ସେଦିନ ୨୨ ମସିହା ସେପ୍ଟେମ୍ବର ୨ ତାରିଖ, ସକାଳ ୮ ଟା ଉତ୍କଳ ବିଶ୍ୱବିଦ୍ୟାଳୟର ଚିତ୍ତରଞ୍ଜନ ବାବୁ ମୋ ଫୋନ୍ ନମ୍ବର ନ ପାଇ ବାଣୀବିହାର ହାଇସ୍କୁଲର ସାର୍ ଚକ୍ରଧର ତ୍ରିପାଠୀଙ୍କୁ କହିଲେ କାନୁନ୍ଗୋ ସାର୍ଙ୍କୁ କହିଦେବେ ଅକ୍ଷୟ ବାବୁ ଚାଲିଗଲେ ।
ତାଙ୍କଠାରୁ ଏକଥା ଶୁଣି ମୁଁ ବିଶ୍ୱାସ କରିପାରିଲି ନାହିଁ । ଏକଥା ତାଙ୍କ ଧର୍ମପତ୍ନୀଙ୍କୁ ଫୋନ୍ କରିବାରୁ ସେ କହିଲେ ଆଜି ସକାଳ ୭ଟା ବେଳେ ଚାଲିଗଲେ ।
ଯଦିଓ ସ୍ନାୟୁଜନିତ ରୋଗରେ ଦୀର୍ଘ ୩୪ ମାସ ଧରି ପୀଡ଼ିତ ଥିଲେ, କଥାବାର୍ତ୍ତା ଓ ଭାବର ଆଦାନ ପ୍ରଦାନ ସବୁ ତାଙ୍କର ଠିକ୍ ଥିଲା । ଡ଼ାକ୍ତର କିନ୍ତୁ ସବୁବେଳେ କହୁଥିଲେ ତାଙ୍କର ରୋଗ କିଛି ନାହିଁ, ମୁଁ ତା’ ପୂର୍ବରୁ ସପରିବାର ତାଙ୍କ ଘରକୁ ଯାଇ ଦେଖି ଆସିଥିଲି, ସେ ଭଲ ଥିଲେ ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ଥିଲା; ମାତ୍ର ବିଧାତାର ବିଧାନ ବଡ଼ ବିଚିତ୍ର ।
୮୩ ବର୍ଷ ବୟସରେ ତାଙ୍କୁ ଈଶ୍ୱର ଆମମାନଙ୍କ ଗହଣରୁ ନେଇଗଲେ ସେପାରିକି । ଏ କଳିଯୁଗରେ ଯାହାର ପୁଣ୍ୟା ଓ ଧର୍ମବଳ ଥାଏ, ସେ ୮୦ ବର୍ଷ ବୟସ ଟପି ଆଗକୁ ଯାଏ ।
କାରଣ କଳିଯୁଗର ପରମାୟୁ ସାଧାରଣତଃ ୧୦୦ ବର୍ଷ । ଶୃଙ୍ଖଳିତ ଜୀବନଶୈଳୀ, ନିୟମିତ ରୁଚିପୂର୍ଣ୍ଣ ଭୋଜନ ଏବଂ ପାରିପାଶ୍ୱିର୍କ ପରିବେଶ ମଣିଷକୁ ନୀରୋଗ ଓ ଦୀର୍ଘାୟୁ କରି ରଖେ । ଦୀର୍ଘ ୮୩ ବର୍ଷ ଧରି ଏ କଳିଯୁଗରେ ବଞ୍ଚିବା ମଧ୍ୟ ଇଶ୍ୱରଙ୍କ କୃପା ଓ ଆଶୀର୍ବାଦ ।
ଅକ୍ଷୟ ବାବୁ ଥିଲେ ଜଣେ ଧର୍ମନିଷ୍ଠ, ନିଃସ୍ୱାର୍ଥପର ପରୋପକାରୀ, ସ୍ନେହୀ, ବନ୍ଧୁବତ୍ସଳ ମଣିଷ ସେ କଟକ ସହର ଚୌଧୁରୀ ବଜାର ନନ୍ଦିସାହିରେ ୧୯୪୨ ମସିହା ଜାନୁୟାରୀ ୪ ତାରିଖରେ ପିତା ଓ ଦୁର୍ଗାଚରଣ ମାତା କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ । ବିଷ୍ଣୁପ୍ରିୟା ତାଙ୍କ ପରିବାର କଟକ ସହରର ଜଣେ ବିଖ୍ୟାତ ଆଭିଜାତ୍ୟସମ୍ପନ୍ନ ପରିବାର ବୋଲି ସମସ୍ତେ ଖାତିର କରନ୍ତି ।
ତାଙ୍କ ପରିବାର ଓଡ଼ିଶା ତଥା ଭାରତ ଓ ଭାରତ ବାହାରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଅକ୍ଷୟବାବୁ ମନସ୍ତତ୍ତ୍ୱ ବିଭାଗରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରି ଓଡ଼ିଶାର ଉଚ୍ଚଶିକ୍ଷା ମନସ୍ତତ୍ତ୍ୱ ବିଭାଗରେ ପ୍ରଥମେ ଅଧ୍ୟାପକ କାର୍ଯ୍ୟ କରିଥିଲେ । ତାପରେ ତାକୁଛାଡ଼ି ଓଡ଼ିଶା ରାଜ୍ୟ କର୍ମନିୟୋଜନ ସଂସ୍ଥା (Employment dept) ସଂସ୍ଥାରେ Vocational guidance ଭାବେ କାର୍ଯ୍ୟ କଲେ ।
ଏହି ସମୟ କାଳ ଭିତରେ ଧନ୍ଦାମୂଳକ ସ୍ୱତନ୍ତ୍ର ତାଲିମ ନେଇ କର୍ମ ନିଯୁକ୍ତି ପରିଚାଳନା କ୍ଷେତ୍ରରେ ଦିଲ୍ଲୀର କେନ୍ଦ୍ରୀୟ ଗବେଷଣା ଓ ତାଲିମ ସଂସ୍ଥାନରୁ ସେ ତାଲିମ ନେଲେ ।
ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ଶିଳ୍ପତାଲିମ ଅନୁଷ୍ଠାନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । କର୍ମ ନିଯୁକ୍ତି ଚୟନ ରେ ସଦଶ୍ୟ ରହି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ଚୟନ କମିଟି ପୂର୍ବକ ନିଯୁକ୍ତି ସୃଷ୍ଟି କରିପାରିଥିଲେ ।
ଏହି ଚାକିରୀକୁ ପରିତ୍ୟାଗ କରି ୧୯୭୩ ରେ ଭାରତ ସରକାରଙ୍କ ଦୂରଦର୍ଶନ କେନ୍ଦ୍ରରେ producer ଭାବେ ଯୋଗ ଦେଲେ । ଦୀର୍ଘ ୨୮ ବର୍ଷ ଧରି ଏହି ଦୂରଦର୍ଶନ ସଂସ୍ଥାରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ପ୍ରଥମେ ସେ S.I.T.E (Satelite Instructional Television Experiment Programme) ଓଡ଼ିଆ ଓ ହିନ୍ଦି ଭାଷାରେ ଗ୍ରାମୀଣ ଭାରତର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲେ ଦୀର୍ଘ ୧୭ ବର୍ଷଧରି ।
ଗୋଟିଏ ଭିଡ଼ିଓ ଓ ଦୁଇଟି ଅଡ଼ିଓ ମାଧ୍ୟମରେ ଦୂରଦର୍ଶନର Instructional Programme ଉପରେ ପରୀକ୍ଷା ନିରିକ୍ଷା କ୍ଷେତ୍ରରେ ସଫଳ ହୋଇଛନ୍ତି ଏତଦ୍ ବ୍ୟତୀତ ବିଭିନ୍ନ ସିରିଏଲ୍ ଓ କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଥା ବସ୍ତୁ ଲେଖି ନିଦେ୍ର୍ଦଶନା ଦେଇ ନିଜସ୍ୱ କଳା କୌଶଳର ଦୂରଦର୍ଶନର ଦୈନିକ Transmission ରେ ନିଜର ଦକ୍ଷତା ଓ ନିପୁଣତା ପ୍ରଦର୍ଶିତ କରିଛନ୍ତି ।
ଏପରିକି ସଙ୍ଗୀତ, ନୃତ୍ୟ ଉପରେ ତିନି ମାସରେ ଜାତୀୟ ସ୍ତରରେ ଟେଲିକାଷ୍ଟ କରି ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଦୂରଦର୍ଶନର ନିୟନ୍ତ୍ରକ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯଥା – ଏକ ସୁ ମୁଲାକାତ, Great Masters ଆଦି ସିରିଜ ସିରିଏଲ୍ ନିର୍ମାଣ କରି ଓଡ଼ିଶାର ଜାତୀୟ ଆର୍ନ୍ତଜାତୀୟ ବିଖ୍ୟାତ ବ୍ୟକ୍ତିମାନଙ୍କୁ ଜାତୀୟ ନେଟ୍ୱାର୍କ ମାଧ୍ୟମରେ ସାମିଲ କରିପାରିଥିଲେ ।
ମସ୍କୋରେ ଅନୁଷ୍ଠିତ Festival of India କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରକୃତି ସମ୍ବନ୍ଧୀୟ ଦୃଶ୍ୟାବଳୀକୁ Live Telecast ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟକୁ ଜିଣି ପାରିଛନ୍ତି ।
ଏସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ଦକ୍ଷତା ଓ ପ୍ରତିଭାକୁ ଆଧାର କରି ସଫଳ ରୂପାୟନ ନିମନ୍ତେ ତାଙ୍କ ଦକ୍ଷତା ଓ ପ୍ରତିଭାକୁ ୧୯୯୦ ରେ ଦିଲ୍ଲୀ ଦୂରଦର୍ଶନର ମହା ନିଦେ୍ର୍ଦଶକ ତାଙ୍କୁ (Asst. Controler Programme), କାର୍ଯ୍ୟକ୍ରମ ସହକାରୀ ନିୟନ୍ତ୍ରକ ଭାବେ ନିଯୁକ୍ତି ଦେଲେ ।
ତା’ର କିଛି ବର୍ଷାପରେ ତାଙ୍କୁ ପୁଣିଥରେ Deputy Controler Programme ବା Executive Producer ଭାବେ ପଦୋନ୍ନତି ଦେଇ ସ୍ୱତନ୍ତ୍ର ପରିଚାଳନା ଦାୟିତ୍ୱ ଦେଲେ ।
ଏହିଭଳି ଭାବେ ଦୀର୍ଘ ୨୮ ବର୍ଷ ଧରି ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓ ବିଭିନ୍ନ ସିରିଏଲ୍ ଗୁଡ଼ିକର ଦୃଶ୍ୟପଟର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ଦକ୍ଷତା,ଅଭିଜ୍ଞତା ଓ ପାରଦର୍ଶିତାର ପରିଚୟ ଦେଇଛନ୍ତି ।
୨୦୦୨ ମସିହା ଜାନୁୟାରୀ ମାସରେ ସରକାରୀ ·କିରୀରୁ ଅବସର ନେଲେ । ପ୍ରଶାସନିକ ଦକ୍ଷତା ଏବଂ ବିକାଶର ସଫଳ ରୂପାୟନ କାର୍ଯ୍ୟ ଏହି ସମୟ କାଳ ମଧ୍ୟରେ ସଂଭବ ହୋଇଥିଲା ।
ଶୁଭାରମ୍ଭୀ କେନ୍ଦ୍ର ସମ୍ବଲପୁର, ବ୍ରହ୍ମପୁର ଦୂରଦର୍ଶନ କେନ୍ଦ୍ର, ରାୟପୁର ଦୂରଦର୍ଶନ କେନ୍ଦ୍ରର ଆଧୁନିକୀକରଣ ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ବେଶ୍ ପ୍ରଶଂସନୀୟ ।
ପୁଣି ଜାମ୍ମୁ, କାଶ୍ମୀର ଶ୍ରୀନଗରର ଚାନେଲ ର କାର୍ଯ୍ୟକ୍ରମ ନକସାର Engrugation କରି ନିଜର ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ସରକାରଙ୍କ ଦୂରଦର୍ଶନରୁ ଅବସର ନେଇ ଭାରତର ପ୍ରସିଦ୍ଧ ଓ ବିଖ୍ୟାତ ସାଟାଲାଇଟ ଉଷାକିରଣ ଟେଲିଭିଜନ ବା ଇ.ଟି.ଭି ଚାନେଲ ରେ ହାଇଦ୍ରାବାଦ୍ସ୍ଥିତ ରାମୋଜୀ ଫିଲ୍ମସିଟି ରେ ବରିଷ୍ଠ ପରାମର୍ଶଦାତା ଭାବେ ଯୋଗଦେଇ ଚାନେଲର ବହୁ ଉନ୍ନତି ସାଧନ କରିଛନ୍ତି ।
ବିଶେଷକର ଇ.ଟି.ଭି ଓଡ଼ିଆ ଚାନେଲର ଆଧୁନୀକିକରଣ ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଦିଗରେ ତାଙ୍କର ଅବଦାନ ଏ ଜାତି କେବେ ଭୁଲିପାରିବ ନାହିଁ ।
୧୯୫୦ ରୁ ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କାର୍ଯ୍ୟକ୍ରମ -ନାଟ୍ୟକାର ଏବଂ କାର୍ଯ୍ୟକ୍ରମ ନିଷ୍କାଦକ ଭାବେ ସଫଳତା ହାସଲ କରିଛନ୍ତି ।
ସେ ଏକାଧାରାରେ ଜଣେ ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବରେ ଓଡ଼ିଶାର ପୁରପଲ୍ଲିରେ ସୁପରିଚିତ ।
ଆକାଶବାଣୀ, ଦୂରଦର୍ଶନରେ ପ୍ରସାରିତ ନାଟକ ଭିତରୁ ବନ୍ୟା, ଚୋରାବାଲି, ସ୍ୱାକ୍ଷର, ମାନସୀ ସନ୍ଧାନ, ବିଗତ ବୁଦ୍ଧ, ସ୍ୱପ୍ନକଣିକା, ଦ୍ୱିପହର ଧୂପ ଆଜି ଧାରାବାହିକ ଭାବେ ପ୍ରସାରିତ ହୋଇଛି ।
ସେହିଭଳି ଦୂରଦର୍ଶନରେ ସଞ୍ଜଦିଘଡ଼ି, ଧାରାବାହିକ ସକଳତୀର୍ଥ, ବେଗମ୍ ଭାଷଣ ଶିକ୍ଷା ଓ ଘର ଆଦି ପ୍ରସାରିତ ହୋଇ ଦର୍ଶକ ମାନଙ୍କର ମନ ଓ ହୃଦୟକୁ ଛୁଇଁ ପାରିଛି ।
ଅକ୍ଷୟ କୁମାର ମହାନ୍ତିଙ୍କ ରଚିତ ୧୦ ଟି ପୂର୍ଣ୍ଣାଙ୍ଗ ନାଟକ, ଗୋଟିଏ ଛୋଟ ନାଟକ ସଂକଳନ, ଗୋଟିଏ ବ୍ୟଙ୍ଗ ନାଟକ ଧାରାବାହିକ ଓ ୫ ଟି ରସସ୍ୟଧର୍ମୀ ଉପନ୍ୟାସ ଓ ୨ଟି କ୍ଷୁଦ୍ରଗଳ୍ପ ସଂକଳନ ମୌଳିକ ସୁଜନଶୀଳ ସାହିତ୍ୟ ପ୍ରତିଭାର ପରିଚୟ ଦିଏ ।
ଏହିଭଳି ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କର ଅକାଳ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅପୂର୍ଣ୍ଣ ହୋଇ ରହିଗଲା । ସେ ଅପୂର୍ଣ୍ଣତା ହୁଏତ ଆଉ ପୂରଣ ତ ହେବ ନାହିଁ;
ବରଂ ତାଙ୍କର କୃତି ଓ କୀର୍ତ୍ତି ଓଡ଼ିଶାର ସମସ୍ତ ପାଠକ ଓ ଦର୍ଶକଙ୍କ ହୃଦୟରେ ଅଭୁଲା ଓ ସ୍ମରଣୀୟ ହୋଇ ରହିବ ।
ସେ ଥିଲେ ଜଣେ ଅଜାତଶତ୍ରୁ ମାର୍ଜିତ, ଭଦ୍ର, ସରଳ, ମିଷ୍ଟଭାଷୀ ଓ ଅମାୟିକ ବ୍ୟକ୍ତିତ୍ୱ ଅଗଣିତ ସୁହୃଦ ଛାତ୍ର ଗବେଷକ, ସହୋଦର ତଥା ସମଧର୍ମୀ ମାନଙ୍କର ସେ ଥିଲେ ସତରେ ଜଣେ ପ୍ରେରଣାର ଉତ୍ସ ।
ସେଥିଲେ ସମାଜ ସଂସ୍କାରକ, ନୀତି ନୈତିକତା ଆଧାରିତ ଜୀବନ ଗଠନର ସ୍ୱପ୍ନ ସେ ଦେଖୁଥିଲେ । ତାଙ୍କର ପ୍ରତିଟି ସୃଷ୍ଟିରେ ସେ ରେଡ଼ିଓ, ଦୂରଦର୍ଶନ ତଥା ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କ ଲେଖନୀ ସ୍ୱତନ୍ତ୍ର ବାସ୍ତବରେ ସେ ଥିଲେ ବାଗଦେବୀ ସରସ୍ୱତୀଙ୍କ ବରପୁତ୍ର ସେ ମରି ମଧ୍ୟ ଅମର । ତାଙ୍କ ନାମ ମଧ୍ୟ ଅକ୍ଷୟ – କୀର୍ତ୍ତି ମଧ୍ୟ ଅକ୍ଷୟ ।
Leave a Reply