର ସତ୍ତା ଏବଂ ଭାଗ୍ଯର ନିୟନ୍ତା ଯେ ଶ୍ରୀଜଗନ୍ନାଥ, ଏହି ଧାରଣା ଧୀରେ ଦୃଢ଼ୀଭୂତ ହୁଏ ।

ଦୁଃଖରେ ପଡ଼ିଥିବା ସମସ୍ତ ପ୍ରାଣୀ ଯେ, ଶ୍ରୀଜଗନ୍ନାଥଙ୍କୁ ଭକ୍ତି ସହକାରେ ସ୍ମରଣ କରନ୍ତି ଏ କଥା ବୁଝାଇ କହିବାର ଆବଶ୍ୟକତା ନାହି । ମାନବ ଜୀବନରେ ଲକ୍ଷ୍ୟ ହାସଲ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଏବଂ ସମର୍ପଣଠାରୁ ଆଉ ଭରସାଯୋଗ୍ୟ ମାନସିକତା କଣ ଅଛି ?

ଜଣେ ଓଡିଶାବାସୀ ଭାବେ ଜଗନ୍ନାଥ ଚେତନାରେ ଅନୁପ୍ରାଣିତ ହେବା ମୋ ଭଳି ଜଣେ ବ୍ୟକ୍ତି ପାଇଁ ଏକ ସାଧାରଣ କଥା ।

ସ୍କୁଲର କାନ୍ଥ ହେଉ ଅବା ଘରେ ଲାଗିଥିବା ଛବି ହେଉ କିମ୍ବା ଜଗନ୍ନାଥ ଧାମରୁ ପ୍ରତ୍ୟାବର୍ତ୍ତନ କରୁଥିବା ଗ୍ରାମବାସୀ, ପଣ୍ଡିତଗଣ ଅଥବା ପରିବାର ସଦ୍ୟସଙ୍କ ଭଜନ-ଜଣାଣ ଶୁଣି ଶୁଣି ପିଲାଦିନୁ ଜଗନ୍ନାଥଙ୍କ ସହ ମୋର ଡୋରି ବାନ୍ଧି ହୋଇଯାଇଛି ।

ତେଣୁ ଜଗନ୍ନାଥ ଧାମକୁ ବୁଲିଯିବା ଏବଂ କାଳିଆ ଠାକୁରଙ୍କୁ ଦର୍ଶନ କରିବା ଏ ଦୁଇଟି କାର୍ଯ୍ୟ ସବୁବେଳେ ମୋ’ ପାଇଁ ଏକ ପ୍ରାଣସ୍ପର୍ଶୀ ଅନୁଭବ ।

ବିଗତ କିଛି ବର୍ଷ ଧରି ରଥଯାତ୍ରା ଲାଗି ପୁରୀ ଧାମକୁ, ସେଠାରେ ତିନି ଠାକୁରଙ୍କୁ ରଥ ସମ୍ମୁଖରେ ମନଭରି ଦର୍ଶନ କରିବା, ଅଗଣିତ ଭକ୍ତସମାଜ ସହ ସମୟ ବିତେଇବା ମୋ ପାଇଁ ଅବର୍ଣ୍ଣନିୟ ଅନୁଭୂତି ।

ଏଥିରେ ଯେଉଁ ଉନ୍ମାଦନା ଏବଂ ଆନନ୍ଦ ମିଳେ ତାହା ଅନ୍ୟ କେଉଁଥିରେ ଉପଲବ୍ଧ ନାହିଁ । ଏହି କାରଣରୁ ମୁ ସବୁବେଳେ ବ୍ୟାକୁଳତାର ସହ ସେଇ ବିରଳ ମୂହୁର୍ତ୍ତକୁ ଅପେକ୍ଷା କରିଥାଏ ।

୨୦୨୦ ରଥଯାତ୍ରା କଥା । ସମଗ୍ର ବିଶ୍ଵ କରୋନା ଭୁତାଣୁର ଆତଙ୍କରେ ପ୍ରଭାବିତ । ଚାରିଆଡେ କୋକୁଆ ଭୟ । ରାସ୍ତାଘାଟ, ବଜାର, ଅଫିସ ଗାଁ ଚାରିଆଡେ ଶୁନଶାନ ।

କରୋନ ମହାମାରୀ କବଳିତ ସମଗ୍ର ପୃଥିବୀ ଭୀତତ୍ରସ୍ତ । କିଏ କେତେବେଳେ ଏ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯିବେ, ସେଇ ଆଶଙ୍କାରେ ମୃତ୍ୟୁ ଜଳଜଳ ହୋଇ ଦିସୁଥା ।

ନିସ୍ତବ୍ଧ ନଗରୀର ପ୍ରଶସ୍ତ ରାସ୍ତାରେ କେବଳ ଆମ୍ବୁଲାନ୍ସର ଆତଯାତ ଏବଂ ତଜନିତ ଆତଙ୍କପ୍ରଦ ଶବ୍ଦ ବହୁ ଦୂରକୁ ଶୁଭଯାଉଥାଏ । ସହର ଏବଂ ଗାଁ ଶ୍ମସାନରେ ଅନବରତ ଜଳୁଥିବ ଜୁଇର ନିଆଁରୁ ଏ ଜୀବନ କେତେ ମୂଲ୍ୟହୀନ ତାର ସ୍ପଷ୍ଟ ସଂକେତ ମିଳୁଥାଏ ।

ସମଗ୍ର ବିଶ୍ଵବାସୀଙ୍କ କଣ୍ଠରେ ଗୋଟିଏ ପ୍ରାର୍ଥନା, ହେ ଈଶ୍ଵର ! ଆପଣ ଏ ଜଗତକୁ ଉଦ୍ଧାର କରନ୍ତୁ । ଏହିପରି ଏକ ଜଟିଳ ପରିସ୍ଥିତିରେ ଜନସାଧାରଣଙ୍କୁ ଜୀବନ ଜୀବିକାର ସୁରକ୍ଷା ଦେବା, ଅତ୍ୟାବଶ୍ୟକ ସେବା ଏବଂ ସାମଗ୍ରୀ ପହଞ୍ଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଥିଲା ।

ସେ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବା ବେଗକୁ ଉପେକ୍ଷା କରି ରଥଯାତ୍ରା ନକରିବାର ନିଷ୍ପତି ଏକ ବହୁ କଷ୍ଟକର କଥା ହେଇଥାନ୍ତା । ଜଣ ସମାଗମରେ ମହାମାରି ବ୍ୟାପିବା ଏକ ନିଶ୍ଚିତ କଥା ଥିଲା ।

ବହୁ ବାଦବିବାଦ ପରେ କଥା ଯାଇ ମାନ୍ୟବର ଉଚ୍ଚନ୍ୟାୟାଳୟ ଏବଂ ସର୍ବୋଚ୍ଚନ୍ୟାୟାଳୟରେ ପହଞ୍ଚି ଥିଲା । ଜଣେ ଜଗନ୍ନାଥ ପ୍ରେମୀ ହିସାବରେ ମୋର ଇଚ୍ଛା ଥିଲା , ଏ କଠିନ ସମୟରେ ତିନି ଠାକୁର ଶ୍ରୀମନ୍ଦିର ବାହାରକୁ ଆସନ୍ତୁ ।

ଯଦି ସେ ସକଳ ସତ୍ତାର ଆଧାର, ଏକ ଭକ୍ତଶୂନ୍ୟ ବଡଦାଣ୍ଡରେ ସମଗ୍ର ମଣିଷ ଜାତିର ଦୁଃଖ କଷ୍ଟକୁ ଚକାନୟନରେ ନିରେଖି ଦେଖନ୍ତୁ ।

ଯଦି ସେ ମାନବ ଜାତିକୁ ଉଦ୍ଧାର ନା କରନ୍ତି , ଏ ବିଶ୍ଵ ଜଗତରେ ତାଙ୍କର ମହିମା ଗାନ କରିବାକୁ କିଏ ବା ଥିବ ? ଏହି ମର୍ମରେ ସନ୍ଥକବି ଭୀମଭୋଇଙ୍କ ବହୁବର୍ଷ ତଳର ଲେଖା ମତେ ଆନ୍ଦୋଳିତ କରୁଥିଲା ।

ଅଶେଷ ବ୍ରହ୍ମାଣ୍ଡ ଡୁବି ଯେବେ ଯିବ
କାହିଁରେ ରହିବି ମୁହିଁ ।
ମନ ଛନ ଛନ ହେଉଛି ଉଚ୍ଛନ୍ନ
ଏ ପିଣ୍ଡ ବ୍ରହ୍ମାଣ୍ଡ ପାଇଁ ।
ଏ ଜନ ଜଗତ ହତ ହୋଇଗଲେ
କାହିଁ ପ୍ରଚରିବି ମୁହିଁ ।
ଏଣୁ କରି ସିନା ପ୍ରଭୁ ଶ୍ରୀ ଛାମୁରେ
ନୀତି ଜଣାଣ କରଇ।

ସେ ସମୟର ଘଟଣାବଳିକୁ ମୁଁ ଗଭୀର ଭାବରେ ଅନୁଧ୍ୟାନ କରୁଥିଲି। ରଥଯାତ୍ରାର କିଛି ଘଣ୍ଟା ପୂର୍ବରୁ ମାନ୍ୟବର ସର୍ବୋଚ୍ଚନ୍ୟାୟାଳୟ ଆଦେଶ ପ୍ରାପ୍ତ ହେଲା ।

ଏକ ଭକ୍ତ ଶୂନ୍ୟ ରଥଯାତ୍ର ଆୟୋଜନ କରିବେ, ଓଡିଶା ସରକାର । ସମଗ୍ର ପୁରୀ ସହରରେ କର୍ପ୍ଯୁ ଲାଗୁ କରାଯିବ । ନିଜର ବାସଗୃହ, ହୋଟେଲ, ଲଜ୍ ଇତ୍ଯାଦିରୁ କାହାରିକୁ ବାହାରକୁ ଆସିବାକୁ ଦିଆଯିବ ନାହିଁ । ପାଞ୍ଚ ସାତ ସେବାୟତ ଯେଉଁମାନେ ଭୂତାଣୁ ଦ୍ଵାରା ସଙ୍କ୍ରମିତ ହେଇନଥିବେ, ସେମାନେ ରଥଟଣା କାର୍ଯ୍ୟକ୍ରମ କରିବେ ।

ଦୁଇଟି ରଥଟଣା ଭିତରେ ଗୋଟେ ଘଣ୍ଟା ଅନ୍ତରାଳ ରହିବ । ସମସ୍ତ ନିତିକାନ୍ତି,ରଥଟଣା କାର୍ଯ୍ୟକ୍ରମକୁ ବିଶ୍ବବାସୀ କେବଳ ଟେଲିଭିଜନ ଏବଂ ଭିଜୁଆଲ ମାଧ୍ୟମରେ ଦେଖିପାରିବେ । ଯେଉଁ ଯେଉଁ ବିଭାଗ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଆବଶ୍ୟକ, କେବଳ ସେଇ ବିଭାଗର ଅଧିକାରୀମାନଙ୍କୁ ପୁରୀ ଯିବା ପାଇଁ ଅନୁମତି ଥିଲା ।

ବହୁ ପ୍ରତୀକ୍ଷା ପରେ ରଥଯାତ୍ରାର ସିଧା ପ୍ରସାରଣ ଦେଖି ଏହି ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଆରାଧ୍ୟ ଦେବତାଙ୍କୁ ଅଶ୍ରୁଳ ନଯନରେ ନିବେଦନ କରିଥିଲି ମୁଁ ସ୍ଵଗୃହରୁ ।

ନିଜର ସହକର୍ମୀମାନଙ୍କୁ ତାଙ୍କର ନିଷ୍ଠାପର ଉଦ୍ୟମ ଏବଂ ରଥଯାତ୍ରାର ସୁପରିଚାଳନ ପାଇଁ କୃତଜ୍ଞତା ଜ୍ଞାପନ କରିବା ମୋର କର୍ତ୍ତବ୍ଯ ଥିଲା । କିନ୍ତୁ ମାନରେ ଗୋଟେ ଇଚ୍ଛା ଏବଂ କ୍ଷୋଭ ।

ଯଦି ଜଗନ୍ନାଥଙ୍କ ଦୟାରୁ ସରକାରଙ୍କ ତରଫରୁ ରଥଯାତ୍ରା ପରିଚାଳନା ସମ୍ପର୍କିତ କୌଣସି ବିଭାଗର ଦାୟିତ୍ଵ ମତେ ମିଳିଥାନ୍ତା, ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ହୋଇଥାନ୍ତା । ମନେ ମନେ ମୁଁ ଏ ଗୁହାରୀ ଜଗନ୍ନାଥଙ୍କୁ ଜଣାଇଥିଲି।

୨୦୨୧ ମସିହା ରଥଯାତ୍ରାର ସମୟ ପାଖେଇ ଆସୁଥାଏ । କୋରୋନ ପ୍ରକୋପ ଜାରି ରହିଥାଏ । ଠିକ ଦୁଇମାସ ପୂର୍ବରୁ ମେ ମାସ ୧୨ ତାରିଖରେ ସରକାରଙ୍କ ତରଫରୁ ବିଜ୍ଞପ୍ତି ବାହାରିଲା । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ଵ ମତେ ଦିଆଗଲା ।

ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଦୂରଦର୍ଶନ ମାଧ୍ୟମରେ ପୂର୍ବବର୍ଷ ପରି ସମସ୍ତ ଚ୍ଯାନେଲମାନଙ୍କୁ ଲାଇଭ ଫିଡ ଦିଆଯିବ ଏବଂ ସେ ସମସ୍ତ କାର୍ଯ୍ୟ ମୋ ବିଭାଗର । ଏକ ଭକ୍ତଶୂନ୍ୟ ବଡଦାଣ୍ଡରେ ନୟନ ପୁରାଇ ତିନି ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ମୋ ପାଇଁ ଏକ ନିଆରା ଅନୁଭୂତି ଥିଲା ।

ସନ୍ଧ୍ୟାବେଳେକୁ ବଡଦାଣ୍ଡରେ ଭିଜି ରଥ ଚାରିପଟେ କ୍ୟାମେରାମ୍ୟାନ୍ ଏବଂ ସଂପ୍ରସାରଣ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କର କାମକୁ ସଠିକ୍ ଭାବରେ ପରିଚାଳନା କରାଇବା, ଦୂରଦର୍ଶନର ନିର୍ଦ୍ଦେଶକ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର କିଛି ହାତଗଣା ଅଧିକାରୀ, ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ, ପୁଲିସ ବିଭାଗର ଆବଶ୍ୟକ ଶଙ୍ଖକ କର୍ତ୍ତବ୍ଯନିଷ୍ଠ କର୍ମଚାରିଙ୍କ ସୌହାର୍ଦ୍ଦ୍ୟ ଜୀବନର ଶେଷ ସମୟ ଯାଏଁ ଛବି ରୂପରେ ମୋ ମାନସପଟରେ ଲିପିବଦ୍ଧ ହୋଇ ରହିଥିବ ।

ମୋ ଅନ୍ତରାତ୍ମାରେ ଏଇ ଗୋଟିଏ କଥା ପ୍ରତିଧ୍ଵନିତ ହେଉଥାଏ – ଏ ଅନୁଭୂତିରେ ଜଗନ୍ନାଥଙ୍କ କୃପା ପାଇଁ ସମ୍ଭବ ହେଲା । ଜଗନ୍ନାଥ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ।

Exit mobile version