Site icon Odisha.com

ଶୈକ୍ଷିକ ସହଯୋଗ ପାଇଁ ଉତ୍କଳ ଏବଂ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷର

ଭୁବନେଶ୍ୱର: ବାଲିସ୍ଥିତ ଇଣ୍ଡୋନେସିଆର ସୁଗ୍ରିୱା ବିଶ୍ୱବିଦ୍ୟାଳୟ ସହିତ ଶୈକ୍ଷିକ ସହଯୋଗ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସୋମବାର ଦିନ ଏକ ଚୁକ୍ତି ସ୍ୱାକ୍ଷର କରିଛି।

ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସୁବିଧା ପାଇଁ ମିଳିତ କର୍ମଶାଳା ଏବଂ ଆଲୋଚନାଚକ୍ର ଆୟୋଜନ କରି ଶୈକ୍ଷିକ, ତାଲିମ, ଅନୁସନ୍ଧାନ, ଅଧ୍ୟାପନା ବିକାଶରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଏହି ସହଯୋଗର ଲକ୍ଷ୍ୟ ରହିଛି |

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଏହି ଚୁକ୍ତିନାମା ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଗକୁ ବଢ଼ିବାରେ ସହଜ ହେବା ସହିତ ଶିକ୍ଷା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ।

ଅକ୍ଟୋବର ୧୦ ତାରିଖ ଦିନ ବାଲିସ୍ଥିତ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ପରିସରରେ ଏହି ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା |

ଏଥିରେ ସୁଗ୍ରିୱା ବିଶ୍ୱବିଦ୍ୟାଳୟର ରେକ୍ଟର ଡ. ଗୁଷ୍ଟି ନଗୁରା ସୁଦିଆନା ମି., ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼. ଅଭୟ କୁମାର ନାୟକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟସ୍ଥିତ ଭାଷା, ସାହିତ୍ୟ ଏବଂ ସଂସ୍କୃତି କେନ୍ଦ୍ର, ରୁସାର ସଂଯୋଜକ ତଥା ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ସୁଭାଷ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ।

ଏହି ସହଯୋଗ ଦ୍ୱାରା ମିଳିତ ଅନୁସନ୍ଧାନ ପ୍ରକଳ୍ପ, ସମ୍ମିଳନୀ, କର୍ମଶାଳା, ସେମିନାର, ସନ୍ଦର୍ଭ ପ୍ରକାଶନ ଏବଂ ତାଲିମ କାର୍ଯ୍ୟକ୍ରମ ଇତ୍ୟାଦିରେ ଆଦାନ ପ୍ରଦାନ ମାଧ୍ୟମରେ ଶୈକ୍ଷିକ ଉତ୍କର୍ଷତା ବୃଦ୍ଧି କରିବ |

ଏହା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ | ଦୁଇଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା ଓ ଶିକ୍ଷା କ୍ଷେତ୍ର ରେ ଏହା ଏକ ଯୁଗାନ୍ତକାରୀ ପ୍ରୟାସ |

ଏହା କଳିଙ୍ଗ-ବାଲି ସମ୍ପର୍କକୁ ପୁନଃସ୍ଥାପିତ କରିବାରେ ନୂତନ ରାସ୍ତା ଖୋଲିବ ବୋଲି କୁଳସଚିବ କହିଛନ୍ତି।

Exit mobile version